୩୦ ଲକ୍ଷ ନିଯୁକ୍ତି ସପନକୁ ରାତି କାହିଁ ? ପଦବି ଖାଲି, ଋଣ ଦେବାକୁ ବ୍ୟାଙ୍କ କୁନ୍ଥକୁନ୍ଥ

ଭୁବନେଶ୍ୱର,୧୩।୯: ଶିଳ୍ପକୁ ନେଇ ନୂଆ ନୂଆ ବ୍ଲୁପ୍ରିଣ୍ଟ । ଚୀନ୍‌ ଓ ସିଙ୍ଗାପୁରରେ ନିବେଶକଙ୍କୁ ଭିଡ଼ିବାକୁ ରୋଡ ସୋ । ଲକ୍ଷ୍ୟ ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ କୋଟିର ନିବେଶ ସାଙ୍ଗକୁ ୩୦ ଲକ୍ଷ ନିଯୁକ୍ତି । ମାତ୍ର ସରକାରଙ୍କର ଏ ଗୋଲାପି ସ୍ୱପ୍ନ ପୂରଣ ପାଇଁ ଯେତିକି ପ୍ରତିବଦ୍ଧତା ଆବଶ୍ୟକ ତାହା ନାହିଁ । ମୁଖ୍ୟମନ୍ତ୍ରୀ ‘ଭିଜନ -୨୫’ କୁ କାର୍ଯ୍ୟକାରୀ କରିବା ପାଇଁ ସର୍ବାଧିକ ଗୁରୁତ୍ୱ ଦେଉଥିଲା ବେଳେ ଅମଲାତାନ୍ତ୍ରିକ ଆନ୍ତରିକତା ଅଭାବରୁ ଏମ୍‌ଏସ୍‌ଏମ୍‌ଇ ଅଗ୍ରଗତି ମାଡ଼ ଖାଇବାକୁ ବସିଛି । ରାଜ୍ୟରେ ଅଧିକରୁ ଅଧିକ ଆତ୍ମନିଯୁକ୍ତି ସହ ଷ୍ଟାର୍ଟଅପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସୂକ୍ଷ୍ମ , ଲଘୁ ଓ ମଧ୍ୟମ ଉଦ୍ୟୋଗର ରହିଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା । ମାତ୍ର ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟ ଭୂମିକା ଥିବା ଶିଳ୍ପ ସଂପ୍ରସାରଣ ଅଧିକାରୀ ପଦବି ଖାଲି ପଡ଼ିଛି । ବ୍ୟାଙ୍କଗୁଡ଼ିକ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସହ ଆତ୍ମନିଯୁକ୍ତି ଋଣ ଦେବାକୁ ପୂରାକୁ ପୂରା କୁନ୍ଥକୁନ୍ଥ । ଏମିତିରେ ସରକାର କେମିତି ୩୦ ଲକ୍ଷଙ୍କୁ ନିଯୁକ୍ତି ଦେବେ ତାହା ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି ।

ସଂପ୍ରତି ରାଜ୍ୟରେ ବେକାରୀ ସମସ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ବେକାରଙ୍କୁ ସରକାରୀ ନିଯୁକ୍ତି ସହ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ ସମୁଦ୍ରକୁ ଶଙ୍ଖେ । ସରକାର ଶିଳ୍ପକୁ ଫୋକସ୍‌ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ହାର ବଢ଼ାଇବେ ବୋଲି ନୀତିଗତ ନିଷ୍ପତ୍ତି ନେଲେ । ଏପରିକି ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଅନୁମାନ ଲଗାଇ ନକସା ପ୍ରସ୍ତୁତ ହେଲା । ମାତ୍ର ଏହା କାର୍ଯ୍ୟକାରୀ କରିବ କିଏ? ସ୍ୱତନ୍ତ୍ର ଭାବେ ସରକାର ଏମ୍‌ଏସ୍‌ଏମ୍‌ଇ ନୀତି ଆଣିଲେ । ମାତ୍ର ଏହି ଶିଳ୍ପ କାର୍ଯ୍ୟକାରୀ କରିବାକୁ ତୃଣମୂଳସ୍ତରରେ ବହୁ ସଂଖ୍ୟାରେ ପଦବି ଖାଲି ପଡ଼ିଛି । ରାଜ୍ୟରେ ୩୨୧ ମଞ୍ଜୁରୀପ୍ରାପ୍ତ ଶିଳ୍ପ ସଂପ୍ରସାରଣ ଅଧିକାରୀ ପଦବିରୁ ୮୨ଟି ଏଯାଏ ଖାଲି ପଡ଼ିଛି । ଏ ପଦବି ପୂରଣ ଦିନ ଗଡ଼ି ଗଡ଼ି ଚାଲିଛି । ଜିଲ୍ଲା ଶିଳ୍ପ କେନ୍ଦ୍ରଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟାରେ ପଦବି ଫାଙ୍କା ରହିଛି । ତେଣୁ ଉଦ୍ୟୋଗ ସ୍ଥାପନ କରିବାକୁ ଇଛୁକ ଯୁବକ ଯୁବତୀମାନେ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ।

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ପରିସଂଖ୍ୟାନ କହୁଛି, ମୁଦ୍ର ହେଉ ଅବା ପିଏମ୍‌ଇଜିପି ଯେତିକି ଟାର୍ଗେଟ୍‌ ରହୁଛି ବ୍ୟାଙ୍କଗୁଡ଼ିକ ସେତିକି ପରିମାଣର ଋଣ ମଞ୍ଜୁର କରୁନାହାନ୍ତି । ଏପରିକି ଯେତିକି ଋଣ ବ୍ୟାଙ୍କଗୁଡ଼ିକ ମଞ୍ଜୁର କରୁଛନ୍ତି ସେତିକି ମଧ୍ୟ ବଣ୍ଟନ କରୁନାହାନ୍ତି । ଗତ ଆର୍ଥିକ ବର୍ଷରେ ମୁଦ୍ର ଯୋଜନାରେ ୯୬୭୪.୩୩ କୋଟି ଟଙ୍କାର ଋଣ ବଣ୍ଟନ ପାଇଁ ମଞ୍ଜୁରୀ ଦେଇଥିଲେ ବ୍ୟାଙ୍କ । ମାତ୍ର ଧାର୍ଯ୍ୟ ସମୟ ସୁଦ୍ଧା ୮୦୪୦.୬୫ କୋଟି ଟଙ୍କା ପ୍ରଦାନ କରିନଥିଲେ । ସେହିଭଳି ପିଏମ୍‌ଇଜିି ଯୋଜନାରେ ୩୦୮୮ଟି ପ୍ରୋଜେକ୍ଟକୁ ୭୭୧୯.୧୯ ଳକ୍ଷ ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହେଲା । ମାତ୍ର ଠିକଣା ବେଳକୁ ୧୮୩୩ ପ୍ରକଳ୍ପ (୫୯%)କୁ ମାତ୍ର ୪୬୧୦.୬୫ ଲକ୍ଷ (୫୯%) ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଛନ୍ତି । ଏଇଥିରୁ ରାଜ୍ୟରେ ଆତ୍ମନିଯୁକ୍ତି ବ୍ୟବସ୍ଥା ଜଳଜଳ ।

ରାଜ୍ୟରେ କ୍ରମାଗତ ବିଜେଡି ସରକାର ୫ ପାଳି କ୍ଷମତାରେ ରହିଲାଣି । ରାଜ୍ୟ ରାଜକୋଷରେ ମଧ୍ୟ ପାଣ୍ଠିର ଅଭାବ ନାହିଁ । ମାତ୍ର ଶିକ୍ଷିତ ଯୁବକ ଯୁବତୀଙ୍କ ଅଭିଯୋଗ ସରକାର ସେମାନଙ୍କୁ କର୍ମନିଯୁକ୍ତି ଦେବାକୁ ସରକାର ଯଥେଷ୍ଟ ଆନ୍ତରିକତା ଦେଖାଉନାହାନ୍ତି । ସରକାରୀ ପରିସଂଖାନ ଅନୁସାରେ, ୫ ଲକ୍ଷ ୮୩ ହଜାର ମଞ୍ଜରୀପ୍ରାପ୍ତ ପଦବିରୁ ୧ ଲକ୍ଷ ୩୧ ହଜାର ୫୧୮ ପଦବି ଖାଲି ପଡ଼ିଛି ।

ରାଜ୍ୟ ସରକାର ‘ମେକ୍‌ ଇନ ଓଡ଼ିଶା’ ଜରିଆରେ ଅଧିକ ନିବେଶ ସହ ନିଯୁକ୍ତିକୁ ଫୋକସ୍‌ କରୁଛନ୍ତି ବୋଲି କହୁଛନ୍ତି । ମାତ୍ର ଏହା ବାସ୍ତବ କ୍ଷେତ୍ରରେ ପ୍ରତିଫଳନ ହେଉନି । ମେକ ଇନ ଓଡ଼ିଶାର ଦୁଇଟି ସଂସ୍କରଣ ପରେ ଗତ ୨୦ ମାସ ମଧ୍ୟରେ ୧୨୦ ଶିଳ୍ପ ୟୁନିଟ ସଂପ୍ରସାରିତ ଏବଂ ଶିଳାନ୍ୟାସ ହୋଇଛି । ଏ ଶିଳ୍ପଗୁଡ଼ିକରେ ୯୨ ହଜାର ୬୮୬ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିଲା ବେଳେ ୧ ଲକ୍ଷ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ସରକାର ଦାବି କରୁଛନ୍ତି । ମାତ୍ର ବେକାରଙ୍କ ଅଭିଯୋଗ ଏ ନିଯୁକ୍ତିରେ ସିଂହଭାଗ ବାହାର ରାଜ୍ୟ ପିଲାଙ୍କର । ଆଗକୁ ବି ଯେଉଁ ସବୁ ଶିଳ୍ପ କାର୍ଯ୍ୟକ୍ଷମ ହେବେ ସେଥିରେ ବାହାର ପିଲା ଅଧିକ ସୁଯୋଗ ପାଇବେ । ସରକାରୀ ସୂଚନା କହୁଛି, ରାଜ୍ୟରେ ୧୭ ଶିଳ୍ପ ବନ୍ଦ କାରଣରୁ ଗତ ୮ ବର୍ଷ ମଧ୍ୟରେ ୯୩୯୦ ଲୋକ ଚାକିରି ହରାଇଛନ୍ତି । ଏହି ଦିଗକୁ ସରକାରୀ କଳ ଯେତିକି ଧ୍ୟାନ ଦେବାକ କଥା ଦେଉନାହିଁ । ତେଣୁ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୂପ ନେଉଛି । ବେଳ ଥାଉ ଥାଉ ସରକାର ବାଟ ବାହାର କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

   ସମ୍ବନ୍ଧିତ ଖବର


ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ