ଅରୁଣାଚଳ ଓ ତାଇୱାନ ସ୍ଥାନ ପାଇନଥିବାରୁ ୩୦ ହଜାର ମାନଚିତ୍ର ନଷ୍ଟ କଲା ଚୀନ

ବେଜିଂ,୨୬ ।୩(ଏଜେନ୍ସି): ଅରୁଣାଚଳ ପ୍ରଦେଶ ଓ ତାଇୱାନ ନିଜ ଦେଶର ଅଂଶବିଶେଷ ଭାବେ ସ୍ଥାନ ପାଇନଥିବାରୁ ଚୀନ୍ରେ ଛପାଯାଇଥିବା ପ୍ରାୟ ୩୦ ହଜାର ବିଶ୍ୱ ମାନଚିତ୍ରକୁ ନଷ୍ଟ କରିଦିଆଯାଇଛି । ଏହି ମାନଚିତ୍ରକୁ କୌଣସି ଦେଶକୁ ପଠାଯିବାର ବ୍ୟବସ୍ଥା ହୋଇଥିଲା । ଚୀନ୍ର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉକ୍ତ ମାନଚିତ୍ରରେ ତାଇୱାନକୁ ପୃଥକ ଦେଶ ଭାବେ ଦର୍ଶାଯାଇଥିଲା । ସେହିଭଳି ଭାରତ-ଚୀନ୍ ସୀମାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିଲା । ଯାହାଫଳରେ ଗତ ସପ୍ତାହରେ ଉତ୍ତର ପୂର୍ବାଞ୍ଚଳ ସହର କିଙ୍ଗଦାଓ ଠାରେ ସୀମା ଶୁଳ୍କ ବିଭାଗ ପକ୍ଷରୁ ତାକୁ ନଷ୍ଟ କରିଦିଆଯାଇଛି । ଦେଶର ଭୂଖଣ୍ଡର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଆନହୁଇ ପ୍ରଦେଶରେ ଇଂରାଜୀ ଭାଷାରେ ଏହି ମାନଚିତ୍ର ଛପାଯାଇଥିଲା । ତେବେ ଏହି ବିବାଦୀୟ ମାନଚିତ୍ର ଛପା ସମ୍ପର୍କରେ ଖବର ମିଳିବା ପରେ ସୀମାଶୁଳ୍କ ଅଧିକାରୀମାନେ ଉକ୍ତ କମ୍ପାନିର କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲେ । ସେଠାରେ ୮୦୦ ପ୍ୟାକେଟରେ ରଖାଯାଇଥିବା ୨୮ ହଜାର ୯୦୮ ଖଣ୍ଡ ମାନଚିତ୍ରକୁ ଜବତ କରିଥିଲେ । ପରେ ସେଗୁଡିକୁ ନଷ୍ଟ କରିଦିଆଯାଇଛି ।
ପୂର୍ବରୁ ମଧ୍ୟ ଘରୋଇ ବଜାରରେ ସୀମାଶୁଳ୍କ ଅଧିକାରୀମାନେ ପ୍ରାୟ ୧୦୦ ଥର ଚଢ଼ାଉ କରି ବିକ୍ରି ହେଉଥିବା ତ୍ରୁଟିପୂର୍ଣ୍ଣ ମାନଚିତ୍ରକୁ ଜବତ କରିବା ସହିତ ତାକୁ ନଷ୍ଟ କରିଦେଇଛନ୍ତି । ଅରୁଣାଚଳ ପ୍ରଦେଶକୁ ଚୀନ୍ ଦକ୍ଷିଣ ତିକ୍ରତ ବୋଲି ଦାବି କରିବା ସହ ତାହାର ସରକାରୀ ମାନଚିତ୍ରରେ ଏହାକୁ ସ୍ଥାନିତ କରିଛି । ସେଥିପାଇଁ ଅରୁଣାଚଳ ପ୍ରଦେଶକୁ ଭାରତୀୟ ରାଜନେତାଙ୍କ ଗସ୍ତ ଉପରେ ଆପତ୍ତି ଉଠାଇଆସିଛି । ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଚୀନ୍ ବିରୋଧ କରିଥିଲା । ଅପରପକ୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଅରୁଣାଚଳ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ଦର୍ଶାଇବା ସହିତ ସେଠାକୁ ରାଜନେତାଙ୍କ ଗସ୍ତ ଜାରି ରହିବ ବୋଲି କହିଛି । ଦୁଇ ଦେଶ ମଧ୍ୟରେ ରହିଥିବା ୩,୪୮୮ କି.ମି. ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)କୁ ନେଇ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍ ୨୧ ପର୍ଯ୍ୟାୟରେ କଥାବାର୍ତ୍ତା କରିଥିଲେ ମଧ୍ୟ ସମାଧାନ ବାଟ ବାହାରି ପାରିନାହିଁ । ସେହିଭଳି ଚୀନ୍ ମଧ୍ୟ ବିବାଦୀୟ ଦ୍ୱୀପ ରାଷ୍ଟ୍ର ତାଇୱାନକୁ ନିଜର ବୋଲି ଦାବି କରିଆସୁଛି । କିନ୍ତୁ ଗତବର୍ଷ ଜୁଲାଇରେ ଏୟାର ଇଣ୍ଡିଆ ପକ୍ଷରୁ ତାଇୱାନକୁ ସ୍ୱତନ୍ତ୍ର ରାଷ୍ଟ୍ର ଚାଇନିଜ ତାଇପେଇ ଭାବେ ଦର୍ଶାଯାଇଥିଲା । ଏହା ପରେ ୪୦ଟି ଇଣ୍ଟରନ୍ୟାସନାଲ ଏୟାର ଲାଇନ୍ସ ସଂସ୍ଥା ମଧ୍ୟ ତାଇୱାନକୁ ଚାଇନିଜ ତାଇପେଇ ଭାବେ ବର୍ଣ୍ଣନା କରିଆସିଛନ୍ତି ।