ଏଣିକି ଦୂର ହେବ ଇ-ବାହନ ମାଲିକଙ୍କ ଚିନ୍ତା, ଚଳିତ ବର୍ଷ ଏହି ୫ ସହରରେ ଲାଗିବ ୩୦୦ ଚାର୍ଜିଂ ଷ୍ଟେସନ୍

ନୁଆଦିଲ୍ଲୀ ୧୭/୨: ଇଲେକ୍ଟ୍ରିକ୍ ବାହନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଇଲେକ୍ଟ୍ରିକ୍ କାରର ପ୍ରସ୍ତୁତିକୁ ନେଇ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଏବଂ ମୁଖ୍ୟ ସନ୍ଦେହ ରହିଛି ଏହାର ଚାର୍ଜିଂକୁ ନେଇ । ଏଭଳି ସ୍ଥିତିରେ ସରକାରଙ୍କ ଚେଷ୍ଟାରେ ଅଟୋମୋବାଇଲ୍ କମ୍ପାନୀମାନେ ମଧ୍ୟ ନିଜ ଯୋଗଦାନ କରୁଛନ୍ତି ।

Tata Power(ଟାଟା ପାୱର)ର ମୁଖ୍ୟ ଏଗଜୁକ୍ୟୁଟିଭ୍ ଅଧିକାରୀ ଓ ପ୍ରବନ୍ଧ ନିର୍ଦ୍ଦେଶକ ପ୍ରବୀର ସିହ୍ନା କହିଛନ୍ତି କି ଆମ ଇଲେକ୍ଟ୍ରିକ୍ ବାହନ ପାଇଁ ଚାର୍ଜିଂ ଷ୍ଟେସନର ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ଚାଲିଛି । ଏହି ଯୋଜନା ଅନୁସାରେ ଆଗାମୀ ବର୍ଷ ଏମିତି ଷ୍ଟେସନର ସଂଖ୍ୟା ୭୦୦ ହୋଇଯିବ ।

କମ୍ପାନୀ ପୂର୍ବରୁ ହିଁ ତୀବ୍ର ବେଗରେ ଚାର୍ଜ କରୁଥିବା ୧୦୦ ଷ୍ଟେସନ୍ ସ୍ଥାପନ କରିସାରିଛି । ଏହି ଷ୍ଟେସନ୍ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ ଓ ହାଇଦ୍ରାବାଦ ସହରରେ ସ୍ଥାପନ କରାଯାଇଛି  । କମ୍ପାନୀ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହାର ସଂଖ୍ୟା ୩୦୦ ପହଞ୍ଚାଇବା ପାଇଁ ଯୋଜନା ରଖିଛି । ସିହ୍ନା କହିଛନ୍ତି, ‘ଆମେ ସେହି ସ୍ଥାନକୁ ଦେଖୁଛୁ ଯେଉଁଠି ଇଲେକ୍ଟ୍ରିକ୍ ବାହନ ମାର୍କେଟକୁ ଅଣାଯାଇଛି ଏବଂ ଆମେ ସେହି ସହରରେ ଚାର୍ଜିଂ ଷ୍ଟେସନ୍ ଲଗାଉଛୁ । ଆମ ଉଦ୍ଦେଶ୍ୟ ଆଗାମୀ ବର୍ଷ ପର୍ଯ୍ୟନ୍ତ ଏହି ସଂଖ୍ୟାକୁ ବୃଦ୍ଧି କରି ୭୦୦ ରେ ପହଞ୍ଚାଇବା ।’

ସରକାର ଇଲେକ୍ଟ୍ରିକ୍ ବାହନ ପାଇଁ ମାଲ୍ ଏବଂ ସେବା କର ଦର ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଇଲେକ୍ଟ୍ରିକ୍ ବାହନର ଦାମ୍ କମ୍ ହେବ ଏବଂ କିଣିବା ପାଇଁ ଗ୍ରାହକ ଆଗ୍ରହୀ ହେବେ । ସିହ୍ନା କହିଛନ୍ତି, ‘ଆମେ ସାର୍ବଜନିକ ସ୍ଥାନ ସହିତ ଘରେ ମଧ୍ୟ ଚାର୍ଜିଂର ସୁବିଧା ପାଇଁ ଢାଞ୍ଚା ପ୍ରସ୍ତୁତ କରୁଛୁ । ସାର୍ବଜନିକ ସ୍ଥାନରେ ମେଟ୍ରୋ ଷ୍ଟେସନ୍, ସପିଂ ମଲ୍, ସିନେମାଘର ଓ ରାଜମାର୍ଗ ସାମିଲ ।’

କମ୍ପାନୀ ଇଲେକ୍ଟ୍ରିକ୍ ବାହନ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ମେଟ୍ରୋ ରେଳ ପ୍ରାଧିକରଣ ଓ ନଗର ନିଗମ ସହିତ ଆଲୋଚନା କରୁଛି । ଏହା ବ୍ୟତୀତ ସେ ଇଣ୍ଡିଅନ୍ ହୋଟେଲ, ଟାଇଟନ୍ ୱାଚ୍ ଶୋରୁମ୍, ୱେବସାଇଟ୍ ଓ କ୍ରୋମା ଭଳି ଟାଟା ସମୂହର ଦୋକାନରେ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବ । ଟାଟା ପାୱର ଏଚପିସିଏଲ୍, ଆଇଓସିଏଲ୍ ଓ ଆଇଜିଏସର ଖୁଚୁରା ବିକ୍ରି କେନ୍ଦ୍ରରେ ବାଣିଜ୍ୟିକ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ପାଇଁ ଚୁକ୍ତି କରିଛି । କମ୍ପାନୀ ମୁମ୍ବାଇରେ ୩୦ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିଛି ଏବଂ ଆଗାମୀ ବର୍ଷ ଏହାର ସଂଖ୍‌ୟା ବଢାଇ ୨୦୦ କରିବା ଲକ୍ଷ୍ୟ ରଖିଛି କମ୍ପାନୀ ।