ଏହି ମହିଳାଙ୍କର ୩୦୦ ଟଙ୍କାରୁ ୭ କୋଟିର ଦୀର୍ଘ ଯାତ୍ରା

ପ୍ରତିଦିନ ଘରେ ଝଗଡ଼ା ହେଉଥିଲା । ଅଶାନ୍ତି ଲାଗି ରହୁଥିଲା । ପ୍ରତିଦିନର ଏହି ପାରିବାରିକ ଅଶାନ୍ତି ପସନ୍ଦ କରୁନଥିଲା ୧୫ ବର୍ଷର କିଶୋରୀଟିଏ । ରାଗରେ ଘରୁ ବାହାରି ଆସିଥିଲା । ଉଦ୍ଦେଶ୍ୟ ଥିଲା ଟିକିଏ ଶାନ୍ତିରେ ବଞ୍ଚିବା । ହାତରେ ଥିଲା ମାତ୍ର ୩୦୦ ଟଙ୍କା । ତେବେ ଘର ଛାଡ଼ିବାର ସାହସ କିଏ ଯୋଗାଇଥିଲା? ଏହି ଉତ୍ତର ଆଜି ବି ତାଙ୍କୁ ମାଲୁମ ନାହିଁ । ଅଜଣା ସାହସ ଓ ଅଦମ୍ୟ ଜିଦ୍‌ ବଳରେ ମାତ୍ର ୩୦୦ ଟଙ୍କାକୁ ସେ ୭ କୋଟି ଟଙ୍କାରେ ପରିଣତ କରିପାରିଛନ୍ତି ।

 ନିଜର ଜୁଏଲାରୀ ବ୍ୟବସାୟରେ ଆଜି ସେ ୭ କୋଟି ଟଙ୍କାର ମାଲିକାଣୀ । ସେ ହେଉଛନ୍ତି ଚିନୁ କାଲା । ରୁବାନ୍ସ ଆକ୍ସେସୋରିଜ୍‌ର ପ୍ରତିଷ୍ଠାତା । ୧୯୮୧ ମସିହା ଅକ୍ଟୋବର ୩୦ରେ ରାଜସ୍ଥାନରେ ଚିନୁଙ୍କର ଜନ୍ମ । ପାରମ୍ପରିକ ଶିକ୍ଷା କୌଣସି ଦିନ ପାଇନହାନ୍ତି । ଜୀବନର କଠିନ ବାସ୍ତବ ହିଁ ତାଙ୍କୁ ଅନେକ ଶିକ୍ଷା ଦେଇଛି । ୧୫ ବର୍ଷର ସେହି ଅସହାୟ କିଶୋରୀରୁ ଚିନୁ କାଲା ହୋଇ ଉଠିବାର ଯାତ୍ରା ସହଜ ନଥିଲା । ଘର ଛାଡ଼ିବାର ପ୍ରଥମ ଦୁଇଦିନ ଡରି ଡରି କଟାଇଥିଲେ ଚିନୁ । ତୃତୀୟ ଦିନ ତାଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସାହାରାଟିଏ ମିଳି ଯାଇଥିଲା । ପ୍ରତି ଦିନ ୨୦ ଟଙ୍କା ବିନିମୟରେ ଗୋଟିଏ ଡର୍ମିଟୋରିରେ ସେ ନିଜ ପାଇଁ ରହିବାର ବ୍ୟବସ୍ଥା କରି ପାରିଥିଲେ । ଏହା ମଧ୍ୟରେ ଘର ଘର ବୁଲି ଛୁରୀ, ଚାମଚ ଆଦି ବିକ୍ରି କରିବାର ଛୋଟିଆ ଚାକିରିଟିଏ ଜୁଟାଇ ନେଇଥିଲେ । ଦିନ ସାରା ବୁଲି ବୁଲି ମାତ୍ର ୨୦ରୁ ୬୦ଟଙ୍କା ମଧ୍ୟରେ ରୋଜଗାର ହେଉଥିଲା । କେଉଁ ଦିନ ରାତିରେ ଖାଇବା ବି ଜୁଟୁନଥିଲା । କିନ୍ତୁ ଏହାରି ମଧ୍ୟରେ ଚିନୁ ନିଜକୁ ଏତେ ଦକ୍ଷ କରିପାରିଥିଲେ ଯେ ସେହି କମ୍ପାନି ତାଙ୍କୁ ସୁପରଭାଇଜର୍‌ ପଦବୀରେ ନିଯୁକ୍ତି ଦେଇଥିଲା । ଏହା ଥିଲା ଆରମ୍ଭ ।

ଅଧିକ ରୋଜଗାର ଉଦ୍ଦେଶ୍ୟରେ ଚିନୁ ଏକ ରେସ୍ତୋରାଁରେ ୱେଟ୍ରେସ୍‌ ଭାବେ ମଧ୍ୟ କାମ କରିଥିଲେ । ୨୦୦୪ ମସିହାରେ ବେଙ୍ଗାଲୁରୁର ବାସିନ୍ଦା ଅମିତ କାଲାଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ୨୦୦୮ ମସିହାରେ ହିଁ ଚିନୁଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା । ସାଙ୍ଗସାଥୀଙ୍କ କଥାରେ ପଡ଼ି ସେ ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ଇଂରାଜୀ ଠିକ୍‌ ଭାବରେ କହି ପାରିନଥିଲେ ବୋଲି ଶେଷ ମୁହୂର୍ତ୍ତରେ ସେ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିଲେ । କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟ ଜଣେ ଫଟୋଗ୍ରାଫର୍‌ଙ୍କ ଦୃଷ୍ଟିରେ ପଡ଼ିଥିଲା । ସେହି ଫଟୋଗ୍ରାଫର ତାଙ୍କୁ ମଡେଲିଂର ଅଫର୍‌ ଦେଇଥିଲେ । ମଡେଲିଂରୁ ମିଳିଥିବା ଅର୍ଥରେ ଚିନୁ ଭାବିଥିଲେ ନିଜର କିଛି ବ୍ୟବସାୟ ଆରମ୍ଭ କରିବେ । କିନ୍ତୁ କ’ଣ କରିବେ ଭାବି ପାରିନଥିଲେ । ତାଙ୍କ ପାଖରେ ଏତେ ଅର୍ଥ ବି ନଥିଲା ଯେ ବଡ଼ ଧରଣର କ’ଣ ଆରମ୍ଭ କରିବେ । ସେ ଅଳଙ୍କାର ପ୍ରିୟ ଥିବାରୁ ଅନେକ ସମୟରେ ସ୍ୱଳ୍ପ ମୂଲ୍ୟର ଆର୍ଟିଫିଶିଆଲ୍‌ ଜୁଏଲାରୀ କିଣୁଥିଲେ । ସେହି ଜୁଏଲାରୀ ହିଁ ଅନଲାଇନ୍‌ ଜରିଆରେ ବିକ୍ରି କରିବେ ବୋଲି ନିଷ୍ପତ୍ତି ନେଇଥିଲେ ଚିନୁ । ବାସ୍‌ ୨୦୧୪ ମସିହାରେ ଆରମ୍ଭ କରିଥିଲେ ରୁବାନ୍ସ ବ୍ରାଣ୍ଡ । ଅନଲାଇନ୍‌ ସହିତ ବେଙ୍ଗାଲୁରୁର ଫୋରମ୍‌ ମଲ୍‌ରେ ଏବେ ଚିନୁଙ୍କର ଏକ ବିଶାଳ ଆଉଟଲେଟ୍‌ ରହିଛି । ଆଗାମୀ ଦିନରେ ଅନ୍ୟ ମେଟ୍ରୋ ସହରରେ ତାଙ୍କ ଆଉଟଲେଟ୍‌ ଖୋଲିବାର ଯୋଜନା ରଖିଛନ୍ତି ଚିନୁ । ୩୦୦ଟଙ୍କାରେ ନୂଆ କରି ଜୀବନ ଆରମ୍ଭ କରିବାର ସ୍ୱପ୍ନ ଦେଖିଥିବା ଚିନୁଙ୍କ କମ୍ପାନିର ବାର୍ଷିକ ଟର୍ନଓଭର୍‌ ଏବେ ୭ କୋଟି ଟଙ୍କାରୁ ଅଧିକ । ସ୍ୱପ୍ନ ଦେଖିବା ଓ ଜୀବନକୁ ଭଲପାଇବା ହେଉଛି ସଫଳତାର ମୂଳମନ୍ତ୍ର ବୋଲି ଚିନୁ କୁହନ୍ତି । ସେ ଏକଥା ବି କୁହନ୍ତି ଯଦି ସେ ଘରୁ ଆସିବା ପରେ କ’ଣ କରିବେ, କୁଆଡେ ଯିବେ ଭାବି ଭୟଭୀତ ହୋଇ ପଡ଼ିଥାଆନ୍ତେ ହୁଏତ ଆଜି ରୁବାନ୍ସ ଆକ୍ସେସରିଜ୍‌ ସୃଷ୍ଟି ହୋଇପାରି ନଥାନ୍ତା ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ