ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ଭଙ୍ଗା ସ୍କୁଟର୍, ଲକେଟ୍ ଥିଲା ବଳିଷ୍ଠ ପ୍ରମାଣ: ତତ୍କାଳୀନ କ୍ରାଇମ୍ବ୍ରାଞ୍ଚ୍ ଆଇଓ ଜୟଶ୍ରୀ କୁଣ୍ଡୁ

କଟକ,୨୩/୦୨: ଚାକିରି ଜୀବନରେ ଅନେକ ଦୁଷ୍କର୍ମ ମାମଲାର ତଦନ୍ତ କରିଛି । ହେଲେ ଅଞ୍ଜନା ମିଶ୍ରଙ୍କ ଗଣଦୁଷ୍କର୍ମ ମାମଲା ନିଆରା ଥିଲା । ଆରମ୍ଭରୁ ମାମଲାର ତଦନ୍ତ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା । ୧୯୯୯ ମସିହାରେ ମହିଳା ଥାନାରୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେବା ପରେ ତଦନ୍ତକାରୀ ଅଧିକାରୀ ଭାବେ ତତ୍କାଳୀନ ଆଇଜି ଆଇ.ଜେ. ଯାଚକ ମୋତେ ଦାୟିତ୍ୱ ଦେଇଥିଲେ । ଦୁଷ୍କର୍ମ ସମୟରେ ବ୍ୟବହାର ହୋଇଥିବା ସ୍କୁଟର ସମ୍ପର୍କରେ ପୀଡ଼ିତାଙ୍କଠାରୁ ଖବର ପାଇଥିଲି । ପୁରୁଣା ସ୍କୁଟର ସମ୍ପର୍କରେ ଖୋଜଖବର ନେବା ସମୟରେ ବାରଙ୍ଗ ଅଞ୍ଚଳରେ ଘଟଣାଦିନ ପଇଁତରା ମାରୁଥିବା ପୁଲିସ୍ଠାରୁ ଗାଡ଼ି ନମ୍ବର ସମ୍ପର୍କରେ ସୁରାକ୍ ପାଇଥିଲୁ । ଏଥିପାଇଁ ତତ୍କାଳୀନ ଆରଟିଓ ସାରଦା ପାତ୍ର ବହୁ ସାହାଯ୍ୟ କରିଥିଲେ । ଆରଟିଓ ଗାଡ଼ିର ମାଲିକାନା ବାହାର କରି ଦେବା ପରେ ଠିକଣା ସ୍ଥାନରେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ୍ ପହଞ୍ଚିଥିଲା ।
ଉଲ୍ଲେଖ ଯୋଗ୍ୟ ଯେ, ଜାନୁଆରୀ ୯ ତାରିଖ ତଥା ଦୁଷ୍କର୍ମ ଘଟଣା ଘଟିବା ଦିନ ସ୍କୁଟର ମାଲିକଙ୍କଠାରୁ କେଉଁମାନେ ଗାଡ଼ି ନେଇଥିଲେ ତାହା ଜଣାପଡ଼ିଯିବା ପରେ ଆମେ ଦୁଷ୍କର୍ମକାରୀଙ୍କ ବାବଦରେ ତଥ୍ୟ ସୂଚନା ପାଇଯାଇଥିଲୁ । ମାତ୍ର ସେ ସମୟରେ ପଥର ଖାଦାନରେ କାମ କରୁଥିବା ପଦିଆ, ଟୁନିଆ ଆଦି କାମଧନ୍ଦା ଛାଡ଼ି ବାହାରେ ଲୁଚି ରହିବାରୁ ସେମାନଙ୍କୁ ଗିରଫ କରିବା ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ କମ୍ ଦିନ ମଧ୍ୟରେ ଗିରଫ କରିବାରେ ସକ୍ଷମ ହୋଇଥିଲୁ । ପଦିଆ ଓ ଟୁନିଆ ଜେରା କରିବା ସମୟରେ ଅନେକ ତଥ୍ୟ ପ୍ରମାଣ ସେମାନଙ୍କଠୁ ଯୋଗାଡ଼ କରିଥିଲୁ । ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଧରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲୁ । ଗିରଫ ହୋଇଥିବା ଅଭିଯୁକ୍ତ ପଦିଆ ଓ ଟୁନିଆକୁ ଜେରା କରିବା ସମୟରେ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କଠୁ ଲୁଟ୍ପାଟ କରିଥିବା ସୁନା ହାର, ସୁନା ମୁଦି, ସୁନା ଲକେଟ୍ ଏବଂ ଅନ୍ୟାନ୍ୟ ସୁନା ଅଳଙ୍କାର ଯାଜପୁର ଅଞ୍ଚଳରେ ବିକ୍ରି କରିଥିବା ସ୍ୱୀକାର କରିଥିଲେ ।
ସୂଚନାକୁ ଆଧାର କରି ଯାଜପୁର ଅଞ୍ଚଳ ଯାଇ ଉକ୍ତ ଅଳଙ୍କାର ଦୋକାନରୁ ସୁନାଗହଣା ଜବତ କରିଥିଲୁ । ଟିଆଇ ପରେଡ୍ରେ ଅଭିଯୁକ୍ତମାନଙ୍କୁ ଅଳଙ୍କାର ବ୍ୟବସାୟୀ ଚିହ୍ନିବା ପରେ ଏହା ଅଭିଯୁକ୍ତମାନଙ୍କ ବିରୋଧରେ ଏକ ବଳିଷ୍ଠ ପ୍ରମାଣ ହୋଇଥିଲା । ହାଇପ୍ରୋଫାଇଲ୍ ମାମଲା ସାଙ୍ଗକୁ ଘଟଣାକୁ ନେଇ ରାଜନୈତିକ ବୟାନବାଜି ଏବଂ ରାଜନୈତିକ ଇସ୍ୟୁ ଚାଲିଥିବାରୁ ତତ୍କାଳୀନ ଆଇଜି ଶ୍ରୀ ଯାଚକ ପ୍ରତ୍ୟକ୍ଷଭାବେ ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରୁଥିଲେ । ମୁଁ ଇନ୍ସପେକ୍ଟର ଥିବା ସମୟରେ ମାମଲାର ତଦନ୍ତ କରୁଥିବାରୁ ସାକ୍ଷ୍ୟ, ପ୍ରମାଣ ଯୋଗାଡ଼ କରିବା ପ୍ରତିଟି କାର୍ଯ୍ୟ ମୋ ପାଇଁ ଏବଂ ଅନ୍ୟ ସହକର୍ମୀ ତତ୍କାଳୀନ ଇନ୍ସପେକ୍ଟର ୟୁ.ଏନ୍. ସାହୁ ଓ ମଧୁସୂଦନ ପଣ୍ଡାଙ୍କ ପାଇଁ ମଧ୍ୟ ବହୁ ଚ୍ୟାଲେଞ୍ଜ୍ ଥିଲା ।
ଏମିତିକି ଦୁଷ୍କର୍ମ ଘଟଣା ଷଡ଼ଯନ୍ତ୍ରରେ ପୀଡ଼ିତା ନିଜ ବୟାନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଇନ୍ଦ୍ରଜିତ୍ ରାୟଙ୍କ ନାଁ କହିଥିଲେ । ସେ ଦୃଷ୍ଟିରୁ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ମୁଁ ତଦନ୍ତକାରୀ ଅଫିସର ଭାବେ ତାଙ୍କୁ ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରାଇଥିଲି । ସେହିପରି ଆଡଭୋକେଟ୍ ଜେନେରାଲ୍ ଶ୍ରୀ ରାୟଙ୍କୁ ମଧ୍ୟ ସେ ସମୟରେ ଜେରା କରିବାକୁ ପଡିଥିଲା ।