ଆମ୍ଫାନ‌ ସହାୟତା କରିବାକୁ ଯାଇଥିଲେ, ଆସି କ୍ୱାରେଣ୍ଟାଇନ୍‌ରେ ରହିବେ: କୋଲକାତା ଫେରନ୍ତା ୩୭୦ ଅଗ୍ନିଶମ କର୍ମଚାରୀଙ୍କୁ ସଂଘରୋଧ ନିୟମ ଲାଗୁ

କଟକ,୫/୦୬: ଆମ୍ଫାନ‌ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର କୋଲକାତା ଓ ହାୱାଡା ମହାନଗରୀରୁ ଉଦ୍ଧାର କାମ ସାରି ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଆଜି ଓଡ଼ିଶାରେ ପହଞ୍ଚିବେ । ରାଜ୍ୟରୁ ବାହାରୁ ଫେରିଥିବାରୁ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ନିୟମାବଳୀ ଅନୁସାରେ କୋଲକାତାରେ ପୁନରୁଦ୍ଧାର କାମରେ ସାମିଲ ଥିବା ୩୭୦ ଜଣ କର୍ମଚାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବେ ।

ଏଥିଲାଗି ଭୁବନେଶ୍ୱରର କୃପାଜଳ ଇଞ୍ଜିନିୟରିଂ କଲେଜ ଏବଂ ଗୋଠପାଟଣାରେ ଥିବା ରାଜସ୍ୱ ଅଫିସରଙ୍କ ଟ୍ରେନିଂ ସେଣ୍ଟରକୁ ସଂଗରୋଧ କେନ୍ଦ୍ର (କ୍ୱାରେଣ୍ଟାଇନ୍‌ ସେଣ୍ଟର) ଭାବେ ପ୍ରସ୍ତୁତ କରାଯାଇଛି । କୃପାଜଳ ଇଞ୍ଜିନୟରିଂ କଲେଜରେ ଫାୟାର ମ୍ୟାନ୍‌, ହାବିଲଦାର, ଡ୍ରାଇଭର ମିଶି ୩୨୦ କର୍ମଚାରୀ ରହିବେ । ସେହିପରି ସୁପରଭାଇଜିଂ ଅଫିସର ଓ ଅନ୍ୟ ଅଫିସର ମିଶି ୫୦ ଜଣ ଗୋଠପାଟଣା ଟ୍ରେନିଂ ସେଣ୍ଟରରେ ରହିବେ ବୋଲି ସୂଚନା ମିଳିଛି । ପରେ ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କର କରୋନା ପରୀକ୍ଷା କରାଯିବ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଅମ୍‌ପନ୍‌ ବାତ୍ୟାରେ ବହୁ କ୍ଷୟକ୍ଷତି ହୋଇଛି । ମହାନଗର ନିଗମ ଅଞ୍ଚଳରେ ବଡ଼ବଡ଼ ଗଛ, ବିଜୁଳି ଖୁଣ୍ଟ ପଡ଼ି ରାସ୍ତାଘାଟ, ଘରଦ୍ୱାର ଏବଂ ଅଫିସ୍‌ କୋଠା ଭାଙ୍ଗିରୁଜି ଯାଇଛି । ଗଛଗୁଡ଼ିକ ଉପୁଡି ପଡ଼ିବା ଦ୍ୱାରା ଗମନାଗମନ ଏବଂ ବିଜୁଳି ସରବାରହ ଆଦି ବିଚ୍ଛିନ୍ନ ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ବାତ୍ୟା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗକୁ ସହାୟତା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଆଡ଼ୁ ଘୋଷଣା କରିଥିଲେ । ସେଥିପାଇଁ ସରକାର ଅଗ୍ନିଶମ ସେବା ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ୨୨ ତାରିଖ ଦିନ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ କୋଲକାତା ଅଭିମୁଖେ ଗସ୍ତ କରିଥିଲେ । ଚିଫ୍‌ ଫାୟାର ଅଫିସର ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ୱରେ ୧୫ ଜଣ ସୁପରଭାଇଜର, ୩୨୦ ଫାୟାର ମ୍ୟାନ୍‌ ଓ ଆଉ କିଛି ଅଫିସର ୪୫ଟି ଗାଡ଼ି, ୨ଶହ ପାୱାର ସ’, ପାୱାର ଲାଇଟ୍‌ ସମେତ ଅନ୍ୟାନ୍ୟ ସରଞ୍ଜାମ ନେଇ କୋଲକାତାରେ ପହଞ୍ଚିଥିଲେ । ଗତ ୨୪ ତାରିଖରୁ ଅଗ୍ନିଶମ ସେବା କର୍ମଚାରୀମାନେ ୩୦ଟି ଦଳରେ ବିଭକ୍ତ ହୋଇ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର