
ଡ୍ୟୁନେଡିନ, ୨୦ା୨(ଏଜେନ୍ସି): ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡ କ୍ରମାଗତ ୩ଟି ଯାକ ଦିନିକିଆ ଜିତି ସିରିଜ୍ ମୂଳପୋଛ କରିଛି । ଆଜି ଅନୁଷ୍ଠିତ ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ୮୮ ରନ୍ରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ୱିକେଟ୍ ବିନିମୟରେ ୩୩୦ ରନ୍ର ବିଶାଳ ସ୍କୋର ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ୪୭.୨ ଓଭରରେ ୨୪୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।
ଟସ୍ ଜିତି ବାଂଲାଦେଶ ଫିଲ୍ଡଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳର ଦୁଇ ଓପନର ଆଜି ସଫଳ ହୋଇ ନଥିଲେ । ମାର୍ଟିନ ଗୁପତିଲ ୨୯ ଓ କଲିନ୍ ମନ୍ରୋ ୮ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହେନରୀ ନିକୋଲାସ ଓ ରସ ଟେଲର ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଉଭୟ ଅର୍ଦ୍ଧ ଶତକ ଅର୍ଜନ କରିବା ସହ ତୃତୀୟ ୱିକେଟ୍ରେ ୯୨ ରନ୍ ଯୋଗ କରିଥିଲେ । ଦଳିୟ ସ୍କୋର ୧୫୧ ବେଳେ ବ୍ୟକ୍ତିଗତ ୬୪ ରନ୍ କରି ନିକୋଲାସ୍ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥମ ଦ୍ରୁତ ଅର୍ଦ୍ଧଶତକ ଅର୍ଜନ କରିବା ଫଳରେ ଘରୋଇ ଦଳ ୩୩୦ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଟେଲର ୬୯ ରନ୍ କରିଥିବାବେଳେ ଲାଥମ ୫୧ଟି ବଲ୍ରୁ ୫୯ (୨ଚୌକା, ୩ଛକା) ରନ କରି ଆଉଟ୍ ହୋଇଥିଲେ । ଅନ୍ତିମ ଭାଗରେ ଜେମ୍ସ ନିସମ ୨୪ଟି ବଲ୍ରୁ ୩୭, କଲିନ୍ ଡି ଗ୍ରାଣ୍ଡହୋମ୍ ୧୫ଟି ବଲ୍ରୁ ୩୭ ଓ ମିଚେଲ ସାଣ୍ଟନର ୧୬ ରନ୍ କରିଥିଲେ ।
ଜବାବରେ ଟିମ୍ ସାଉଦିଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ବାଂଲାଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମଧ୍ୟଭାଗରେ ସବିର ରେହମାନ ଲଢୁଆ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ହେଲେ ଅନ୍ୟ କେହି ତାଙ୍କୁ ସହଯୋଗ କରିପାରି ନଥିଲେ । ଫଳରେ ବାଂଲାଦେଶ ୨୪୨ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ସବିର ୧୦୨(୧୨ଚୌକା, ୨ଛକା) ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସଇଫୁଦ୍ଦିନ ୪୪ ଓ ମେହଦି ହାସାନ ୩୭ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୬ଟି ୱିକେଟ୍ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପ୍ରଦର୍ଶନ ପାଇଁ ସେ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।