ଆଜି ବର୍ଷିବ: ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

ଭୁବନେଶ୍ୱର ୩୦/୦୬: କିଛି ଦିନ ଗାଏବ ରହିବା ପରେ ଫେରିଛି ମୌସୁମୀ । ରାଜ୍ୟରେ ପୁଣି ବର୍ଷା ବଢ଼ିଛି । ଆଜି ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ହେଲେ ବୁଧବାର ବର୍ଷା ପରିମାଣ କମିବ। ମାତ୍ର ଆସନ୍ତା ଜୁଲାଇ ୨ ତାରିଖରୁ ବର୍ଷା ପୁଣି ବଢ଼ିବ । ୪ରୁ ଆହୁରି ଅଧିକ ବର୍ଷା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟା ଭିତରେ ହିନ୍ଦୋଳରେ ୭୨ ମିଲିମିଟର, ସୁନ୍ଦରଗଡ଼ର ଗୁରୁଣ୍ଡିଆରେ ୭୦.୬ ମିମି, ଓଡ଼ଗାଁରେ ୭୦.୬ ମିମି ଓ କେନ୍ଦ୍ରାପଡ଼ାରେ ୬୮ ମିମି, ହୀରାକୁଦରେ ୩୭ ମିମି, କଟକରେ ୨୪.୬ ମିମି, ଭୁବନେଶ୍ୱରରେ ୧୮.୫ ମିମି ବର୍ଷା ହୋଇଛି । ସୋମବାର ସକାଳ ୮ଟା ୩୦ରୁ ଅପରାହ୍ନ ୫ଟା ୩୦ ସୁଦ୍ଧା ପାରାଦୀପରେ ୫୩ ମିମି, ଭବାନୀପାଟଣାରେ ୪୦.୮ ମିମି, ସୁନ୍ଦରଗଡ଼ରେ ୧୮ ମିମି, ତାଳଚେରରେ ୧୫ ମିମି ବର୍ଷା ରେକର୍ଡ ହୋଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଉତ୍ତର ପୂର୍ବ ବିହାରରୁ ଉତ୍ତର ଉପକୂଳ ଓଡ଼ିଶା ଉପର ଦେଇ ଏକ ଟ୍ରଫଲାଇନ ଲମ୍ବିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝରର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ବର୍ଷା ଆଶଙ୍କା ଅଛି । ୧ ତାରିଖରେ ବର୍ଷା କମ୍‌ ରହିବ। ମୌସୁମୀ ଟ୍ରଫ୍‌ ସକ୍ରିୟ ହେବା କାରଣରୁ ପୁଣି ୨ ତାରିଖରୁ ବର୍ଷା ବଢ଼ିବ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏହା ସହ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଯଦି ଏହା ହୁଏ, ତେବେ ୪ରୁ ବର୍ଷା ପରିମାଣ ଆହୁରି ବଢ଼ିବ ।

ପାଣିପାଗ ବିଭାଗ ତଥ୍ୟ ମୁତାବକ, ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ରହିଛି ବର୍ଷା । ଏଯାବତ୍‌ ୨୧୪ ମିମି ବର୍ଷା ହୋଇଛି ରାଜ୍ୟରେ । ଯାହାକି ସ୍ୱାଭାବିକଠାରୁ ୧୬% ଅଧିକ । କେବଳ ୫ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା କମ୍‌ ରହିଛି । ଯାଜପୁରରେ ସ୍ୱାଭାବିକଠାରୁ ୪୦% କମ୍‌ ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ାରେ ୩୩%, ପୁରୀରେ ୩୬%, ଖୋର୍ଦ୍ଧାରେ ୩୦% ଓ ଜଗତସିଂହପୁରରେ ୨୨% କମ୍‌ ବର୍ଷିଛି ମୌସୁମୀ ।

ଝାରସୁଗୁଡ଼ାରେ ସର୍ବାଧିକ ୯୬% ଅଧିକ ବର୍ଷା କରାଇଛି ମୌସୁମୀ । ନୂଆପଡ଼ାରେ ୬୭%, ଦେବଗଡ଼ରେ ୬୧%, ସୁନ୍ଦରଗଡ଼ରେ ୬୦% ଅଧିକ ହୋଇଛି ବର୍ଷା । ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ମାଲକାନିଗିରିରେ ବର୍ଷା ପରିମାଣ ଅଧିକ ଅଛି ଏଯାଏଁ ।କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁରରେ ବର୍ଷା ସ୍ୱାଭାବିକ ଥିବା ପାଣିପାଗ ବିଭାଗ କହିଛି ।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ପୁଅ ମୃତ୍ୟୁକୁ ନେଇ ବିଷ ଖାଇଲେ ମା’