ଖୋର୍ଦ୍ଧା ହତ୍ଯା ମାମଲାର ତଦନ୍ତ କରିବ ୪ଟି ସ୍ୱତନ୍ତ୍ର ଟିମ୍

ଖୋର୍ଦ୍ଧା ୧୫/୪: ଖୋର୍ଦ୍ଧା ହତ୍ଯାକାଣ୍ଡ ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ହତ୍ଯାକାଣ୍ଡରେ ବିଜେଡିର ହାତ ଅଛି ବୋଲି ଅଭିଯୋଗ କରିଛି ବିଜେପି । ଅନ୍ଯପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।
ନିର୍ବାଚନ କମିଶନଙ୍କୁ ଅନୁରୋଧ କରୁଛି ଏହି ଘଟଣାକୁ ଗୁରୁତ୍ବର ସହିତ ନିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ; ଯାହା ଦ୍ୱାରା ଏପରି ହୀନ କାର୍ଯ୍ୟର ପୁନଃରାବୃତ୍ତି ହେବନାହିଁ।
— Naveen Patnaik (@Naveen_Odisha) April 15, 2019
ଖୋର୍ଦ୍ଧା ହତ୍ଯା ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରି କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ସେ ଦୃଢ ନିନ୍ଦା କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱର ସହ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ବିଗତ କିଛି ଦିନ ହେବ ବାଲାଟ ପେପରରେ ଯେଉଁମାନଙ୍କୁ ହାରିଯିବାର ଭୟ ଘାରିଲାଣି ସେମାନେ ହିଂସାକୁ ଆପଣାଇଛନ୍ତି । ଗଣତନ୍ତ୍ରରେ ବାଲାଟର ବିପକ୍ଷ ବୁଲେଟ୍ ତଥା ହିଂସା ନୁହେଁ । ବୁଲେଟର ଉତର ଭୋଟରେ ଦେବା ପାଇଁ ପଡିବ । ଭୋଟରେ ପରାଜୟ କଲେ ହିଁ ହିଂସାକାରୀକୁ ଠିକ୍ ଉତ୍ତର ମିଳିବ । pic.twitter.com/1ShB4p4W5Y
— Chowkidar Dharmendra Pradhan (@dpradhanbjp) April 15, 2019
ଏସପିଙ୍କ ଘର ଠାରୁ ୫୦୦ ମିଟର ଦୂରରେ ଏହି ଘଟଣା ଘଟିଥିବା ବେଳେ ମାନବିକତା ଦୃଷ୍ଟିରୁ ଏସପି ଘଟଣାସ୍ଥଳ ଯାଇନାହାନ୍ତି ।
— Chowkidar Dharmendra Pradhan (@dpradhanbjp) April 15, 2019
ଅନ୍ଯପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହତ୍ଯା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନଙ୍କୁ ହାରିଯିବାର ଭୟ ଘାରିଛି ସେମାନେ ହିଂସାକୁ ଆପଣାଉଛନ୍ତି । ବୁଲେଟର ଉତ୍ତର ଭୋଟରେ ଦେବାକୁ ପଡିବ ବୋଲି ସେ କହିଛନ୍ତି । ସେ ଏହା ମଧ୍ଯ କହିଛନ୍ତି ଯେ ପାଦତଳୁ ମାଟି ଖସିବାବେଳେ ଏପ୍ରକାର ବିଭତ୍ସ କାଣ୍ଡ ପ୍ରତିଭାଶାଳୀ ଲୋକମାନେ କରିଥାନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।
ଶାସକ ଦଳର ଲୋକ ଯଦି ଭାବୁଥାନ୍ତି ଡରେଇ ଧମକାଇ ହତ୍ୟା କରି ଗଣତନ୍ତ୍ରରେ ବିଜୟୀ ହେବେ । ତା ହେଲେ ଓଡିଆ ଲୋକମାନେ ଆଗାମୀ ନିର୍ବାଚନରେ ଭୋଟ ଦେଇ ଏହାର ଜବାବ ଦେବେ । ରାଜ୍ୟରେ ଆଇନ କାନୁନ ଭୁଷୁଡି ଗଲାଣି । ପ୍ରାର୍ଥୀମାନଙ୍କୁ ସୁରକ୍ଷା ଦିଆଯାଉନାହିଁ । ମୁଖ୍ୟମନ୍ତ୍ରୀ କଣ ଭାବୁଛନ୍ତି ବନ୍ଧୁକ ମୁନ ଦେଖାଇ ସେମାନଙ୍କୁ ଡରାଇବେ ।
— Chowkidar Dharmendra Pradhan (@dpradhanbjp) April 15, 2019
ପୋଲିସ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ ଏସପିଙ୍କ ଘରଟାରୁ ୫୦୦ ମିଟର ଦୂରରେ ଏହି ଘଟଣା ଘଟିଥିବାବେଳେ ମାନବିକତା ଦୃଷ୍ଟିରୁ ଏସପି ଘଟଣାସ୍ଥଳକୁ ଯାଇନାହାନ୍ତି । ନିର୍ବାଚନ ସମୟରେ ଏ ପ୍ରକାର ସ୍ଥିତି ଚିନ୍ତାଜନକ । ଓଡିଶାରେ ସାମ୍ବିଧାନିକ ବ୍ଯବସ୍ଥା ଭୁଷୁଡି ପଡିଲାଣି । ସେ ପୋଲିସ ଓ ପ୍ରଶାସନକୁ ନିଜର ସାମ୍ବିଧାନିକ ଦାୟିତ୍ୱ ପୂରଣ କରିବା ପାଇଁ ନିବେଦନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଶାସକ ଦଳର ଲୋକ ଭାବୁଥାନ୍ତି ବନ୍ଧୁକ ମୁନରେ ଡରେଇ ଗଣତନ୍ତ୍ରରେ ବିଜୟୀ ହେବେ ତେବେ ଏହାର ଜବାବ ଆଗାମୀ ଦିନରେ ଓଡିଆ ଲୋକମାନେ ନିଶ୍ଚୟ ଦେବେ ।

ହତ୍ୟାକାଣ୍ଡକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ଖୋର୍ଦ୍ଧାରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପ୍ରଦାନ କରାଯାଇଛି । ତଦନ୍ତ ପାଇଁ ପୁଲିସ୍ର ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ସାଇବର ସେଲ୍ ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯାଉଛି। ଏହା ସହିତ ଖୋର୍ଦ୍ଧାର ବିଜେପି ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ତାଙ୍କ ସହିତ ଦୁଇ ଜଣ ସୁରକ୍ଷାକର୍ମୀ ରହିବେ। ସେହିପରି ଅନ୍ୟ ଯେଉଁ ପ୍ରାର୍ଥୀ ସୁରକ୍ଷା ମାଗିବେ ସେମାନଙ୍କୁ ବି ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଗତକାଲି ରାତି ୧୧ ଟା ସମୟରେ ପ୍ରମୁଖ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ଯା କରାଯାଇଛି । ମଙ୍ଗୁଳି ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ଥିଲେ । ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧାର ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜଣେ ଦୁର୍ବୃତ୍ତ ବାଇକରେ ଆସି ମଙ୍ଗୁଳିଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା ।