ବିସ୍ମୟ ବାଳକ ବୁଦ୍ଧାଦିତ୍ୟ: ୪ ବର୍ଷ ବୟସରେ ଦୌଡୁଛନ୍ତି ଭୁବନେଶ୍ୱରରୁ ପୁରୀ

ବୁଧିଆ ସିଂଙ୍କ ଭଳି ଆଉ ଜଣେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ ସ୍ୱାଇଁ । ବୟସ ମାତ୍ର ୪ ବର୍ଷ ଏକ ମାସ । ଏହି ବୟସରେ ସେ ଦୌଡ଼ୁଛନ୍ତି ଭୁବନେଶ୍ୱରରୁ ପୁରୀ । ମାତ୍ର ୮ ଘଣ୍ଟା ୪୦ ମିନିଟ୍‌ ମଧ୍ୟରେ ୬୦ କିଲୋ ମିଟରରୁ ଊଦ୍ଧ୍ୱର୍ ଦୂରତା ଅତିକ୍ରମ କରି ପାରୁଛନ୍ତି । ଭୁବନେଶ୍ୱର ଉପକଣ୍ଠ କେଶୁରା ପାୱାର ହାଉସ କଲୋନୀରେ ରହୁଛନ୍ତି । ବାପା ଦେବଦତ୍ତ ଓ ମା’ ଗୋପା ରାଉତ ।
୨୦୦୬ରେ ବୁଧିଆ ସିଂ ମାତ୍ର ୪ ବର୍ଷ ବୟସରେ ଭୁବନେଶ୍ୱରରୁ ପୁରୀ ୬୫ କି.ମି ରାସ୍ତାକୁ ୭ ଘଣ୍ଟାରେ ଅତିକ୍ରମ କରି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସାମିଲ ହୋଇଥିଲେ । ଏହାପରେ ସେ ବହୁ ମାରାଥନରେ ଦୌଡ଼ି ପୁରସ୍କୃତ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ବୁଧିଆ କ୍ରୀଡ଼ା ଛାତ୍ରାବାସରେ ରହିଥିଲେ । ଏବେ ନିଜ ଘରେ ରହୁଛି । ଠିକ୍‌ ବୁଧିଆଙ୍କ ଭଳି ସାହସ ଏବଂ ଦୃଢ଼ ମନୋବଳ । ନିଶା କେବଳ ଦୌଡ଼ିବା । ଦୌଡ଼ ଆରମ୍ଭ କଲେ ଲକ୍ଷ୍ୟ ହାସଲ କରି ନସାରିବା ପର୍ଯ୍ୟନ୍ତ ଥକି ପଡ଼ନ୍ତି ନାହିଁ ବୁଦ୍ଧାଦିତ୍ୟ । ବାପା ଦେବଦତ୍ତଙ୍କ କହିବା ଅନୁସାରେ, ବୁଦ୍ଧାଦିତ୍ୟ ଅତି ଛୋଟ ବେଳରୁ ହିଁ ଅଧିକ ଦୁଷ୍ଟାମି କରୁଥିଲା । ଦୁଷ୍ଟାମିବେଳେ ତା’ ଶରୀରରୁ ଆପଣାଛାଏଁ ବାରି ହେଉଥିଲା ଅସୀମ ଶକ୍ତିର ଝଲକ । ତେଣୁ ପୁଅଙ୍କୁ ଅଳ୍ପ ଅଳ୍ପ ଦୌଡ଼ାଇବା ପାଇଁ ପ୍ରୋତ୍ସାହିତ କଲୁ । ଏଥିରେ ବୁଦ୍ଧାଦିତ୍ୟ ଆଦୌ କ୍ଳାନ୍ତ ଅନୁଭବ କରୁନଥିଲା । ବରଂ କେଶୁରା ଖେଳ ପଡ଼ିଆରେ ବାରମ୍ବାର ପରିକ୍ରମା କରୁଥିଲା । ଏ ବିଷୟରେ ଆମେ ଡାକ୍ତରଙ୍କ ପରାମର୍ଶ ନେଇଥିଲୁ । ଡାକ୍ତର ପୁଅର ସାହସ ଓ ଶକ୍ତି ଦେଖି କୌଣସି କ୍ରୀଡ଼ାରେ ନିୟୋଜିତ କରିବାକୁ ପ୍ରସ୍ତାବ ଦେଇଥିଲେ । ସେବେଠୁ ବୁଦ୍ଧାଦିତ୍ୟ ଦୌଡ଼ୁଛି ।’
ବୁଦ୍ଧାଦିତ୍ୟଙ୍କୁ ସାକ୍ଷାତ କଲେ ସେ ଆପଣା ଛାଏଁ କହି ଦେଉଛନ୍ତି, ସେ କେତେବେଳେ ଉଠୁଛନ୍ତି, ପଡ଼ିଆରେ କେତେ ଘେରା ପରିକ୍ରମା କରୁଛନ୍ତି, ଆହୁରି କେତେ କ’ଣ କଥା । ପ୍ରକୃତରେ ଶିଶୁଟିର ଏହି ସାହସ ଦେଖିଲେ ଆଶ୍ଚର୍ଯ୍ୟ ଓ ଚକିତ ଲାଗୁଛି । ଗତ ୬ ମାସ ଧରି ବୁଦ୍ଧାଦିତ୍ୟ ଦୌଡ଼ିବା ଅଭ୍ୟାସ ଆରମ୍ଭ କରିଛନ୍ତି । ସେ କେଶୁରା ଲିଟିଲ ପ୍ଲେ ସ୍କୁଲ୍‌ରେ ନର୍ସରୀ ଛାତ୍ର । ଦୌଡ଼ିବା ବ୍ୟତୀତ ପାଠ ପଢ଼ିବା ଓ ଜୁଡୋ ଶିକ୍ଷା ମଧ୍ୟ କରୁଛନ୍ତି । ଦିନରେ ଯେତେବେଳେ ବି ସମୟ ମିଳେ ସେ କେବଳ ଦୌଡ଼ିବାକୁ ପସନ୍ଦ କରନ୍ତି । ମା’ ଗୋପା ଯେତିକି ଜାଣିଛନ୍ତି ସେହି ଅନୁସାରେ ପୁଅଙ୍କୁ ଖାଇବାକୁ ଦେଉଛନ୍ତି । ତେବେ ବୁଦ୍ଧାଦିତ୍ୟ ଆମିସଠୁ ନିରାମିସ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଖାଇବାରେ ସେ ଦୁଷ୍ଟାମି କରନ୍ତି ନାହିଁ, ମା’ ଯାହା ଦିଅନ୍ତି ତାହା ସେ ଖାଇ ଦିଅନ୍ତି । ବୁଦ୍ଧାଦିତ୍ୟଙ୍କ ଏହି ଦୃଢ଼ ଇଚ୍ଛାଶକ୍ତି ଓ ଆଗ୍ରହ ଦେଖି ବାପା-ମା’ ଏବେ ତାଙ୍କର ଭବିଷ୍ୟତ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି । ଘରର ଆର୍ଥିକ ଅବସ୍ଥା ସେମିତି ସ୍ୱଚ୍ଛଳ ନୁହଁ ଯେ ଦୌଡ଼ିବା ପାଇଁ ପୁଅର ସବୁ ଆବଶ୍ୟକତା ଭରଣ କରି ପାରିବେ । ଏବେ ପିଲା ଛୋଟ ଅଛି । ସେ ବଡ଼ ହେବ । ସେହି ଅନୁସାରେ ଆବଶ୍ୟକତା ବଢ଼ି ବଢ଼ି ଚାଲିବ । ସରକାର ଯଦି ବୁଦ୍ଧାଦିତ୍ୟର କଥା ବୁଝନ୍ତି ତେବେ ସେ ନିଶ୍ଚିତ ଭାବେ ଦିନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବ ବୋଲି ବାପା ଦେବଦତ୍ତ ବିଶ୍ୱାସ ରଖିଛନ୍ତି । ବୁଦ୍ଧାଦିତ୍ୟ ଇତି ମଧ୍ୟରେ ୩/୪ ଥର ଭୁବନେଶ୍ୱରରୁ ପୁରୀ ଦୌଡ଼ି ସାରିଲେଣି । କିନ୍ତୁ କଥା ହେଉଛି ରାଜ୍ୟରେ ଏଭଳି ଆଉ ଜଣେ ପ୍ରତିଭା ଗତ ବର୍ଷ ଚିହ୍ନଟ ହୋଇଥିଲେ । ସେ ହେଉଛନ୍ତି ଦିବ୍ୟ ରଞ୍ଜନ ଓଝା । ଘର ଜଗତସିଂହପୁର । ୪ ବର୍ଷ ବୟସରେ ଦୈନିକ ୨୫ରୁ ୩୦ କିଲୋ ମିଟର ଦୌଡ଼ୁଛନ୍ତି । କୋଚ୍‌ ବିରଞ୍ଚିଙ୍କ ହତ୍ୟା ପରେ ବୁଧିଆଙ୍କ କ୍ୟାରିୟର ଭିନ୍ନ ମୋଡ଼ ନେଇଥିଲା । ଅବହେଳା ଯୋଗୁ ସେ ତାଙ୍କ ପୂର୍ବ ପ୍ରତିଭା ଏକ ପ୍ରକାର ହରାଇ ବସିଛନ୍ତି ।
ନିଜସ୍ୱ ଉଦ୍ୟମରେ ବାପା-ମା’ମାନେ ନିଜ ପିଲାମାନଙ୍କୁ ଲକ୍ଷ୍ୟ ସ୍ଥଳରେ ବହଞ୍ଚାଇବା ସମ୍ଭବ ନୁହଁ । ଏଥିପାଇଁ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି । ଏବେ ବୁଦ୍ଧାଦିତ୍ୟ ହୁଅନ୍ତୁ ଅବା ଦିବ୍ୟ ରଞ୍ଜନ ସରକାର ଯଦି ସେମାନଙ୍କୁ ଏଭଳି ବୟସରୁ ଉପଯୁକ୍ତ ଦୃଷ୍ଟି ଦିଅନ୍ତେ, ତେବେ ସେମାନେ ବଡ଼ ହୋଇ ବିଶ୍ୱ ଆଥଲେଟିକ୍ସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରନ୍ତେ ।

   ସମ୍ବନ୍ଧିତ ଖବର


ବିଧାନସଭା କୋଭିଡ୍ ଟେଷ୍ଟ – ୧୩୬ ପଜିଟିଭ୍

କରୋନା ରୋଗୀ କେବଳ ଗୋଟିଏ ଡୋଜ୍‌ ଦିଆଯିବା ଦ୍ୱାରା ସୁସ୍ଥ! ଆଶା ବଢ଼ାଇଲା ଜନ୍‌ସନ୍‌ ଟିକା

ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮

ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର