ଯୁକ୍ତ ଦୁଇ ପରୀକ୍ଷା: ମାତୃଭାଷା ଓଡ଼ିଆ କପି କରି ଧରାହେଲେ ୪୦ ପରୀକ୍ଷାର୍ଥୀ

ଭୁବନେଶ୍ୱର ୫/୨ : ବୁଧବାର ଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ପରୀକ୍ଷାର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟର ମାତୃଭାଷା ଓଡ଼ିଆ ପରୀକ୍ଷା ସହିତ କଳା/ବାଣିଜ୍ୟ ଓ ବିଜ୍ଞାନର ଅଲଟରନେଟିଭ୍‌ ଇଂରାଜୀ ପରୀକ୍ଷା ଥିଲା । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ୧ଟାରେ ସରିଥିଲା । ରାଜ୍ୟର ପ୍ରାୟ ସ୍ଥାନରେ ପରୀକ୍ଷା ସୁରୁଖୁରୁରେ ସରିଥିବା ବେଳେ ଚିଲିକାରେ ଡଙ୍ଗାରେ ପରୀକ୍ଷା ଦେବାକୁ ଆସିଥିବା ୨୨ ଛାତ୍ରଛାତ୍ରୀ ଡଙ୍ଗା ଖରାପ ହୋଇଥିବାରୁ ବିଳମ୍ବରେ ପହଞ୍ଚିଥିଲେ । ଖବର ପାଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ସେହି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା ।

ସେହିପରି ସମ୍ବଲପୁରରେ ଏକ ଜାଲି କଲେଜରେ ନାମ ଲେଖି ପାଖାପାଖି ୪୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଅପରପକ୍ଷେ କପି କରି ୪୦ ଜଣ ଛାତ୍ରଛାତ୍ରୀ ଧରାପଡ଼ିଛନ୍ତି ବୋଲି ପରିଷଦର ପରୀକ୍ଷା ଉପନିୟନ୍ତ୍ରକ ଡ. ପି.କେ ଦାଶ ସୂଚନା ଦେଇଛନ୍ତି । ବୁଧବାର କଳାରେ ପାଖାପାଖି ୨ଲକ୍ଷ ୨୦ହଜାର ଓ ବାଣିଜ୍ୟରେ ୨୫ହଜାର ଛାତ୍ରଛାତ୍ରୀ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଇଥିବା ବେଳେ କଳା, ବାଣିଜ୍ୟ ଓ ବିଜ୍ଞାନର ମାତୃଭାଷା ଅଲଟରନେଟିଭ୍‌ ଇଂରାଜୀ ରଖିଥିବା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଅଞ୍ଚଳର ଛାତ୍ରଛାତ୍ରୀ ସକାଳ ୮ଟାରେ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ମୋଟର୍‌ ଡଙ୍ଗାରେ ବାହାରିଥିଲେ । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା ।

ସେହି ଡଙ୍ଗାରେ ରହିଥିଲେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟର ୨୨ଜଣ ପରୀକ୍ଷାର୍ଥୀ । ଆରକୂଳରେ ଥିବା ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଉଥିଲେ । କୂଳ ଛାଡ଼ିବା ବେଳେ ସବୁ ଠିକ୍‌ ଥିଲା । ହେଲେ ୫ ମିନିଟ୍‌ ପରେ ମହିସାକୁଦରେ ଡଙ୍ଗା ଅଚଳ ହୋଇ ଯାଇଥିଲା । ମଝି ଦରିଆରେ ଅଟକି ରହିଥିଲେ ପରୀକ୍ଷାର୍ଥୀ । ଆଉ ଏକ ଡଙ୍ଗା ଆସି ମଝି ଦରିଆରୁ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଥିଲା । ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଖବର ପାଇ ମନ୍ତ୍ରୀ ଶ୍ରୀ ଦାଶ ତୁରନ୍ତ ପଦକ୍ଷେପ ନେଇଥିଲେ । ବିଳମ୍ବରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବାକୁ କହିଥିଲେ । ପରୀକ୍ଷାର୍ଥୀ ରତିକାନ୍ତ ପ୍ରଧାନ ଓ ଅକାଶ ପ୍ରଧାନ ପ୍ରମୁଖ ପରୀକ୍ଷା ସମୟରେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ପ୍ରତିଦିନ ଡଙ୍ଗା ପାରି ହୋଇ ପରୀକ୍ଷା ଦେବାକୁ ଆସିବା ସମୟରେ ସେମାନଙ୍କ ମନରେ ଭୟ ରହୁଛି । ଫଳରେ ସୁସ୍ଥ ମସ୍ତିଷ୍କରେ ପରୀକ୍ଷା ଦେଇପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।

ସେହିପରି ସମ୍ବଲପୁରର ଯମୁନା ଦେବୀ ଘରୋଇ କଲେଜର ୪୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କଲେଜରୁ ଆଡମିଟ୍‌ କାର୍ଡ଼ ନ ମିଳିବାରୁ ପରୀକ୍ଷା ଦେଇପାରିନାହାନ୍ତି । କଲେଜଟି ଏକ ଜାଲ୍‌ କଲେଜ ବୋଲି ଜାଣି ନପାରି ନାମ ଲେଖି ଅସୁବିଧାରେ ପଡ଼ିଛନ୍ତି । କଲେଜଟି ୬ ମାସ ହେବ ତାଲା ଝୁଲୁଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । ଏ ନେଇ ପରିଷଦର ସମ୍ବଲପୁର ଜୋନ୍‌ ଉପସମ୍ପାଦକ ଉତ୍ତମ କୁମାର ପ୍ରଧାନ କହିଛନ୍ତି, କଲେଜଟି ଫେକ୍‌ କଲେଜ । ଠିକ ଭାବେ ନବୁଝି ନାମ ଲେଖିଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ