ରୋକି ହେଉନି ସଡ଼କ ଦୁର୍ଘଟଣା: ଏଗାର ବର୍ଷରେ ଗଲାଣି ୪୧ ହଜାର ଜୀବନ

ଭୁବନେଶ୍ୱର,୮ା୨(ବ୍ୟୁରୋ): ଘରୁ ଗୋଡ଼ କାଢ଼ିଲେ ଦୁର୍ଘଟଣାର ଭୟ । ଜାତୀୟ ରାଜପଥ ହେଉ ଅବା ଗଳିକନ୍ଦି, ସବୁଠି ବିପଦର ଘଣ୍ଟି ବାଜୁଛି । ଭୁଲ୍‌ ରାସ୍ତା ନିର୍ମାଣ ଓ ଟ୍ରାଫିକ୍‌ ସମସ୍ୟା ପାଇଁ ଏଭଳି ଅଘଟଣ ଲାଗିରହିଛି । ୨୦୦୮ ମସିହାରୁ ୨୦୧୮ ଅର୍ଥାତ୍‌ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ୪୦ ହଜାର ୯ ଶହ ୭୩ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବିଧାନସଭା ରିପୋର୍ଟରୁ ଏହା ଜଣାପଡ଼ିଛି । ରେକର୍ଡ କହୁଛି ଦେଶରେ ସଡ଼କ ଦୁର୍ଘଟଣାରେ ଦୈନିକ ୫୧୦ ଜଣଙ୍କ ଜୀବନ ଯାଉଛି । ସେହି ଅନୁପାତରେ ରାଜ୍ୟରେ ଦିନକୁ ପାଖାପାଖି ୧୫ଜଣ କେଉଁଠି ନା କେଉଁଠି ଦୁର୍ଘଟଣାର ଶିକାର ହୋଇ ଆଖି ବୁଜୁଛନ୍ତି । ୨୦୧୮ରେ ଓଡ଼ିଶାରେ ୧୧,୨୬୨ ଟି ଦୁର୍ଘଟଣା ଘଟିଥିଲା । ସେଥିରେ ୫,୩୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବିଧାନସଭା ରିପୋର୍ଟରେ ଉଲ୍ଲେଖ ରହିଛି ।
ଟ୍ରାଫିକ ସମସ୍ୟାର ସମାଧାନ ଲାଗି କାହିଁ କେତେ ସ୍ତରରେ ଚେଷ୍ଟା ଚାଲିଛି । କେଉଁଠି ନୂଆ ପୋଷ୍ଟ ତ’ ପୁଣି କେଉଁଠି ଯାତାୟତରେ ସୁବିଧା ଲାଗି ଓଭରବ୍ରିଜ୍‌ ଛିଡ଼ା ହେଉଛି । ଦୁର୍ଘଟଣାର ମାତ୍ରାକୁ ଅନୁଧ୍ୟାନ କଲେ ତଥାପି କିଛି ଫରକ୍‌ ପଡୁନଥିବା ମନେ ହେଉଛି । ବେପରୁଆ ଗାଡ଼ି ଚାଳନା ଯୋଗୁଁ ହିଁ ଏସବୁ ଘଟୁଥିବା ପୁଲିସ ରେକର୍ଡ ଦର୍ଶାଉଛି । ସବୁବର୍ଷ ଟ୍ରାଫିକ୍‌ ସୁରକ୍ଷା ସପ୍ତାହ ପାଳନ କରାଯାଇ ଲୋକଙ୍କୁ ଟ୍ରାଫିକ୍‌ ଓ ଗାଡିଚାଳନା ସମ୍ପର୍କରେ ପୁଲିସ ସଚେତନ ମଧ୍ୟ କରାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ରାଜ୍ୟ ପୁଲିସ ରେକର୍ଡ ଅନୁସାରେ, ପ୍ରତ୍ୟେକ ଦୁର୍ଘଟଣା ପଛରେ ମଦ୍ୟପାନ ନଚେତ୍‌ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ହିଁ ମୁଖ୍ୟ କାରଣ । ଯାହା ଲାଗି ଡ୍ରାଇଭର ହେଉ କିମ୍ୱା ତାଙ୍କ ସହ ଯାଉଥିବା ଲୋକଙ୍କର ଅକାଳରେ ଜୀବନ ଯାଉଛି । ବଡ଼କଥା ହେଲା ଦୁର୍ଘଟଣାରେ ପରେ ପୁଲିସ୍‌ ମାମଲା ରୁଜୁ କରି ଚୁପ୍‌ ରହିଯାଉଛି । କ’ଣ ପାଇଁ ଦୁର୍ଘଟଣା ଘଟିଲା ସେ ବିଷୟରେ ପୁଲିସ୍‌ କିଛି ତନାଘନା କରୁନି ।
୨୦୧୮ରେ ମୋଟ ୧୧,୨୬୨ଟି ଦୁର୍ଘଟଣା ଘଟିଛି । ସେଥିରେ ୫,୩୧୫ଜଣ ପ୍ରାଣ ହରାଇଛନ୍ତି । ସେଥିରୁ ୫୬% ଦୁର୍ଘଟଣା ଗ୍ରାମାଞ୍ଚଳରେ ହୋଇଥିବା ବେଳେ ୪୪% ସହରାଞ୍ଚଳରେ ହୋଇଛି । ମୋଟ ଦୁର୍ଘଟଣାର ୪୪% ଦୁଇଚକିଆ ଯାନ ଯୋଗୁ ହୋଇଥିବା ବେଳେ ୧୮% ଛୋଟ ଯାତ୍ରୀବାହୀ ଯାନ ଏବଂ ଟ୍ରକ ଯୋଗୁ ୨୩% ଦୁର୍ଘଟଣା ହୋଇଛି । ମାତ୍ର ୭% ବସ୍‌ ଯୋଗୁ ହୋଇଛି । ଦୁର୍ଘଟଣା ଘଟାଉଥିବା ଗାଡ଼ି ଚାଳକଙ୍କ ମଧ୍ୟରୁ ୯୬% ଚାଳକଙ୍କର ତ୍ରୁଟି ଯୋଗୁ ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।