420 ମହିଳା: ଦେହ ଖରାପର ବାହାନା କରି ଘରୋଇ ସଂସ୍ଥାରୁ ୪ ଲକ୍ଷ ଟଙ୍କା ଋଣ ଆଣି ଲୁଚି ବୁଲୁଥିଲେ, ରାସ୍ତାରେ ମାଡି ବସିଲା ମହିଳା ଗୋଷ୍ଠୀ

ଚନ୍ଦ୍ରଶେଖରପୁର,୨୨/୧୧: ପ୍ରଥମେ ଦେହ ଖରାପର ବାହାନା କରି ଜଣେ ମହିଳା ବିଭିନ୍ନ ଘରୋଇ ସଂସ୍ଥାରୁ ଲକ୍ଷାଧିକ ଟଙ୍କାର ଋଣ ଆଣିଲେ । ଟଙ୍କା ଦେବାର ସମୟ ଆସିବାରୁ ଘର ବଦଳାଇ ଲୁଚି ବୁଲିଲେ । ଏ ବିଷୟରେ ଜାଣିବା ପରେ ଅନ୍ୟ ମହିଳାମାନେ ରାସ୍ତା ମଝିରେ କାବୁ କରି ପୁଲିସ ଜିମା ଦେଇଛନ୍ତି । ଏମିତି ଘଟଣା ଦେଖିବାକୁ ଚନ୍ଦ୍ରଶେଖରପୁର ଥାନା ଡମଣା ଛକରେ ।

ଅଭିଯୋଗ ଅନୁଯାୟୀ ବରମୁଣ୍ଡା ଅଞ୍ଚଳରେ କିଛି ମହିଳା ମିଶିକରି ଏକ ଗୋଷ୍ଠୀ ଗଠନ କରିଛନ୍ତି । ସେହି ଅଞ୍ଚଳରେ ରହୁଥିବା ଜଣେ ମହିଳା ସେ ଗୋଷ୍ଠୀରେ ସଦସ୍ୟ ଥିଲେ । ୬ ମାସ ପୂର୍ବେ ୪ଟି ଘରୋଇ ସଂସ୍ଥାରୁ ୪ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଯାହାର ସାକ୍ଷୀ ମହିଳା ଗୋଷ୍ଠୀର ମହିଳାମାନେ ଥିଲେ। ଋଣ ଟଙ୍କା ପାଇବା ପରେ ମହିଳା ଜଣଙ୍କ ଘର ବଦଳାଇ ଦେବା ସହ ମୋବାଇଲ ବନ୍ଦ କରି ଦେଇଥିଲେ।

ଗୋଷ୍ଠୀର ମହିଳା ଖୋଜା ଖୋଜି କଲେ ମଧ୍ୟ ତାଙ୍କର କିଛି ପତ୍ତା ପାଇପାରି ନଥିଲେ । ମହିଳା ଜଣଙ୍କ ପଟିଆରେ ରହୁଥିବା ଜାଣି ଅନ୍ୟ ମହିଳାମାନେ ତାଙ୍କ ଘରେ ପହଞ୍ଚିଥିଲେ । ମହିଳାଙ୍କୁ ସାଙ୍ଗରେ ଧରି ଅନ୍ୟ ମହିଳାମାନେ ଚନ୍ଦ୍ରଶେଖରପୁର ଥାନାକୁ ନେଇ ଯାଇଥିଲେ । ହେଲେ ସେ ଚାଲାକ୍‌ କରି ଥାନାରୁ ଚମ୍ପଟ ମାରିଥିଲେ । ଡମଣା ଛକରେ ଅଟୋରେ ଯିବା ପାଇଁ ଛିଡା ହୋଇଥିବା ଜାଣି ଅନ୍ୟ ମହିଳାମାନେ ସେଠାରେ ପହଞ୍ଚି ତାଙ୍କୁ କାବୁ କରିଥିଲେ । ପୁଲିସ ଭ୍ୟାନକୁ ଡାକି ତାଙ୍କୁ ଜିମା ଦେଇଛନ୍ତି। ଅଟକ ଥିବା ମହିଳା ଜଣଙ୍କ କହିଥିଲେ ମୋ ନାଁରେ ମିଥ୍ୟା ଅଭିଯୋଗ ହୋଇଛି । ମୁଁ ୩ଟି କିସ୍ତିରେ ୧ ଲକ୍ଷ ୫ ହଜାର ଟଙ୍କା ଦେଇଛି । ମୋ ପାଖରେ ସମସ୍ତ କାଗଜପତ୍ର ଅଛି । ତେବେ ମହିଳା ସତ କହୁଛନ୍ତି କି ମିଛ ପୁଲିସ ଅଟକ ପଚରାଉଚରା କରୁଛି ।