କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୨୪ ଘଣ୍ଟାରେ ୪୫ ମାମଲା ରୁଜୁ

କଟକ,୨୭/୪: ଲକ୍‌ଡାଉନ୍‌ ଏବଂ କୋଭିଡ୍‌ -୧୯ ନିୟମାବଳୀ ଉଲ୍ଲଙ୍ଘନ ଅଭିଯୋଗରେ ଶନିବାରଠୁ ରବିବାର ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ଆଉ ୪୫ଟି ମାମଲା ପୁଲିସ୍‌ ରୁଜୁ କରିଛି । ଏଥିରୁ ୪୦ଟି ମାମଲା ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ ରୁଜୁ କରାଯାଇଥିବା ସୂଚନା ମିଳିଛି ।

ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗରେ ୨ଟି ମାମଲା ରୁଜୁ ହୋଇଥିବାବେଳେ କୋଭିଡ୍‌ -୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ୩ଟି ମାମଲା ରୁଜୁ କରାଯାଇଛି । ପୂର୍ବ ଅପେକ୍ଷା ଏବେ ଉଲ୍ଲଂଘନକାରୀଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ଗତ ୩/୪ ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରୁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି ।

ରାଜ୍ୟ ବାହାରୁ ତଥା ପଡୋଶୀ ପଶ୍ଚିମବଙ୍ଗ ଅଞ୍ଚଳରୁ ଘରକୁ ଲୁଚିଛପି ଫେରିଥିବା କିଛି ଶ୍ରମିକ ଏବେ ନିଜ ଅଞ୍ଚଳ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । ଏପରିସ୍ଥଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ପୁଲିସ ଅଧିକ ତତ୍ପର ରହିଛି । ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ ପୁଲିସ୍‌ କଡ଼ାକଡ଼ି କରିବା ସହ ରାସ୍ତାଘାଟରେ ଗାଡ଼ିମୋଟର ଅଟକାଇ ଯାଞ୍ଚ ଚଳାଇଛି । ପୁଲିସ୍‌ର ଦାୟିତ୍ୱ ବଢ଼ି ଯାଇଥିବାରୁ କରୋନା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏବେ ଫୋର୍ସ ମୁତୟନ ମଧ୍ୟ ବଢ଼ାଇ ଦିଆଯାଇଛି । ଲକ୍‌ଡାଉନ୍‌ ସମୟରେ ଯେପରି କେହି ମନଇଚ୍ଛା ବାହାରେ ନବୁଲିବେ ଏବଂ ସରକାରଙ୍କ କ୍ୱାରେଣ୍ଟାଇନ୍‌ ନିର୍ଦ୍ଦେଶନାମାକୁ ମାନି ରହିବେ ସେ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ଡିଜିଙ୍କ ନିର୍ଦ୍ଦେଶ ରହିଥିବାରୁ ପୁଲିସ୍‌ ଅଧିକ ତତ୍ପର ହୋଇଛି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ : ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ