ଉତ୍କଳ ବିଶ୍ୱବିଦ୍ୟାଳୟ ୪୯ତମ ସମାବର୍ତ୍ତନ ଉତ୍ସବ- ‘ବିଶ୍ୱବିଦ୍ୟାଳୟ ମଣିଷ ତିଆରି କାରଖାନା’

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ହେଉଛି ଏକ ମଣିଷ ତିଆରି କାରଖାନା । କେବଳ କୋଠା କରିଦେଲେ ବିକାଶ ହୁଏନି । ବରଂ ଛାତ୍ରଛାତ୍ରୀ ଓ ଏହାର ଅଧ୍ୟାପକମାନଙ୍କ ଅଧ୍ୟାପନାରେ ବିଶ୍ୱବିଦ୍ୟାଳୟ ସମୃଦ୍ଧ ହୁଏ । ଦେଶରେ ଏବେ ଶିକ୍ଷା ବହୁ ସମସ୍ୟା ଦେଇ ଗତି କରୁଛି । ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆମେ ବହୁ ପଛରେ ପଡିଯାଇଛୁ । ତାହାର ସମାଧାନ ପାଇଁ ସମସ୍ତେ ଏକାଠି ହେବା ଦରକାର । ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ କରି ବିଶ୍ୱର ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ଆମକୁ ପ୍ରତିଯୋଗିତା କରିବାକୁ ପଡିବ । ଆମ ପାଖରେ ଥିବା ସମ୍ବଳକୁ ଆଧାର କରି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ହେବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ୪୯ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ ଏସ୍‌ ଜାଭେରି କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ପିଲାମାନଙ୍କୁ ସମ୍ବୋଧିତ କରି କହିଥିଲେ ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ଦେଶର ବିକାଶ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରେ । ଏଠାରୁ ଅଧ୍ୟୟନ ଶେଷ ହେଲା ପରେ ତୁମେମାନେ ବିଭିନ୍ନ କ୍ଷେତ୍ରରେ ଯାଇ କାର୍ଯ୍ୟ କରିବ । ସେତେବେଳେ ଏଠାରୁ ଯେଉଁ ତାଲିମ ଓ ଶିକ୍ଷା ଗ୍ରହଣ କରିଛ ତାହା ତୁମମାନଙ୍କ ପାଇଁ ସହାୟକ ହେବ । ନିଜ ଭିତରେ ଥିବା ଆତ୍ମବିଶ୍ୱାସକୁ ଜାଗ୍ରତ କର । ନିଜ ଦାୟିତ୍ୱକୁ ପୂରଣ କର । ଜୀବନରେ ହାରିଗଲେ ବି କେବେ ଭୟଭୀତ ହୁଅ ନାହିଁ ।
ଯେତେବେଳେ କୌଣସି ପ୍ରତିବନ୍ଧକ ଆସିବ ସେତେବେଳେ ତୁମେ ଆହରଣ କରିଥିବା ଜ୍ଞାନକୁ ଆଧାର କରି ପ୍ରତିବନ୍ଧକର ସାମ୍ନା କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସେ କହିଥିଲେ ପୁରାତନ କାଳରେ ଆମ ଦେଶର ଶିକ୍ଷାନୁଷ୍ଠାନ ବହୁ ସମୃଦ୍ଧ ଥିଲା । ନାଳନ୍ଦା ଓ ତକ୍ଷଶୀଳା ପରି ବିଶ୍ୱବିଦ୍ୟାଳୟ ବିଶ୍ୱର ସ୍କଲରମାନଙ୍କୁ ଆକୃଷ୍ଟ କରି ପାରିଥିଲା । ବାହାର ଦେଶର ଛାତ୍ରଛାତ୍ରୀମାନେ ମଧ୍ୟ ଏଠାକୁ ଜ୍ଞାନ ଆହରଣ କରିବାକୁ ଆସିପାରିଥିଲେ । ଉତ୍କଳ ମଧ୍ୟ ସେହି ପୁରାତନ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରୁ ଅନ୍ୟତମ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କହିଥିଲେ ଛାତ୍ରଛାତ୍ରୀମାନେ ସବୁବେଳେ ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବା ଦରକାର । ଯଦି ଏହା ନ କରି ପାରୁଛ ତେବେ ଅତି କମ୍‌ରେ ସବୁବେଳେ ମୁହଁରେ ସ୍ମତହସ ଧାରଣା କରିବା ଉଚିତ । ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶକ ଗୀତାଞ୍ଜଳି ବଟମାନବେନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଛାତ୍ରଛାତ୍ରୀମାନେ ଯେଉଁ ଲକ୍ଷ୍ୟ ନେଇ ଏଠାକୁ ଆସିଥିଲେ ତାହା ଆଜି ସଫଳ ହୋଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବରେ ୮୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଓ ୨୪୭ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ସ୍ୱର୍ଣ୍ଣପଦକ ଦେବାକୁ ଡାକି, ଠକିଦେଲେ
ଭୁବନେଶ୍ୱର,୨୯ା୩(ବ୍ୟୁରୋ): ଶୁକ୍ରବାର ଥିଲା ଉତ୍କଳ ବିଶ୍ୱବିଦ୍ୟାଳୟର ୪୯ତମ ସମାବର୍ତ୍ତନ ଉତ୍ସବ । ଏଥିପାଇଁ ବିଭିନ୍ନ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଦେଇ ସମ୍ବର୍ଦ୍ଧିତ କରାଯିବା ବୋଲି ବିଭିନ୍ନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚିଠି କରାଯାଇଥିଲା । ସମାଜବିଜ୍ଞାନ ବିଭାଗର ଛାତ୍ରୀ ହରପ୍ରିୟା ବାରିକଙ୍କୁ ମଧ୍ୟ ମାର୍ଚ୍ଚ ୧୦ ତାରିଖରେ ଏନେଇ ବିଭାଗ ମୁଖ୍ୟଙ୍କ ପାଖରୁ ଚିଠି ଆସିଥିଲା । ହେଲେ ଆଜି ଉତ୍ସବ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ତାଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥିବା କୁହାଯାଇଥିଲା । ଏହା ବିରୋଧରେ ହରପ୍ରିୟା କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ।

ସମାବର୍ତ୍ତନ ଉତ୍ସବ ଇତିହାସରେ ପ୍ରଥମ କାହାକୁ ମିଳିଲାନି ସମ୍ମାନଜନକ ଡକ୍ଟରେଟ
ଭୁବନେଶ୍ୱର,୨୯ା୩(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସରେ ଏଭଳି ଘଟଣା ପ୍ରଥମ । ପ୍ରତିବର୍ଷ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ୍ନାସ୍ପଦ ଡକ୍ଟରେଟ ଉପାଧି ପ୍ରଦାନ କରାଯାଉଥିବା ବେଳେ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ଓଡ଼ିଶା ନୁହେଁ ବରଂ ଦେଶରୁ ମଧ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ବାଛି ପାରିନାହାନ୍ତି ।

ଏନେଇ ବିଶ୍ୱବିଦ୍ୟାଳୟରେ ଏକ ୫ ଜଣିଆ ସିଣ୍ଡିକେଟ୍‌ ବୈଠକ ବସିଥିଲା । ଯେଉଁଥିରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଉପସ୍ଥାପିତ ହୋଇଥିଲା । ସେମାନଙ୍କ ମଧ୍ୟରେ ଜଣେ ଜନପ୍ରିୟ ବୈଜ୍ଞାନିକ ତଥା ସମାଜସେବାରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିବା ବ୍ୟକ୍ତି ବିଶେଷ ଥିବା ବେଳେ ଦୁଜଣ ଚିକିତ୍ସକଙ୍କ ନାଁ ଉଠିଥିଲା । ଅନ୍ୟ ଜଣେ ଆଇନ ବିଶାରଦଙ୍କ ନାଁ ବି ଏହି ତାଲିକାରେ ଉଠିଥିଲା । ହେଲେ ଏହି ୫ ଜଣଙ୍କୁ କାହିଁକି ଡକ୍ଟରେଟ ଉପାଧି ଦିଆଯିବ ତାହାର କୌଣସି ତାଳମେଳ ମିଳିପାରିନଥିବାରୁ ଏଥର ଡକ୍ଟରେଟ ଉପାଧି ଦିଆଯିବା ପରମ୍ପରାକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଗଲା । ବିଶ୍ୱବିଦ୍ୟାଳୟର ଇତିହାସକୁ ଦେଖିଲେ ଜଣାଯାଏ ଯେ ୪୮ଟି ସମାବର୍ତ୍ତନ ଉତ୍ସବରେ ପାଖାପାଖି ୨୦୦ ଜଣ ବ୍ୟକ୍ତିବିଶେଷଙ୍କୁ ଏହି ଉପାଧି ମିଳିଛି । ତା ଭିତରୁ ଅନେକ ସମାଜ, ସାହିତ୍ୟ, ବିଜ୍ଞାନ, ଆଇନ, ସମାଜସେବା ଓ ମେଡିକାଲ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିଲେ । ତେବେ ଚଳିତ ବର୍ଷ ବିଶ୍ୱବିଦ୍ୟାଳୟକୁ ଯୋଗ୍ୟ ବ୍ୟକ୍ତି ନ ମିଳିବା ପରିତାପର ବିଷୟ ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା