ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ମାରିଲା ଫେଲ୍: ଶାବଳ ଜବତ, ୫ ଗିରଫ

କଟକରୋଡ୍‌,୨୨/୧୧: ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ହଳଦିପଡ଼ିଆ ବସ୍ତିରେ ରହୁଥିବା କୃଷ୍ଣଚନ୍ଦ୍ର ବାରିକ ଓରଫ ଟିଲୁ, ଲଲନ କୁମାର ଦାସ, କାଳନ୍ଦି ବେହେରା ଓରଫ କାଳିଆ, ଶଙ୍କର ବେହେରା ଓରଫ ଟିକିନା ଓ ଲିଟୁ ବେହେରା ଓରଫ ଭାଲୁ ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ପ୍ରାୟ ସାଢେ ୫ଟାରେ ଝାରପଡ଼ା ଓଭରବ୍ରିଜ୍‌ ଛକ ଇଣ୍ଡିଆନ ବ୍ୟାଙ୍କ କଡରେ ଥିବା ଏଟିଏମ୍‌ କାଉଣ୍ଟରରେ ୫ ଅଭିଯୁକ୍ତ ପହଞ୍ଚି ଥିଲେ । ଏକ ଶାବଳ ସାହାଯ୍ୟରେ ସଟର ତାଡ଼ିଥିଲେ । ୨ ଅଭିଯୁକ୍ତ ଏଟିଏମ୍‌ ଭିତରକୁ ଯାଇଥିବା ବେଳେ ଅନ୍ୟମାନେ ବାହାରେ ଜଗିଥିଲେ । ଗିରଫ ଭୟରେ ଏଟିଏମ୍‌ ମଧ୍ୟରେ ଥିବା ସିସିଟିଭି କ୍ୟାମେରାରେ ସେମାନେ କାଦୁଅ ବୋଳିଦେବା ସହ ଏକ ସ୍କୃ ଡ୍ରାଇଭର ମାଧ୍ୟମରେ ଏଟିଏମ୍‌ ମେସିନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଟିଏମ୍‌ ମଧ୍ୟରୁ କେହି ନ ବାହାରିବା ଫଳରେ କାଉଣ୍ଟର ନିକଟରେ ଥିବା ଅନ୍ୟ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଭିତରକୁ ଯାଇ ଦେଖିବା ପରେ ଲଲନ ଓ ଟିଲୁ ମେସିନ ଭାଙ୍ଗୁଥିବା ଦେଖିବାକୁ ପାଇଥିଲେ । କାବୁ କରିବାକୁ ଲୋକେ ଚେଷ୍ଟା କରୁଥିବା ସମୟରେ ସମସ୍ତେ ଖସି ପଳାଇଥିଲେ । ମାତ୍ର ଲଲନ ଧରା ପଡ଼ିଯାଇଥିଲା । ତାକୁ ପୁଲିସ ଜିମା ଦିଆଯିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ବାଟ ପରିସ୍କାର ହୋଇଥିଲା । ଲଲନକୁ ଥାନାରେ ଜେରା ପରେ ସେ ସମସ୍ତ ଘଟଣା ମାନିଥିଲା । ଥାନାଧିକାରୀ ଭରତ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ହଳଦିପଡ଼ିଆ ବସ୍ତିରେ ଚଢଉ କରି ଅନ୍ୟ ୪ ଅଭିଯୁକ୍ତଙ୍କୁ ଧରିଥିଲା । ପୁଲିସ ଏମାନଙ୍କଠାରୁ ଶାବଳ ଓ ସ୍କୃ ଡ୍ରାଇଭର ଜବତ କରିଛି ।