ନାମାଙ୍କନପତ୍ର ଦାଖଲ କଲେ ୫ ପ୍ରାର୍ଥୀ

source:www.cityofenderby.com
ଭୁବନେଶ୍ୱର,୧୯ା୩(ବ୍ୟୁରୋ): ସପ୍ତଦଶ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ମୋଟ୍ ୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଲୋକସଭା ପ୍ରାର୍ଥୀ ରହିଥିବା ବେଳେ ୪ ଜଣ ବିଧାନସଭା ପ୍ରାର୍ଥୀ ଅଛନ୍ତି । ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତି ମୁତାବକ, ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମାଲକାନଗିରି, ବ୍ରହ୍ମପୁର ଓ ଗୋପାଳପୁର ବିଧାନସଭା ଆସନ ପାଇଁ ଆଜି ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଆଜି ସକାଳେ ନିର୍ବାଚନ ଆୟୋଗ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଆସ୍କା ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏହାବାଦ୍ କଣ୍ଟାବାଞ୍ଝି ବିଧାନସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସୂଚନା ଥାଉକି, ଗତକାଲି ପ୍ରଥମ ପର୍ଯ୍ୟାୟ ଭୋଟିଂରେ ବିଧାନସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ।