ପାକିସ୍ତାନରେ ଅସୁରକ୍ଷିତ ହିନ୍ଦୁ ; ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ହତ୍ୟା, ଛୁରୀ ଓ କଟୁରୀରେ କଟା ଯାଇଛି ସମସ୍ତଙ୍କ ଗଳା…

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ପରିବାରର ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ପରିବାରର ସମସ୍ତ ସଦସ୍ୟଙ୍କୁ ତୀକ୍ଷ୍ଣ ବା ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଲୋକମାନେ ପୁଣି ଥରେ ଭୟଭୀତ ହୋଇପଡିଛନ୍ତି ।
ଦି ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଅନୁଯାୟୀ, ଏହି ଘଟଣାଟି ରହୀମ ୟାର ଖାନ ସହରଠାରୁ ୧୫ କିଲୋମିଟର ଦୂରରେ ଥିବା ଆବୁଧାବି କଲୋନିର ଚକ ନମ୍ବର ୧୩୫-ପି ରୁ ଆସିଛି । ପରିବାରର ସମସ୍ତ ସଦସ୍ୟଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଛି । ପୋଲିସ ଏହି ଘରୁ ଛୁରୀ ଓ କୁରାଢୀ ଜବତ କରିଛି । ଏହି ଅସ୍ତ୍ରଶସ୍ତ୍ର ଦ୍ବାରା ଏହି ଆକ୍ରମଣ କରାଯାଇଛି ବୋଲି ବିଶ୍ୱାସ କରାଯାଉଛି ।
ରହୀମ ୟାର ଖାନରେ ସାମାଜିକ କର୍ମୀ ବିରବଲ ଦାସ କହିଛନ୍ତି ଯେ ହତ୍ୟା କରାଯାଇଥିବା ରାମ ଚାନ୍ଦ ମେଘୱାଲ ଜଣେ ହିନ୍ଦୁ ଏବଂ ତାଙ୍କର ବୟସ ୩୫-୩୬ ବର୍ଷ ହେବ । ସେ ଦୀର୍ଘ ଦିନ ଧରି ଏକ ଟେଲର ଦୋକାନ ଚଳାଉଥିଲେ । ସେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଥିଲେ ଏବଂ ସୁଖମୟ ଜୀବନଯାପନ କରୁଥିଲେ । ସେ କହିଛନ୍ତି ଯେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।
ହିନ୍ଦୁ ପରିବାରର ନିର୍ମମ ହତ୍ୟା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପାକିସ୍ତାନର ପଞ୍ଜାବର ମୁଖ୍ୟମନ୍ତ୍ରୀ ସର୍ଦ୍ଦାର ଓସମାନ ବୁଜଦର ଏହି ମାମଲାକୁ ଗ୍ରହଣ କରି ଶୀଘ୍ର ଦୋଷୀମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପାକିସ୍ତାନରେ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟ ଉପରେ ଆକ୍ରମଣ ସାଧାରଣ କଥା । ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅମାନେ ପ୍ରାୟତ ଅପହରଣ ହୋଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥାନ୍ତି । ଗତ ମାସରେ ଜଣେ ପୋଲିସ ସିନ୍ଧ ପ୍ରଦେଶର ଜଣେ ହିନ୍ଦୁ ଝିଅକୁ ଅପହରଣ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲା ଏବଂ ପରେ ତାଙ୍କୁ ବିବାହ କରିଥିଲା ।