‘୫-ଟି’ ପ୍ରଭାବ: ୩ ଘଣ୍ଟାରେ ୩୩ଲକ୍ଷ ମଞ୍ଜୁର

ଭୁବନେଶ୍ୱର ୧୧/୧୨: ‘ ୫-ଟି’ ସଚିବ ଭି କେ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତରୁ ଆଜି ଶାରୀରିକ ଓ ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ ବେଶ୍‌ ଲାଭ ମିଳିଛି । ୩ ମାସ ହେବ ଶାରୀରିକ ଓ ମାନସିକ ଭିନ୍ନକ୍ଷମମାନଙ୍କୁ ଥଇଥାନ କରୁଥିବା ସଂସ୍ଥାଗୁଡ଼ିକୁ ମିଳିବାକୁ ଥିବା ୩୩ ଲକ୍ଷ ଟଙ୍କା ମାତ୍ର ୩ ଘଣ୍ଟା ମଧ୍ୟରେ ମଞ୍ଜୁର ହୋଇଛି । ଏ ସମ୍ପର୍କରେ ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହେବା ସହ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପରିସ୍ଥିତିରେ ଭିନ୍ନକ୍ଷମମାନଙ୍କ ପ୍ରତି ଏଭଳି ଅବହେଳାକୁ ବରଦାସ୍ତ କରାଯିବନି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଶ୍ରୀ ପାଣ୍ଡିଆନ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ଗସ୍ତ କରିଥିଲେ । ତାଙ୍କ ଗସ୍ତକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚଳଚଞ୍ଚଳ ହୋଇ ଉଠିଥିଲା । ୫-ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ନ୍ୟାସନାଲ ହେଲଥ୍‌ ମିଶନ ଏମ୍‌ଡି ଶାଳିନୀ ପଣ୍ଡିତ ଆସିଥିଲେ । ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କଠାରୁ ଫୋନ୍‌ କଲ୍‌ ପାଇ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଏସ୍‌ପି ରାଜେଶ ପଣ୍ଡିତ, ସିଡିଏମଓ ଡା. ଜଗନ୍ନାଥ ପହି, ଏନଏଚ୍‌ଏମ୍‌ ଡିପିଏମ୍‌ ସରିତା ମହାପାତ୍ର ପ୍ରମୁଖ ଜିଲ୍ଲା ହସ୍ପିଟାଲରେ ତରବରିଆ ଭାବେ ପହଞ୍ଚିଥିଲେ ।

ପ୍ରଥମେ ୫-ଟି ସଚିବ ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଏସ୍‌ଏନ୍‌ସିୟୁ ୱାର୍ଡକୁ ଯାଇ ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ କରିଥିଲେ। ପରେ ସେ ଫିମେଲ ମେଡିସିନ୍‌,

ଡାଇଲିସିସ୍‌, ଟ୍ରମା କେୟାର ୟୁନିଟ୍‌ ଓ ସର୍ଜରୀ ୱାର୍ଡକୁ ଯାଇ ଚିକିତ୍ସାଧୀନ ରୋଗୀଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ସିଡିଏମଓ କାର୍ଯ୍ୟାଳୟକୁ ଯାଇ ମୁଖ୍ୟ ଚିକିତ୍ସାଳୟରେ ଥିବା ପ୍ରମୁଖ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ୩ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ପଚାରି ଚିକିତ୍ସା, ମାଗଣା ଔଷଧ ବିତରଣ, ବାହାରକୁ ଟେଷ୍ଟ ପାଇଁ ପଠା ନଯିବା, ନିୟମିତ ଖାଦ୍ୟ ଯୋଗାଣ, ସଫେଇ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଛି କି ନାହିଁ ପଚାରି ଥିଲେ ।

ସେହିଭଳି ଜିଲ୍ଲା ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ପାଇଁ ୧୨ ଲକ୍ଷ ଟଙ୍କା ଓ ଟିକେଟ କାଉଣ୍ଟର ସଂଖ୍ୟା ବୃଦ୍ଧି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଡାକ୍ତରଖାନାରୁ ଚରମ୍ପା ନିକଟରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ଭିନ୍ନକ୍ଷମ ଓ ମାନସିକ ଅକ୍ଷମ ଥଇଥାନ କେନ୍ଦ୍ର (ସେଣ୍ଟର ଫର ରିହାବିଲଟେସନ ସର୍ଭିସେସ୍‌ ଆଣ୍ଡ ରିସର୍ଚ୍ଚ)କୁ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ପିଲାଙ୍କ ସହ ମଧ୍ୟାହ୍ନଭୋଜନ ଗ୍ରହଣ କରି ଭଲମନ୍ଦ ବୁଝିବା ବେଳେ ଜାଣିବାକୁ ପାଇଲେ ଯେ ଗତ ୩ ମାସ ହେବ ଅନ୍ତେବାସୀଙ୍କ ଖାଇବା ବାବଦ ପାଣ୍ଠି ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗରୁ ମଞ୍ଜୁର ହୋଇନି। ଏ ସଂପର୍କରେ ୫ ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ତୁରନ୍ତ ଭଦ୍ରକ, ପୁରୀ ଓ ଅନୁଗୁଳ ଜିଲ୍ଲାରେ ଭିନ୍ନକ୍ଷମ ରହୁଥିବା ୩ଟି ସ୍ୱେଚ୍ଛାସେବୀ ସଂସ୍ଥାର ବକେୟା ୩୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ଚରମ୍ପାର ସେଣ୍ଟର ଫର ରିହାବିଲିଟେସନ ସର୍ଭିସେସ୍‌ ଆଣ୍ଡ ରିସର୍ଚ୍ଚକୁ ୨୨ ଲକ୍ଷ ୨୦ ହଜାର, ପୁରୀ ପଣ୍ଡାପୋଖରୀର ଇନଷ୍ଟିଚ୍ୟୁଟ୍‌ ଫର ସେଲଫ ଏମ୍ପ୍ଲୟମେଣ୍ଟ ଆଣ୍ଡ ରୁରାଲ ଡେଭେଲପମେଣ୍ଟକୁ ୫ ଲକ୍ଷ ୪୦ ହଜାର ଏବଂ ଅନୁଗୁଳ ହାକିମପଡ଼ାର ଶିବାଙ୍ଗିନୀ ଇନଷ୍ଟିଚ୍ୟୁଟ୍‌ ଅଫ ଚାଇଲ୍‌ଡ ଡେଭେଲପମେଣ୍ଟକୁ ୫ ଲକ୍ଷ ୪୦ ହଜାର ମଞ୍ଜୁର ହୋଇଛି । ଏହି ପାଣ୍ଠି ବାକି ଥିବାରୁ ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ