ଏବେ ବି ରହସ୍ୟରେ: ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ବଳିପଡିଲା କି ୫ ବର୍ଷର ଶିଶୁ ଜୀବନ?

ଭୁବନେଶ୍ୱର,୫/୦୬: ପଡ଼ୋଶୀ ତନୁଶ୍ରୀ ପାରମାଣିକ ସାଢ଼େ ୫ ବର୍ଷର ଶିଶୁପୁତ୍ରକୁ ତଣ୍ଟିଚିପି ହତ୍ୟା କରିବା ଘଟଣା ଏବେ ବି ରହସ୍ୟରେ । କେଉଁ କାରଣରୁ ଏଭଳି ବର୍ବର କାଣ୍ଡ ଭିଆଇଲେ, ଏଯାଏଁ ତାହାର ଠୋସ୍‌ ପ୍ରମାଣ ପୁଲିସକୁ ମିଳିନି । ପଡ଼ୋଶୀଙ୍କୁ ପଚରାଉଚରା ଓ ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି, ଅଘଟଣ ପୂର୍ବରୁ ତନୁଶ୍ରୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା । ଦମ୍ପତିଙ୍କ କଳହ ଯୋଗୁ ସାଇଶ୍ରୀ ବଳି ପଡ଼ିଥିବା ପୁଲିସ ସନ୍ଦେହ କରୁଛି ।
ଖଣ୍ଡଗିରି ଥାନା ପୁଲିସର ଏକ ଟିମ୍‌ ଆଇଗିଣିଆ ରାଜୀବ ନଗର ଯାଇଥିଲା । ଗତକାଲିର ଘଟଣା ସମ୍ପର୍କରେ ସାଇଶ୍ରୀଙ୍କ ପରିବାର ଲୋକ ଓ ତନୁଶ୍ରୀ ଭଡାରେ ରହୁଥିବା ଘର ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ନାମ ଏବଂ ଠିକଣାର ରେକର୍ଡ କରିଥିଲା ।

ସାଇଶ୍ରୀଙ୍କ ଜେଜେଙ୍କ କହିବା ମୁତାବକ, ସେ ଗତକାଲି ସାଇଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଏକ ଅସ୍ୱାଭାବିକ ଦୃଶ୍ୟ ଦେଖିଥିଲେ । ହଠାତ୍‌ ତନୁଶ୍ରୀ ତାଙ୍କ ଘରକୁ ଆସିଥିଲେ । ଆଉ ହିନ୍ଦୀ ଭାଷାରେ କହିଥିଲେ, ମୋ ସ୍ୱାମୀଙ୍କ ସହ ମୋର ପ୍ରବଳ ଝଗଡ଼ା ହୋଇଛି । ସେ ମୋ ମୋବାଇଲ୍‌ ଫୋନ୍‌ ଛଡାଇ ନେଇଛନ୍ତି । ଟିକେ ଆପଣଙ୍କ ମୋବାଇଲ୍‌ ଦିଅନ୍ତୁ । ପଶ୍ଚିମବଙ୍ଗରେ ରହୁଥିବା ମୋ ପରିବାର ଲୋକଙ୍କୁ ଝଗଡ଼ା ସମ୍ପର୍କରେ ଜଣାଇବି । ବ୍ୟସ୍ତବିବ୍ରତ ହୋଇ ମୋବାଇଲରେ କଥା ହେଲା ପରେ ତନୁଶ୍ରୀ ନିଜ ଘରକୁ ପଳାଇଥିଲେ । ଏହାର କିଛି ସମୟ ପରେ ତନୁଶ୍ରୀ ପୁଣି ସାଇଶ୍ରୀଙ୍କ ଘରେ ପହଞ୍ଚି ପିଲାକୁ ନିଜ ଘରକୁ ଖେଳିବାକୁ ଡାକି ନେଇଥିଲେ ।

ସାଇଶ୍ରୀଙ୍କ ପରିବାର ଲୋକଙ୍କ ଏଭଳି ବୟାନକୁ ପୁଲିସ ଗୁରୁତର ସହ ନେଇଛି । ସନ୍ଦେହ କରୁଛି, ହୁଏତ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହିଁ ତନୁଶ୍ରୀଙ୍କୁ ଅଧିକ ଟେନସନ ଦେଇଥିବ । ମାନସିକ ଭାରସାମ୍ୟ ହରାଇ ସେ ଏଭଳି ବର୍ବର କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି ।

ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ
ଘଟଣାସ୍ଥଳକୁ ଆଜି ଦିନ ସାଢ଼େ ୧ଟା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଯାଇଥିଲା । ସିଲ୍‌ ହୋଇଥିବା ରୁମ୍‌କୁ ଖୋଲି ତନ୍ନତନ୍ନ କରି ଯାଞ୍ଚ କରିଥିଲା । ରୁମ୍‌ ଯାଞ୍ଚ ବେଳେ ଟିମ୍‌ ଦେଖିଛି, ଉକ୍ତ ରୁମ୍‌ର ସମସ୍ତ ଆସବାବପତ୍ର ଅସଜଡ଼ା ହୋଇ ପଡି଼ଥିଲା । ରୁମ୍‌ରେ ପଡିଥିବା ଖଟରେ ଏକ ଓଢ଼ଣୀ ଓ ଚଟାଣରେ ପଡି଼ଥିବା ୨ଟି ଖେଳନା ଜବତ କରିଛି ଟିମ୍‌ । ପ୍ରାୟ ଦେଢ଼ ଘଣ୍ଟା ଧରି ଟିମ୍‌ ଛାନ୍‌ଭିନ୍‌ କରିବା ପରେ ରାଜୀବ ନଗରରୁ ଫେରି ଯାଇଥିଲା ।

ଚେତା ଫେରୁନି, ତନୁଶ୍ରୀଙ୍କୁ ପୁଲିସ ଜଗିଛି
ତନୁଶ୍ରୀ ଏବେ ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ । ଆଜି ଦିନବେଳା ତାଙ୍କର ଥରେ ଚେତା ଫେରିଥିଲା । କିନ୍ତୁ ପୁଣି ସେ ବେହୋସ୍‌ ହୋଇଯାଇଥିଲେ । ତନୁଶ୍ରୀ ଚିକିତ୍ସିତ ହେଉଥିବା ୱାର୍ଡ ବାହାରେ ପୁଲିସ୍‌ର ଏକ ଟିମ୍‌ ଜଗି ରହିଛି । ତାଙ୍କ ସଂଜ୍ଞା ଫେରିବା ପରେ ଜେରା କରାଯିବ । ଏହାପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି ।

ଆଇଗିଣିଆ ଶ୍ମଶାନରେ ଶବ ସତ୍କାର
କ୍ୟାପିଟାଲ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ ପରେ ସାଇଶ୍ରୀ ମୃତଦେହ ରାଜୀବ ନଗରକୁ ଫେରିଥିଲା । ଗତକାଲିଠୁ ସ୍ତବ୍ଧ ହୋଇ ଯାଇଥିବା ପୂରା କଲୋନିରେ ପୁଣି କୋଳାହଳ ଶୁଭିଥିଲା । ସାଇଶ୍ରୀକୁ ହରାଇ ପ୍ରାୟ ସମସ୍ତେ ଦୁଃଖରେ ଭାଙ୍ଗି ପଡି଼ଥିଲେ। ପରିବାର ବର୍ଗ ଓ ପଡୋଶୀଙ୍କ ମଧ୍ୟରେ କାନ୍ଦବୋବାଳି ପଡି଼ଥିଲା । ପରେ ଆଇଗିଣିଆ ଶ୍ମଶାନରେ ସାଇଶ୍ରୀର ଶବଦାହ ହୋଇଥିଲା ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର