ଛ’ ହାଇୱେ ଲୁଟେରା ଗିରଫ: ମାରଣାସ୍ତ୍ର ଓ ଦୁଇ ବାଇକ୍‌, ୬ ମୋବାଇଲ୍‌ ଜବତ

ଭୁବନେଶ୍ୱର,୨୬ ।୪(ବ୍ୟୁରୋ): ଜାତୀୟ ରାଜପଥରେ ଲୁଟ୍‌ପାଟ କରି ଆତଙ୍କ ଖେଳାଇଥିବା ଏକ ଲୁଟେରା ଗ୍ୟାଙ୍ଗ୍‌ର ୬ ଜଣ ସଦସ୍ୟଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଭରତପୁରରେ ରହୁଥିବା ଗ୍ୟାଙ୍ଗ୍‌ ଲିଡର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ବୁବୁ ଓରଫ ଦେବୀ ପ୍ରସାଦ ଜେନା(୨୦), ମଞ୍ଚେଶ୍ୱରରେ ରହୁଥିବା ବାଲିପାଟଣା ମିଶ୍ର ସାହିର ରିଙ୍କୁ ଓରଫ ପ୍ରଭୂ ଓରଫ ପ୍ରଭୂଦତ୍ତ ତ୍ରିପାଠୀ(୨୩), ପୋଖରୀପୁଟର ସନିଆ ଓରଫ ସନାତନ ବେହେରା(୨୦), ପୋଖରୀପୁଟରେ ରହୁଥିବା ବୋଲଗଡ଼ ମାଣିକଗୋଡ଼ାର ଚେଙ୍ଗ ଓରଫ ରାଜେଶ ବେହେରା(୨୦), ବରମୁଣ୍ଡାରେ ରହୁଥିବା ଜଟଣୀ ଦେଉଳବସ୍ତର ଦୀପୁ ଓରଫ ଦୀପକ ସାହୁ(୧୯) ଓ ବାଲେଶ୍ୱର ସିମୁଳିଆର ଚନ୍ଦନ କୁମାର ଦାସ(୨୪) । ଗିରଫ ଲୁଟେରାଙ୍କ ଠାରୁ ୩ଟି ବାଇକ୍‌, ୬ଟି ମୋବାଇଲ୍‌ ଫୋନ୍‌, ୩୮୦୦ଟଙ୍କା ଓ ଏକ ଛୁରି ଜବତ ହୋଇଛି । ଗିରଫଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ୬ ଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

ପୁଲିସ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁରର ଜଗନ୍ନାଥ ଦାସ ଏକ ଆଳୁ ବୋଝେଇ ଟ୍ରକ୍‌(ଓଡି୦୧ଏବି-୭୪୧୧) ନେଇ ଆଇଗିଣିଆ ଗଦିକୁ ଆସିଥିଲେ । ସେ ୨୪ ତାରିଖ ବିଳମ୍ବିତ ରାତିରେ ଆଳୁଗଦିରେ ପହଞ୍ଚିଥିଲେ । ସେତେବେଳକୁ ଗଦି ବନ୍ଦ ଥିବାରୁ ଜଗନ୍ନାଥ ଟ୍ରକ୍‌କୁ ଆଇଗିଣିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ରଖିଥିଲେ । ଟ୍ରକ୍‌ କ୍ୟାବିନ୍‌ ଭିତରେ ଜଗନ୍ନାଥ ଓ ହେଲ୍‌ପର ଶୋଇଥିଲେ । ଭୋର ସାଢ଼େ ୩ଟାବେଳେ ୩ଟି ବାଇକ୍‌ରେ ୬ ଲୁଟେରା ଆସି ଟ୍ରକ୍‌ କ୍ୟାବିନ୍‌ ଖୋଲିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ କ୍ୟାବିନ୍‌ ଭିତରେ ପଶି ଜଗନ୍ନାଥ ଓ ହେଲ୍‌ପରଙ୍କୁ ଛୁରି ଦେଖାଇ ପାଖରେ କ’ଣ ରଖିଛ ଦେଇଦିଅ ବୋଲି କହିଥିଲେ । ଜଗନ୍ନାଥ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ । ଜଗନ୍ନାଥଙ୍କ ଠାରୁ ୧୦ ହଜାର ଟଙ୍କା, ଗାଡ଼ିର କାଗଜପତ୍ର ଓ ୨ଟି ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ । ଏହି ସମୟରେ ପିସିଆର ଭ୍ୟାନ୍‌ ପହଞ୍ଚି ଯିବାରୁ ଲୁଟେରାମାନେ ବାଇକ୍‌ରେ ଖସି ପଳାଇଥିଲେ । ଜଗନ୍ନାଥଙ୍କ ଅଭିଯୋଗକୁ ଭିତ୍ତିକରି ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା । ଗତକାଲି ସନ୍ଧ୍ୟାରେ ୬ ଲୁଟେରା ଆଇଗିଣିଆ ଆଳୁଗଦି ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା । ଗିରଫ ଲୁଟେରାଙ୍କ ଠାରୁ ୩ଟି ବାଇକ୍‌ ସହ ୩୮୦୦ ଟଙ୍କା, ୬ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଛୁରି ଜବତ କରା ଯାଇଥିଲା ।

ଏହି ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍‌ର ଲିଡର ହେଉଛି ବୁବୁ । ବୁବୁ ନାମରେ କେବଳ ଖଣ୍ଡଗିରି ଥାନାରେ ଗତ ୨ ବର୍ଷ ଭିତରେ ୧୦ଟି ଲୁଟ୍‌ପାଟ ମାମଲା ଥିବା ବେଳେ ରାଜଧାନୀର ଅନ୍ୟ ଥାନା ମାନଙ୍କରେ ମଧ୍ୟ ଲୁଟ୍‌ପାଟ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି । ସେହିପରି ରିଙ୍କୁ ନାମରେ ଚନ୍ଦକା, ଖୋର୍ଦ୍ଧା, ଚନ୍ଦ୍ରଶେଖରପୁର ଓ ନୂଆପଲ୍ଲୀ ଥାନାରେ ୫ରୁ ଅଧିକ ମାମଲା ରହିଛି । ଚେଙ୍ଗ ନାମରେ ମଧ୍ୟ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନାରେ ଦୁଇଟି ମାମଲା ରହିଛି । ଏହି ଗ୍ୟାଙ୍ଗ୍‌ ଖଣ୍ଡଗିରି, ବରମୁଣ୍ଡା, ପୋଖରୀପୁଟ, ଆଇଗିଣିଆ ଅଞ୍ଚଳରେ ଲୁଟ୍‌ପାଟ କରି ଆତଙ୍କ ଖେଳାଇଥିଲେ ବୋଲି ପୁଲିସ ଜେରାରୁ ଜାଣିବାକୁ ପାଇଛି ।