‘ତିତ୍‌ଲି’କୁ ୬ ମାସ ବିତିଲା: ୧୧ କୋଟି ଆସିଛି, ଚାଷୀଙ୍କୁ ଦିଆଯାଉନି

ରାୟଗଡା,୨୮ ।୪(ଆପ୍ର): ୬ ମାସ ତଳେ ପ୍ରଳୟ ସୃଷ୍ଟି କରିଥିଲା ସାମୁଦ୍ରିକ ଝଡ ତିତ୍‌ଲି । ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କୁ ମିଳିପାରିନି କ୍ଷତିପୂରଣ । ଅମଳ ପୂର୍ବରୁ ଏହି ସାମୁଦ୍ରିକ ଝଡ ଚାଷୀଙ୍କ ପାଚିଲା ଧାନ କ୍ଷେତକୁ ଉଜାଡି ଦେଲା । ସେଥିପାଇଁ ସହାୟତା ଘୋଷଣା କରାଗଲା । ଏହାକୁ ନିର୍ବାଚନ ପ୍ରସଙ୍ଗ ମଧ୍ୟ କରାଗଲା । ଆକଳନ ପରେ ଗତ ଡିସେମ୍ବର ମାସରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ପ୍ରାୟ ୧୧ କୋଟି ଟଙ୍କା ଆସିଛି । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଦିଆଯାଇନି । ଜିଲ୍ଲା ପ୍ରଶାସନ ଏବେ ଆଚରଣ ବିଧିର ବାହାନା କରି ଟଙ୍କା ଧରି ବସିରହିଛି ।

ଗତ ଅକ୍ଟୋବର ମାସର ଦ୍ୱିତୀୟ ସପ୍ତାହରେ ଆସିଥିଲା ସାମୁଦ୍ରିକ ଝଡ ତିତ୍‌ଲି । ଜିଲ୍ଲାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିଲା । ରାଜ୍ୟ ସରକାର ତୁରନ୍ତ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ । କିନ୍ତୁ ପରିତାପର ବିଷୟ, ଟଙ୍କା ଆସି ଏ ଭିତରେ ୪ ମାସ ବିତିବାକୁ ବସିଥିବା ବେଳେ ଚାଷୀଙ୍କୁ ତାହା ପ୍ରଦାନ କରାଯାଇନି । ଚାଷୀକୂଳ ପାଇଁ ରାଜ୍ୟ ସରକାରଙ୍କ ଏହା ଉପହାସ ବୋଲି ଅଭିଯୋଗ ହୋଇଛି । ସବୁଠାରୁ ବିଡମ୍ବନାର ବିଷୟ, ଗୋଟିଏ ପଟେ କ୍ଷେତ୍ର କର୍ମଚାରୀମାନେ ଜମିକୁ ନଯାଇ ଆକଳନ କରିବା ଫଳରେ କ୍ଷତି ସହିଥିବା ପ୍ରକୃତ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହେବେ । ଅନ୍ୟପଟେ କ୍ଷୟକ୍ଷତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀ ମଧ୍ୟ ସହାୟତା ପାଇପାରୁ ନାହାନ୍ତି ।

ନଷ୍ଟ ହୋଇଥିବା ଚାଷ ଜମିକୁ ୩ଟି କିସମରେ ଭାଗ କରାଯାଇ କ୍ଷତି ଭରଣା କରିବାକୁ ସରକାର ସ୍ଥିର କରିଥିଲେ । ବର୍ଷା ଆଧାର ଜମିପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା, ଜଳସେଚିତ ଜମିପାଇଁ ୧୩ ହଜାର ୫୦୦ଟଙ୍କା ଏବଂ ବାରମାସି ଜଳସେଚିତ ଜମିପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଥିଲା । ବାତ୍ୟାର ୭ ଦିନ ଭିତରେ ସମସ୍ତ କ୍ଷତିର ଆକଳନ କରି ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ବିଭଗକୁ ଅବଗତ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଆଧାର କରି ରାୟଗଡା ଜିଲାର ୧୧ଟି ବ୍ଲକ ମଧ୍ୟରୁ ବିଷମକଟକ, ଗୁଡାରୀ, ଗୁଣପୁର, କଲ୍ୟାଣସିଂହକୁର, କୋଲାନରା, ପଦ୍ମପୁର, ରାମନାଗୁଡା ଏବଂ ରାୟଗଡା ୮ଟି ବ୍ଲକରେ ମୋଟ ୧୨ ହଜାର ୯୬୨ .୬୪୪ ହେକ୍ଟର ଜମି ତିତ୍‌ଲିରେ କ୍ଷତିଗ୍ରସ୍ତ ହୋଇଥିବା ରାଜସ୍ୱ ବିଭାଗ କ୍ଷେତ୍ର କର୍ମଚାରୀ ଏବଂ କୃଷି କର୍ମଚାରୀମାନେ ଆକଳନ କରିଥିଲେ ।

ବିଷମକଟକ ବ୍ଲକରେ ୧୪.୦୩୦ ହେକ୍ଟର ଜମିରେ କ୍ଷତି ହୋଇଥିବା ଆକଳନ କରଯାଇଥିଲା । ସେହିଭଳି ଗୁଡାରୀ ବ୍ଲକରେ ୧୧୩୫.୫୦୪ ହେକ୍ଟର, ଗୁଣପୁର ବ୍ଲକରେ ୪୪୬୦.୫୯୦ ହେକ୍ଟର, କଲ୍ୟାଣସିଂହପୁର ବ୍ଲକରେ ୩୯.୩୫୦ ହେକ୍ଟର, କୋଲନରା ବ୍ଲକରେ ୫୧୨.୯୭୦ ହେକ୍ଟର, ପଦ୍ମପୁର ବ୍ଲକରେ ୬୦.୦୮୦ ହେକ୍ଟର, ରାମନାଗୁଡା ବ୍ଲକରେ ୩୮୪୦.୯୦୦ ହେକ୍ଟର ଏବଂ ରାୟଗଡା ବ୍ଲକରେ ୨୮୯୯.୨୨୦ ହେକ୍ଟର ଜମିରେ ଧାନ ଓ କପା କ୍ଷତି ହୋଇଥିବା ଆକଳନ ପରେ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ଚନ୍ଦ୍ରପୁର, କାଶୀପୁର, ମୁନିଗୁଡା ବ୍ଲକରେ କୌଣସି ଫସଲ ହାନୀ ହୋଇନଥିବା ସମ୍ପର୍କରେ ସରକାରଙ୍କୁ ଜିଲ୍ଲା ପ୍ରଶାସନ ଅବଗତ କରିଥିଲା । ଚାଷୀଙ୍କ ଏହି କ୍ଷତି ବାବଦକୁ ୧୦ କୋଟି ୮୨ ଲକ୍ଷ ୭୬ ହଜାର ୪୪୯ ଟଙ୍କା ଟଙ୍କା ଆସି ପଡ଼ି ରହିଛି । ୪ ମାସ ପରେ ବି ତାହା ଚାଷୀଙ୍କୁ ଦିଆଯାଇପାରିନି । କ୍ଷତିଗ୍ରସ୍ତ ଚାଷୀଙ୍କ କଟାଘାରେ ଏହା ଚୂନ ଦେବା ସଦୃଶ ହୋଇଛି ବୋଲି ଜିଲ୍ଲାର ଚାଷୀ ନେତାମାନେ କହିଛନ୍ତି । ଦେଖାଯାଉ, ଆଉ କେତେଦିନ ପରେ ଚାଷୀ ଏହି କ୍ଷତିପୂରଣ ପାଉଛନ୍ତି ।

   ସମ୍ବନ୍ଧିତ ଖବର


ଅଗ୍ନିଶମ ବିଭାଗରେ ଅଦଳ ବଦଳ

ପ୍ରତି ଘଣ୍ଟାରେ ‘ସଡ଼କ ଦୁର୍ଘଟଣା’ରେ ଯାଉଛି ୧୭ ଜୀବନ: ଦ୍ରୁତ ଗାଡ଼ି ଚଲାଇବା ମୁଖ୍ୟ କାରଣ, ଶୀର୍ଷରେ ରହିଛି ତାମିଲନାଡୁ

ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆ ଡିଜିପି: ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଭୟ