ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ , ୬୦ଟି ମୋବାଇଲ ଚୋରି

ବଡବିଲ, ୨୦।୧ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା ହାଟ ବଜାରରେ ଥିବା ଆୟୁଷ କମ୍ୟୁନିକେସନ ନାମକ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୬୦ଟି ସ୍ମାର୍ଟ ଫୋନ୍ ଓ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ୬୦ ଟି ସ୍ମାର୍ଟ ଫୋନର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ।
ଦୁର୍ବୃତ୍ତମାନେ ଦୋକାନ ଭିତରକୁ ପ୍ରବେଶ କରିବା ପୂର୍ବରୁ ଦୋକାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ। ଲୁଟ୍ କରିବା ପରେ ଦୋକାନରେ ଲାଗିଥିବା ସିସିଟିଭି ହାର୍ଡଡିସ୍କକୁ ମଧ୍ୟ ସାଙ୍ଗରେ ନେଇଯାଇଥିବା ଜଣାପଡିଛି । ଗୁରବାର ସକାଳୁ ଘଟଣା ଜଣାପଡିବା ପରେ ଏନେଇ ଦୋକାନ ମାଲିକ ଯୋଡ଼ା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ସେଠାକୁ ଯାଇ ତଦନ୍ତ ଆରମ୍ଭ କରିଛି ।
ବୁଧବାର ରାତି ପ୍ରାୟ ୧ଟା ୪୫ ମିନିଟରେ ଏହି ଘଟଣା ଘଟିଥିବା ପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ଜଣାପଡିଛି । ପାଖ ଦୋକାନର ସିସିଟିଭି ଫୁଟେଜ ଦେଖିବା ପରେ ସନ୍ଦେହରେ ୨ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ୍ । ଅଟକ ୨ ଜଣଙ୍କ ଭିତରେ ଜଣେ ଦୋକାନ କର୍ମଚାରୀ ଥିବା କୁହାଯାଉଛି । ଖୁବଶୀଘ୍ର ଲୁଟେରାଙ୍କୁ ଧରି ନିଆଯିବ ବୋଲି ପୋଲିସ୍ କହିଛି ।