ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୬୪%, ନବୀନଙ୍କ ସହ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାନସଭାରେ ବିଜେପି ଓ କଂଗ୍ରେସର ବିଧାୟକ ଦଳ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ସରିଛି । ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିସହ ଆଉ ୫ ଲୋକସଭା ଓ ୩୫ ବିଧାନସଭା ଆସନର ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ୬୪% ଭୋଟର ମତାଧକିାର ସାବ୍ୟସ୍ତ କରଥିବିା ଓଡଶି଼ା ମୁଖ୍ୟ ନର୍ବିାଚନ ଅଧକିାରୀ (ସଇିଓ)ଙ୍କ ସୂତ୍ରରୁ ପ୍ରକାଶ । ବହୁ ବୁଥ୍ରେ ରାତି ୯ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ଏଣୁ ଚୂଡ଼ାନ୍ତ ଭୋଟିଂ ହାର ବଢ଼ିବ ବୋଲି ଆଶା କରାଯାଉଛି । ଆସନ୍ତା ମେ’ ୨୩ରେ ପ୍ରାର୍ଥୀମାନଙ୍କ ଭାଗ୍ୟ ପେଡ଼ି ଖୋଲିବ । ୨୦୧୪ ସାଧାରଣ ନିର୍ବାଚନ ବେଳେ ଏସବୁ ଆସନରେ ୭୨.୪୮% ମତଦାନ ହୋଇଥିଲା ।
ତେବେ ଏ ଦଫା ମତଦାନ ବେଳେ ୬ଟି ବୁଥ୍ରେ ପୋଲିଂ ଅଫିସରଙ୍କ ତ୍ରୁଟି ଦେଖିବାକୁ ମିଳିଛି । ଭିଭିପାଟ୍ ମେସିନ ପରିବର୍ତ୍ତନ ବେଳେ କ୍ରସ୍ ରିପ୍ଲେସମେଣ୍ଟ (ତ୍ରୁଟି ବଶତଃ ବିଧାନସଭା ଇଭିଏମ୍ ସହ ଲୋକସଭାର ଭିଭିପାଟ୍ ଓ ଲୋକସଭା ଇଭିଏମ୍ ସହ ବିଧାନସଭା ଭଭିପିାଟ୍ ସଂଯୋଗ) ହୋଇଥିଲା । ଏ ନେଇ ଭୋଟର ଦୃଷ୍ଟି ଆକର୍ଷଣ କରବିା ପରେ ମତଦାନକୁ ସଗ୍ଥତି ରଖାଯାଇଛ । ଏସବୁ ବୁଥ୍ରେ ସାନ ଭୋଟିଂ ପାଇଁ ଓଡଶ଼ିା ସଇିଓ ନର୍ବିାଚନ ଆୟୋଗଙ୍କୁ ସୁପାରସି କରଛିନ୍ତ । ଅପରପକ୍ଷରେ ବଲାଙ୍ଗୀର ଲୋକସଭା
ଅନ୍ତର୍ଗତ ଲୋଇସିଂହା ବିଧାନସଭା ଆସନର ୪ଟ ଗାଁର ଅଧବିାସୀ ନଜିର ସା୍ଥନୀୟ ସମସ୍ୟାକୁ ପ୍ରସଙ୍ଗ କରି ଭୋଟ୍ ବର୍ଜନ କରିଛନ୍ତି । ଅନ୍ୟ କିଛି ଗ୍ରାମର ଲୋକେ ପ୍ରଥମ ଭାଗରେ ଭୋଟ୍ ବର୍ଜନ କରିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ ସେମାନେ ଅପରାହ୍ଣରେ ଭୋଟ୍ ଦେଇଛନ୍ତି । ସେହିଭଳି ଆସ୍କା ଲୋକସଭା ଅଧୀନସ୍ଥ ସୋରଡ଼ା ବିଧାନସଭାର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ବିରୋଧରେ ଇଭିଏମ୍ ମେସିନ ଭାଙ୍ଗିଥିବା ନେଇ ଅଭିଯୋଗ ଆସିଛି । ଅପରାହ୍ଣରେ ନୀଳମଣି ରେଣ୍ଟି ଗ୍ରାମରେ ଥିବା ବୁଥ୍ ନମ୍ବର ୧୮୨ରେ ବଳପୂର୍ବକ ପଶି ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍କୁ କଚାଡ଼ି ଦେଇଥିଲେ । ଫଳରେ ଶେଷ ସମୟରେ ସେଠାରେ ନିର୍ବାଚନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଗିରଫ କରାଯାଇଛି ।
ଯଦିଓ ଗତକାଲି ମାଓ ହମ୍ଲା ହୋଇଥିବା କନ୍ଧମାଳର ଗୋଚ୍ଛାପଡ଼ା ଓ ଫିରିଙ୍ଗିଆରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଶେଷ ହୋଇଛି, ମାଓବାଦୀଙ୍କ ରାସ୍ତା ଅବରୋଧ ଯୋଗୁ ପୋଲିଂ ଟିମ୍ ଅଧାରେ ଫସି ରହିଥିବା ଜଣାପଡ଼ିଛି । ଗୋଚ୍ଛାପଡ଼ା ଓ ଫିରିଙ୍ଗି ଥାନାର କୋଏରାମୁଣ୍ଡାଠାରୁ ବାରାହଲା ପର୍ଯ୍ୟନ୍ତ ରାସ୍ତାରେ ମାଓବାଦୀମାନେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ଏହାସହ ସେଠାରେ ଝଡ଼ବର୍ଷା ପୋଲିଂ ଟିମ୍ଙ୍କ ଫେରିବା ରାସ୍ତାରେ ପ୍ରତିବନ୍ଧକ ସାଜିଛି । ଏଣୁ ଖବର ଲେଖା ହେବା ସୁଦ୍ଧା ବାରାହଲାରେ ଥିବା ପୋଲିଂ ଟିମ୍ ଫେରିପାରି ନ ଥିବା ଜଣାପଡ଼ିଛି । ଏପରିକି ପାଇରାଜୁ ପଞ୍ଚାୟତରେ ଭୋଟିଂ ପାଇଁ ଯାଇଥିବା ପୋଲିଂ ଟିମ୍ ଅଧାବାଟରେ ଅଟକି ରହିଥିବା ସୂଚନା ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ବଲାଙ୍ଗୀର, କନ୍ଧମାଳ, ଆସ୍କା, ବରଗଡ଼ ଓ ସୁନ୍ଦରଗଡ଼ ଭଳି ୫ ଲୋକସଭା ଆସନ ଓ ସେଗୁଡ଼ିକ ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ଭୋର୍ ସାଢ଼େ ୫ଟାରେ ମକ୍ ପୋଲ୍ କରାଯିବା ପରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିଲା । ଏ ଭୋଟ୍ ମହାପର୍ବରେ ପୁରୁଷ, ମହିଳାଙ୍କଠୁ ଆରମ୍ଭ କରି ବୟସ୍କ, ଦିବ୍ୟାଙ୍ଗ ଓ ନୂଆ ଭୋଟରଙ୍କ ଭିଡ଼ ଲାଗିଥିଲା ।
ଓଡ଼ିଶା ସିଇଓ ସୁରେନ୍ଦ୍ର କୁମାରଙ୍କ ସୂଚନା ମୁତାବକ, ସକାଳ ୧୧ଟା ସୁଦ୍ଧା ୧୮% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଯଦିଓ ଆଜି ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା, ୫ ବର୍ଷ ପରେ ଆସିଥିବା ଏ ମହାପର୍ବରେ ଭୋଟରମାନେ ବହୁସଂଖ୍ୟାରେ ସାମିଲ ହୋଇଥିଲେ । ଏପରିକି ଖରା ତାଉରୁ ଭୋଟରଙ୍କୁ ଆଶ୍ୱସ୍ତି ଦେବାକୁ ପ୍ରାୟ ସବୁ ବୁଥ୍ରେ ତମ୍ବୁ ବ୍ୟବସ୍ଥା କରାଯାଇଥିଲା । ଫଳରେ ଦିନ ଗୋଟାଏ ବେଳକୁ ଭୋଟିଂ ହାର ବୃଦ୍ଧି ଘଟି ୩୩% ଛୁଇଁଥିଲା ।
ଅପରାହ୍ଣ ସାଢ଼େ ୩ଟା ସୁଦ୍ଧା ୫୩% ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରି ସାରିଥିଲେ । ୧୪ଟି ମାଓପ୍ରବଣ ବିଧାନସଭା କ୍ଷେତ୍ରରେ ଅପରାହ୍ଣ ୪ଟାରେ ମତଦାନ ସାରିବାର ବ୍ୟବସ୍ଥା ହୋଇଥିଲା । କିନ୍ତୁ ପୋଲିଂ ବୁଥ୍ ପରିସରରେ ଭୋଟରଙ୍କ ଲମ୍ବା ଲାଇନ ଯୋଗୁ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା । ଅନ୍ୟ ୨୧ଟି ବିଧାନସଭା କ୍ଷେତ୍ରରେ ସନ୍ଧ୍ୟା ୬ଟାରେ ମତଦାନ ସାରିବାକୁ ସମୟ ନିର୍ଘଣ୍ଟ ହୋଇଥିଲା । ତେବେ ବୁଥ୍ ପରିସରରେ ଭୋଟରଙ୍କ ଲମ୍ବା ଲାଇନ୍ ମତଦାନ ପ୍ରକ୍ରିୟାକୁ ବିଳମ୍ବିତ କରିଥିଲା । ଅପରାହ୍ଣ ୫ଟା ସୁଦ୍ଧା ୬୪% ଭୋଟର ନିଜର ମତଦାନ ସାରିଥିଲେ ବୋଲି ଓଡ଼ିଶା ସିଇଓ କହିଛନ୍ତି । ରାତି ପର୍ଯ୍ୟନ୍ତ ମତଦାନ ଜାରିଥିବାରୁ ଚୂଡ଼ାନ୍ତ ଭୋଟିଂ ହାର ନେଇ ସୂଚନା ମିଳିପାରିନାହିଁ । ମତଦାନ ପରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଜିଲ୍ଲା ମୁଖ୍ୟାଳୟର ଷ୍ଟ୍ରଙ୍ଗ୍ ରୁମ୍କୁ ଅଣାଯାଉଛି ।
ଶ୍ରୀ କୁମାର କହିଛନ୍ତି, ମତଦାନ ବେଳେ ୬ଟି ବୁଥ୍ରେ ଖରାପ ଭିଭିପାଟ୍ ପରିବର୍ତ୍ତନ ବେଳେ ଅସାବଧାନତା ବଶତଃ ଇଭିଏମ୍ ସହ ଭିଭିପାଟ୍ର କ୍ରସ୍ ରିପ୍ଲେସମେଣ୍ଟ ହୋଇଥିଲା । ଫଳରେ ଇଭିଏମ୍ରେ ପ୍ରାର୍ଥୀ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଉଥିବା ବେଳେ ଭିଭିପାଟ୍ରେ ଅନ୍ୟ କିଛି ଦେଖାଉଥିଲା । ବଣାଇଁ ବିଧାନସଭାର ୧୨୯ ନମ୍ବର ବୁଥ୍, ସୁନ୍ଦରଗଡ଼ ବିଧାନସଭାର ୨୧୩ ନମ୍ବର ବୁଥ୍, କନ୍ଧମାଳର ୨୧୦ ନମ୍ବର ବୁଥ୍, ଦଶପଲ୍ଲାର ୨୨୨ ନମ୍ବର ବୁଥ୍, ବରଗଡ଼ର ୬୮ ନମ୍ବର ବୁଥ୍ ଓ ଅତାବିରା ବିଧାନସଭାର ୨୩୫ ନମ୍ବର ବୁଥ୍ରେ ଏହି କ୍ରସ୍ ରିପ୍ଲେସ୍ମେଣ୍ଟ ଦେଖିବାକୁ ମିଳିଥିଲା । ଏଣୁ ଏସବୁ ବୁଥ୍ରେ ସାନି ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପାରିସ କରାଯାଇଛି ବୋଲି ସିଇଓ କହିଛନ୍ତି ।
ଏହି ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୩,୭୦୧ଟି ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୭୪୮ଟି ବୁଥ୍ରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ (ସିଏପିଏଫ୍) ନିୟୋଜନ ହୋଇଥିଲେ । ଅନ୍ୟ ୮୮୩ଟି ବୁଥ୍ର ୱେବ୍ କାଷ୍ଟିଂ କରାଯାଇଥିଲା । ଫଳରେ ସିଇଓଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଏସବୁ ବୁଥ୍ର ଲାଇଭ୍ ଭିଡିଓ ଦେଖି ବିଭିନ୍ନ ତ୍ରୁଟିକୁ ସୁଧାରିବାରେ ସମର୍ଥ ହୋଇଥିଲେ ।
ମତଦାନ ଆରମ୍ଭ ବେଳେ ବିଭିନ୍ନ ସ୍ଥାନରେ ଇଭିଏମ୍ ଓ ଭିଭିପାଟ୍ ମେସିନ ଅଚଳ ହୋଇଥିବା ଅଭିଯୋଗ ଆସିଛି । ଏହି କାରଣରୁ ବିଳମ୍ବରେ ଭୋଟିଂ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ନିର୍ବାଚନ ଆୟୋଗଙ୍କ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶନାମା ମୁତାବକ, ଏସବୁ ସ୍ଥାନରେ ଭୋଟିଂ ସମୟ ସମ୍ପ୍ରସାରଣ ହୋଇ ନ ଥିବା ସୂଚନା ମିଳିଛି ।
ଓଡ଼ିଶା ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବେଶ୍ ଗୁରୁତ୍ୱ ବହନ କରୁଛି । ଓଡ଼ିଶା ବିଧାନସଭାର ୩ ବିଧାୟକ ଦଳ ନେତାଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିଥିବା ବେଳେ ବିରୋଧୀ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପିର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ (କେଭି) ପାଟଣାଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।