ଭାରତ ପରେ ପାକିସ୍ତାନକୁ ଇରାନର ଚେତାବନୀ: ବହୁତ ହେଲା ଆତଙ୍କବାଦ, ରୋକା ନ ଗଲେ ଫଳ ଭୋଗିବ

ନୂଆଦିଲ୍ଲୀ,୧୭।୨(ଏଜେନ୍ସି): ଆତଙ୍କବାଦୀର ଜନ୍ମଭୂମି ପାକିସ୍ତାନକୁ ଏବେ ଭାରତ ପରେ ଇରାନରୁ ମଧ୍ୟ ଚେତାବନୀ ମିଳିଛି। ଇରାନ ନିଜର ଏଲିଟ୍ କମାଣ୍ଡୋ ଫୋର୍ସେଜ୍ ରିଭ୍ୟୁଲୁସନାରି ଗାର୍ଡ ଉପରେ ଗତ ବୁଧବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ସିଧାସଳଖ ଭାବରେ ଦାୟୀ କରିଛି। ଏହା ସହ ଇରାନ କହିଛି ପାକିସ୍ତାନକୁ ଏଥିପାଇଁ ବଡ ଧରଣର ମୂଲ୍ୟ ଦେବାକୁ ହେବ। ଗତ ବୁଧବାର ଇରାନର ଇସ୍ତେଫହାନ ସହରରେ ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣରେ ରିଭ୍ୟୁଲସନାରୀ ଗାର୍ଡସର ୨୭ ଯବାନଙ୍କ ଜୀବନ ଯାଇଥିଲା। ସେଭଳି ୧୪ ଫେବୃଆରୀରେ ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଥିଲେ। ଅର୍ଥାତ ପାକିସ୍ତାନରେ ବସିଥିବା ଆତଙ୍କବାଦୀଙ୍କ ମୁଖ୍ୟଙ୍କର ଆକ୍ରମଣରେ ଦୁଇ ଦେଶର ମୋଟ ୬୭ ଜଣ ଯବାନ ଶହୀଦ ହୋଇଛନ୍ତି।
ରିଭ୍ୟୁଲୁସନାରୀ ଗାର୍ଡସ ପାକିସ୍ତାନକୁ ଚେତାବନୀ ଦେଇ କହିଛି ’ଯଦି ପାକିସ୍ତାନ ସରକାର ତାଙ୍କୁ ଦଣ୍ଡିତ ନକରେ ତେବେ ଆତଙ୍କବାଦୀ ସଂଗଠନକୁ କଡା ଜବାବ୍ ଦିଆଯିବ ଓ ପାକିସ୍ତାନକୁ ତାଙ୍କର ସମର୍ଥନ କରିବାର ଫଳାଫଳ ଭୋଗିବାକୁ ହେବ।

ଏନେଇ ଇରାନର ଉପ-ବୈଦେଶିକ ମନ୍ତ୍ରୀ ସୈୟେଦ ଅବାସ ଅରଗାଚି ତେହରାନରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସାକ୍ଷାତ କରିବା ପରେ ପାକିସ୍ତାନର ନାଁ ନନେଇ କହିଛନ୍ତି ଏବେ ପରିସ୍ଥିତି ନିୟନ୍ତ୍ରଣ ବାହାରେ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ନିଜର ୩ ଦିନିଆ ବିଦେଶ ଯାତ୍ରାରେ ଯିବା ବେଳେ ଇରାନର ରାଜଧାନୀ ତେହରାନରେ ରହିଥିଲେ। ଇରାନ ଉପ ବୈଦେଶୀକ ମନ୍ତ୍ରୀ ସୈୟେଦ ଅବାସ ଅରଗାଚି ଟ୍ବିଟ୍ କରି କହିଛନ୍ତି ଗତ କିଛି ଦିନ ହେବ ଦୁଇ ଦେଶର ଖୁବ୍ କ୍ଷତି ହୋଇଚି। ଆଜି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ବୈଠକରେ ଆମେ ଆତଙ୍କବାଦ ବିରୋଧରେ ମିଳିତ ପଦକ୍ଷେପ ନେବାର ନିଷ୍ପତ୍ତି ନେଇଚୁ।

ଏହା ପୂର୍ବରୁ ଇରାନର ରିଭ୍ୟୁଲୁସନାରୀ ଗାର୍ଡ ନିଜର ସୈନିକଙ୍କ ଉପରେ ହୋଇଥବା ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନ ଉପରେ ଷଡଯନ୍ତ୍ରକାରୀଙ୍କୁ ସମର୍ଥନ ଦେବାର ଅଭିଯୋଗ କରିଥିଲା। ରିଭ୍ୟୁଲୁସନାରୀ ଗାର୍ଡସ କମାଣ୍ଡର ମେଜର ଜେନେରାଲ ମହମ୍ମଦ ଅଲ୍ଲୀ ଜାଫରି ସ୍ପଷ୍ଟ ଭାବରେ ପାକିସ୍ତାନର ନା ନେଇ କହିଥିଲେ ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ଜାଣନ୍ତି ଯେ ଆତଙ୍କବାଦୀ ସଂଗଠନ ଜୈଶ-ଅଲ-ଅଦଲ ଓ ଇସ୍ଲାମ ପାଇଁ ବିପଦ ହୋଇସାରିଥିବା ଜେହାଦୀ ତତ୍ତ୍ବ କେଉଁଠି ଅଛନ୍ତି। ସେମାନଙ୍କୁ ପାକିସ୍ତାନ ସୁରକ୍ଷା ଏଜେନ୍ସିର ସମର୍ଥନ ମିଳୁଛି।