କଟିଲେ ୭ ସାଂସଦ, ୯ ବିଧାୟକ

ଭୁବନେଶ୍ୱର,୨୭ ।୩(ବ୍ୟୁରୋ): ୯ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୭ ନୂଆ ମୁହଁ । ତିନି ଜଣ ମହିଳା । ସିନେ ଷ୍ଟାର୍‌ ରାଜ୍ୟସଭା ସାଂସଦ ଅନୁଭବ ଲଢ଼ିବେ ହାଇ ପ୍ରୋଫାଇଲ୍‌ କେନ୍ଦ୍ରାପଡ଼ା ଲୋକସଭା ଆସନରୁ, ଟକ୍କର ଦେବେ ବୈଜୟନ୍ତଙ୍କୁ । ୯ ଜଣ ବିଧାୟକଙ୍କ ଟିକେଟ ବି କଟି ଯାଇଛି । ହେଲେ ତୃତୀୟ ପର୍ଯ୍ୟାୟ ଭୋଟ ନିମନ୍ତେ ୩ ଲୋକସଭା ଆସନ ପାଇଁ ଝୁଲି ରହିଲା ପ୍ରାର୍ଥୀ ଘୋଷଣା । ୧୮ ବିଧାୟକ ଟିକେଟ ବି ହୋଇ ନାହିଁ ଚୂଡ଼ାନ୍ତ । ଖୋଜୁଛନ୍ତି ପ୍ରାର୍ଥୀ । ବିଜେଡିର ଚତୁର୍ଥ ଦଫା ପ୍ରାର୍ଥୀ ତାଲିକାର ଝଟ୍‌କା ଏମିତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ୯ଟି ଲୋକସଭା ଏବଂ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ୬ ସାଂସଦଙ୍କ ଟିକେଟ କଟିଛି । ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ସାରିଥିଲେ ।

ସମ୍ମାନସ୍ପଦ କୁହାଯାଉଥିବା ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକାବିଲା କରିବେ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ଅରୂପ ପଟ୍ଟନାୟକ । ସମ୍ଭାବ୍ୟ ବିଦ୍ରୋହକୁ ରୋକିବା ଲାଗି ସାଂସଦ ପ୍ରସନ୍ନ ପଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ନବୀନ ଘୋଷଣା କରିଛନ୍ତି । କଟକ ସାଂସଦ ତଥା ବିଜେଡିର ଲୋକସଭା ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ଟିକେଟ ଝୁଲି ରହିଲା । ତାଙ୍କ ବଦଳରେ ଦଳ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବ ବୋଲି ଇସାରା ଆସୁଛି । ଢେଙ୍କାନାଳ ଏବଂ କେନ୍ଦୁଝର ପାଇଁ ବି ସାଂସଦ ପ୍ରାର୍ଥୀ ଘୋଷଣା ହୋଇ ନାହିଁ । ଢେଙ୍କାନାଳରୁ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଛି । ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁର ଲୋକସଭା ପ୍ରାର୍ଥୀ କରାଯାଇଛି । ତାଙ୍କୁ ସାଂସଦ କୁଳମଣି ସାମଲଙ୍କ ବିକଳ୍ପ ଭାବେ ଦଳ ବାଛିଛି ।

ଯାଜପୁର ସାଂସଦ ରୀତା ତରାଇଙ୍କ ସ୍ଥାନରେ ଅନ୍ୟ ଜଣେ ମହିଳା ଶର୍ମିଷ୍ଠା ସେଠୀ ଏଥର ସାଂସଦ ପ୍ରାର୍ଥୀ ଭାବେ ଭୋଟ ଲଢ଼ିବେ । ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡି ମୁଖିଆ ଭଦ୍ରକ ଏମପି ଆସନ ପାଇଁ ନୂଆ ମହିଳା ଚେହେରା ଭାବେ ଟିକେଟ ଦେଇଛନ୍ତି । ପୁରୀରୁ ସାଂସଦ ପିନାକୀ ମିଶ୍ର ପୁଣି ଲଢ଼ିବେ ବିଜେଡି ଟିକେଟରେ । ସମ୍ବଲପୁର ଆସନରେ ନଗେନ୍ଦ୍ର ପ୍ରଧାନଙ୍କୁ ବିଜେଡି ରିପିଟ୍‌ ନକରି ପୂର୍ତ୍ତ ସଚିବ ପଦରୁ ଅବ୍ୟାହତି ନେଇଥିବା ନଳିନୀ ପ୍ରଧାନଙ୍କୁ ଟିକେଟ ଦେଇଛି । ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡି ସୁପ୍ରିମୋ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଉପରୁ ଆସ୍ଥା ତୁଟାଇଛନ୍ତି । ଚିଟଫଣ୍ଡ ନାଗଫାଶରେ ବନ୍ଦୀ ହାଁସଦାଙ୍କ ବଦଳରେ ଦଳ ନବାଗତ ଡା. ଦେବାଶିଷ ମାରାଣ୍ଡିଙ୍କୁ ଟିକେଟ ଦେଇଛି । ଡା. ମାରାଣ୍ଡି କଟକ ବଡ଼ ମେଡିକାଲ କଲେଜରେ ଛାତ୍ର ନେତା ଥିଲେ । ୨୦୧୭ ମେ ୨୦ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ବିଧାୟକ ପ୍ରାର୍ଥୀ ତାଲିକାରେ ୯ ବିଧାୟକ ଟିକେଟରୁ ବଞ୍ଚିତ ହୋଇଛନ୍ତି । ପୂର୍ବରୁ ୨୦ ବିଧାୟକଙ୍କ ଟିକେଟ କଟିଥିଲା ବେଳେ ଆଉ ୯ ଜଣଙ୍କୁ ମଧ୍ୟ ବିଜେଡି ମୁଖିଆ ନିରାଶ କରିଛନ୍ତି । ଜଣେ ମନ୍ତ୍ରୀ ଓ ଦୁଇ ଜଣ ବିଧାୟକଙ୍କ ପୁଅ ବାଜି ମାରି ନେଇଛନ୍ତି । ୩ ଜଣଙ୍କ ପୁଅ ପାଇଛନ୍ତି ବିଜେଡି ଟିକେଟ୍‌ ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯ଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକାରେ ବିଜେଡି ୮ ନୂଆମୁହଁଙ୍କୁ ଭରସା କରିଥିଲା ବେଳେ ଆଜି ଘୋଷିତ ୯ ଆସନରେ ମାତ୍ର ଦୁଇଜଣ ସାଂସଦ ନିଜ ଟିକେଟ ସୁରକ୍ଷିତ ରଖି ପାରିଛନ୍ତି । କାଳେ ଟିକେଟ ନଦେଲେ ଆଉ କିଛି ବିଧାୟକ ବିଜେପି କ୍ୟାମ୍ପକୁ ଡେଇଁବେ ଏ ଆଶଙ୍କାରେ ନବୀନ ଅଧିକାଂଶ ବିଜେଡି ବିଧାୟକ ଓ ଭେଟେରାନଙ୍କ ଟିକେଟ ସୁରକ୍ଷିତ ରଖିଛନ୍ତି । ରଣପୁର ବିଧାୟକ ରବି ମହାପାତ୍ରଙ୍କୁ ବଦଳାଇ ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଟିକେଟ ଦେଇଛନ୍ତି । ବାଙ୍କି ଓ ଚୌଦ୍ୱାର କଟକରେ ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ପୁଅ ଦେବୀ ରଂଜନ ତ୍ରିପାଠୀ ଓ ସୌଭିକ୍‌ ବିଶ୍ୱାଳ ଟିକେଟ ପାଇଛନ୍ତି ।

ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବାସୁଦେବପୁର ସିଟରୁ ଲଢ଼ିବେ ପୁଅ ବିଷ୍ଣୁବ୍ରତ ରାଉତରାୟ । ତେଲକୋଇ ବିଧାୟକ ବେଦବ୍ୟାସ ନାଏକ, ପାଟଣା ବିଧାୟକ ହୃଷିକେଶ ନାଏକ, କେନ୍ଦୁଝର ବିଧାୟକ ଅଭିରାମ ନାଏକ ଓ କରଞ୍ଜିଆ ବିଧାୟକ ବିଜୟ ନାଏକଙ୍କ ଟିକେଟରେ ଛକି ମାରି ନିରାଶ କରିଛନ୍ତି ବିଜେଡି ମୁଖିଆ । ଏଠି ନୂଆ ଚେହେରା ବିଜେଡି ପକ୍ଷରୁ ଭୋଟ ଲଢ଼ିବେ । ତେବେ ଦଳର ୟୁଥ୍‌ ବ୍ରିଗେଡ୍‌ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡ଼ାଇ, ଅତନୁ ସବ୍ୟସାଚୀ ନାୟକ ନିଜ ଟିକେଟ ସୁରକ୍ଷିତ ରଖିପାରିଛନ୍ତି । ଭେଟେରାନ ବେଦପ୍ରକାଶ ଅଗ୍ରୱାଲ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବଦ୍ରିନାରାୟଣ ପାତ୍ର, ଡା. ନୃସିଂହ ଚରଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା ପୁଣି ଟିକେଟ ପାଇଛନ୍ତି । ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ଆଳି ଆସନରୁ ନିର୍ବାଚନ ଲଢ଼ିବେ । ତୃତୀୟ ପର୍ଯ୍ୟାୟ ନିର୍ବାଚନର ୧୮ ବିଧାନସଭା ଓ ୪ର୍ଥ ପର୍ଯ୍ୟାୟର ୨୮ ସିଟ୍‌ ପାଇଁ ପ୍ରାର୍ଥୀ ଚୟନ ସରିନି ।

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ