PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଭାରତୀୟ ନୌସେନାରେ ପାକିସ୍ତାନୀ ଗୁପ୍ତଚର: ୭ ନୌସେନା ଅଧିକାରୀ ଗିରଫ, ହନିଟ୍ରାପ୍‌ର ହୋଇଛନ୍ତି ଶିକାର

ନୂଆଦିଲ୍ଲୀ ୨୧/୧୨: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଭାରତୀୟ ନୌସେନାର ୭ ଅଧିକାରୀ ଓ ଜଣେ ହାୱଲା ଅପରେଟରଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ୍‌ରେ ୩ଜଣ କାର୍ଯ୍ୟରତ ଥିଲା ବେଳେ କରୱାର ନାଭାଲ ବେସ୍‌ରେ ୨ ଜଣ ଏବଂ ମୁମ୍ବାଇ ନାଭାଲ ବେସ୍‌ରେ ୨ ଜଣ କାର୍ଯ୍ୟରତ ଥିଲେ । ସେମାନେ ନୌସେନାର ଯୁଦ୍ଧଜାହାଜ ଓ ବୁଡାଜାହାଜର ଅବସ୍ଥିତି ଏବଂ ଅନ୍ୟ ଗୋପନ ତଥ୍ୟ ପାକିସ୍ତାନକୁ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ଆନ୍ଧ୍ରପ୍ରଦେଶରେ ଏକ ର‌୍ୟାକେଟ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଥିବା ଜଣାପଡିଛି ।

କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, ଆନ୍ଧ୍ରପ୍ରଦେଶ ପୁଲିସର ଗୁଇନ୍ଦା ବିଭାଗ ଏବଂ ନୌସେନାର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିତ ଅପରେସନ କରାଯାଇ ଏମାନଙ୍କୁ ଧରାଯାଇଥିଲା । ଗିରଫ ପରେ ସେମାନଙ୍କୁ ବିଜୟୱାଡାସ୍ଥିତ ସ୍ୱତନ୍ତ୍ର ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସେମାନଙ୍କୁ ଆସନ୍ତା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏହି ଅଭିଯାନରେ ସାମିଲ ଜଣେ ଅଫିସରଙ୍କ କହିବାନୁଯାୟୀ ନୌସେନାର ଅଧିକାରୀ ଓ ହାୱଲା ଅପରେଟରଙ୍କୁ ଧରିବା ଲାଗି ଆରମ୍ଭ କରାଯାଇଥିଲା ସ୍ୱତନ୍ତ୍ର ଅପରେସନ । ଯାହାର ନାମ ଥିଲା ‘ଅପରେସନ ଡଲଫିନ୍‌ସ ନୋଜ୍‌’ । ଡଲଫିନ୍‌ସ ନୋଜ ହେଉଛି ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ନିକଟରେ ଥିବା ଏକ ପାହାଡିଆ ଆବାସିକ ଅଞ୍ଚଳ । ଯେଉଁଠାରେ ନୌସେନା ଅଧିକାରୀମାନେ ରୁହନ୍ତି ।

ଆନ୍ଧ୍ରପ୍ରଦେଶ ପୁଲିସ ଡିଜି ଗୌତମ ସାୱଙ୍ଗ କହିଛନ୍ତି ଯେ ଅଭିଯୁକ୍ତମାନଙ୍କ ଘର ବିଭିନ୍ନ ଅଞ୍ଚଳରେ । ଏମାନଙ୍କ ବ୍ୟତୀତ ଆଉ କିଛି ଅଧିକାରୀଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇଛି । ତେବେ ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସେ ଅଧିକ କିଛି କହିବାକୁ ମନାକରିଛନ୍ତି । ଏହି ଅପରେସନ ସହ ଜଡିତ ଅନ୍ୟଜଣେ ଅଧିକାରୀଙ୍କ କହିବାନୁଯାୟୀ ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ଗତ ଏକମାସ ହେଲା ସୂଚନା ମିଳିଥିଲା । ସେବେଠାରୁ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଥିଲା । ଗିରଫ ନୌସେନା ଅଧିକାରୀମାନେ ଜଳପଥରେ ନୌସେନା ଓ ଅନ୍ୟାନ୍ୟ ପ୍ରତିରକ୍ଷା ସଂକ୍ରାନ୍ତ ଗୋପନ ତଥ୍ୟ ପାକିସ୍ତାନକୁ ଦେଉଥିଲେ । କିଛି ସରକାରୀ ଅଧିକାରୀ ମଧ୍ୟ ଅଭିଯୁକ୍ତଙ୍କ ସହ ମିଶି କାର୍ଯ୍ୟ କରୁଥିବାର ସନ୍ଦେହ କରାଯାଉଛି । ତେଣୁ ଏହା ଉପରେ ଅଧିକ ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କ ନାମରେ ବିଜୟୱାଡା କାଉଣ୍ଟର ଇଣ୍ଟେଲିଜେନ୍ସ ଡିପାର୍ଟମେଣ୍ଟରେ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ ୨୦୧୭ରେ ଏହି ନୌସେନା ଅଧିକାରୀମାନେ ନିଯୁକ୍ତି ପାଇଥିଲେ । କିନ୍ତୁ ବର୍ଷକ ପରେ ଅର୍ଥାତ ୨୦୧୮ରେ ସେମାନେ ପାକିସ୍ତାନ ହନିଟ୍ରାପ୍‌ର ଶିକାର ହୋଇଥିଲେ । ଫେସବୁକ୍‌ ମାଧ୍ୟମରେ ସେମାନେ ୩/୪ଜଣ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ମହିଳାଙ୍କ ସହ ସେମାନେ ନିୟମିତ ଚାଟ୍‌ କରୁଥିଲେ । ସେହି ମହିଳାମାନେ ନୌସେନା ଅଧିକାରୀମାନଙ୍କୁ ଜଣେ ବ୍ୟବସାୟୀଙ୍କ ସହ ଫେସବୁକ୍‌ରେ ପରିଚିତ କରାଇଥିଲେ । ପ୍ରକୃତରେ ସେହି ବ୍ୟବସାୟୀ ଜଣକ ଥିଲେ ପାକିସ୍ତାନୀ ହ୍ୟାଣ୍ଡଲର । ତାଙ୍କୁ ସେମାନେ ନୌସେନାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ପ୍ରତିବଦଳରେ ହାୱାଲା ଅପରେଟରଙ୍କ ମାଧ୍ୟମରେ ନୌସେନା ଅଧିକାରୀମାନେ ପ୍ରତିମାସରେ ଟଙ୍କା ପାଉଥିଲେ।