୭ଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ

ଖୋର୍ଦ୍ଧା, ୦୨/୦୩ : ଖୋର୍ଦ୍ଧା ଜିଲ୍ଲା ଦେଉଳି ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଖଣିରେ ଚଢ଼ାଉ। ସାତଟି ମାଙ୍କଡା ବୋଝେଇ ଟ୍ରକ ଜବତ କଲେ ବେଗୁନିଆ ତହସିଲଦାର ଏବଂ ଥାନା ଅଧିକାରୀ। ଏନେଇ ସୂଚନା ଦେଇଛନ୍ତି ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ।
ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବଢି ଚାଲିଛି ଚୋରା ମାଙ୍କଡା ପଥର କାରବାର । ଟାଙ୍ଗରା ଭୁଇଁକୁ କାଟି ବଡ ବଡ ଖୋଲ କରି ମାଙ୍କଡା ପଥର ଲୁଟୁଛନ୍ତି ପଥର ମାଫିଆ। ଫଳରେ ମୋଟା ଅଙ୍କର ରାଜସ୍ଵ ହରାଉଛନ୍ତି ରାଜ୍ୟ ସରକାର। ତେବେ ଗତକାଲି ବିଳମ୍ବିତ ରାତିରେ ଏହାର ଖବର ପାଇ ବେଗୁନିଆ ତହସିଲଦାର ଓ ଥାନା ଅଧିକାରୀ ମିଳିତ ଚଢାଉ କରିଛନ୍ତି। ଦେଉଳି ଗ୍ରାମ ପଞ୍ଚାୟତ ଗୋପୀନାଥପୁର ଖଣିରେ ଚଢାଉ କରିଛି ଏହି ଟିମ୍। ଏହି ଖଣିରୁ ୭ଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରାଯାଇଛି। ତେବେ ଆଗକୁ ମଧ୍ୟ ଚଢାଉ ଜାରି ରହିବ ବୋଲି କହିଛନ୍ତି ବେଗୁନିଆ ତହସିଲଦାର ପୃଥ୍ଵୀରାଜ ମଣ୍ଡଳ।