ସ୍କୁଲରେ ଘନେଇଲା କରୋନା ଭୟ: ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମନରେ ପଶିଲା ଛନକା, ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା

ଭୁବନେଶ୍ୱର,୧୭/୦୧: ସପ୍ତାହେ ହେବ ଖୋଲିଛି ସ୍କୁଲ । ଗତ ୧୧ ତାରିଖରୁ ଖୋଲିଛି ଉଚ୍ଚଶିକ୍ଷାନୁଷ୍ଠାନ। ପାଠପଢ଼ା ବି ଫୁଲ୍ ଦମରେ ଚାଲିଛି । ହେଲେ ଚିନ୍ତା ବଢ଼ାଇଛି କରୋନା। ଯେଉଁ ଡର ପାଇଁ ଦୀର୍ଘ ୧୦ ମାସ ବନ୍ଦ ରହିଲା ସ୍କୁଲ, ଶେଷକୁ ତାହା ହିଁ ହେଉଛି। ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏ ସଂଖ୍ୟା ଏବେ ୫୦ ଛୁଇଁଲାଣି। ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମନରେ ଛନକା ପଶିଛି। ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ଅଭିଭାବକମାନେ ଡରିଲେଣି। ଏପଟେ ସ୍କୁଲରେ କରୋନା ସଂକ୍ରମଣ ବଢୁଥିବା ଦେଖି ବିଭାଗର ବି ଚିନ୍ତା ବଢ଼ିଛି। ନିୟମିତ ସ୍କୁଲ ସ୍ଥିତି ପରଖିବା ସହ ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ ।
କରୋନା ମହାମାରୀ ବ୍ୟାପିବାର ଭୟ ଯୋଗୁଁ ୨୦୨୦ ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ମାତ୍ର ୮ ଦିନ ହେବ ପିଲାଙ୍କ ପାଠପଢ଼ା ଚାଲିଛି। ହେଲେ ଭୟ ଦେଖାଇଛି କରୋନା । ଝାରସୁଗୁଡ଼ା, ଗଜପତି, ମାଲକାନଗିରି ଜିଲ୍ଲାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହାଇଛନ୍ତି। ଝାରସୁଗୁଡ଼ାରେ ୩୨ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଥିବା ଅଭିଯୋଗ ହେଉଛି । କିନ୍ତୁ ସରକାରୀସ୍ତରରେ ୧୯ ଜଣ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରାଯାଇଛି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଗତ ୭ ଦିନ ଭିତରେ ୨୮ ଜଣ ଶିକ୍ଷକ ଓ ଛାତ୍ରଛାତ୍ରୀ କରାନାରେ ସଂକ୍ରମିତ ହାଇଛନ୍ତି। ମାଲକାନଗିରିରେ ୨ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟ ଜିଲ୍ଲାରେ ମଧ୍ୟ ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ କରୋନା ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଏସବୁକୁ ମିଶାଇ ସଂଖ୍ୟା ୫୦ ହେଲାଣି । ଯାହାକୁ ନେଇ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ହୋଇଛି ନା ନାହିଁ ନେଇ ଆଶଙ୍କା ବଢିଛି । ତେବେ ସରକାରଙ୍କ ଗାଇଡଲାଇନ୍ ଓ ସତର୍କତା କ୍ଷେତ୍ରରେ ସଂକ୍ରମଣ କିପରି ବ୍ୟାପିଲା, ତା’କୁ ନେଇ ଏବେ ପ୍ରଶ୍ନ ଉଠିଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସେ ଅଚାନକ ଗସ୍ତ କରି ସ୍ଥିତି ଯାଞ୍ଚ କରୁଥିବା କହିଛନ୍ତି । ବିଭାଗ ପକ୍ଷରୁ ଡିଇଓମାନଙ୍କୁ ସ୍କୁଲରେ ଠିକ୍ ଭାବେ ଏସ୍ଓପି ପାଳନ ହେଉଛି କି ନାହିଁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅନୁସାରେ ପ୍ରତିଦିନ ଡିଇଓମାନେ ବିଭିନ୍ନ ସ୍କୁଲ ଗସ୍ତ କରିବା ସହିତ ସ୍ଥିତି ପରଖିବେ। ସେମାନେ ୨୦ଟି ମାନଦଣ୍ଡର ସମୀକ୍ଷା କରିବେ । ଏଥିପାଇଁଁ ଏକ ମାନୁଆଲ୍ ପ୍ରଦାନ କରାଯାଇଛି। ସ୍କୁଲରେ ଏସ୍ଓପି ପାଳନ ହେଉଛି କି ନାହିଁ, ଏହାର ତଦାରଖ କରି ପ୍ରତି ସପ୍ତାହରେ ବିଭାଗକୁ ରିପୋର୍ଟ ଦେବେ।
ସେହିପରି କ୍ଲଷ୍ଟର, ବ୍ଲକ୍ ଓ ଜିଲ୍ଲାସ୍ତରରେ ପର୍ଯ୍ୟବେକ୍ଷକମାନେ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ଥିତି ପରଖିବା ସହ ଏସ୍ଓପିର କଡ଼ାକଡ଼ି ଯାଞ୍ଚ କରିବେ। ହଷ୍ଟେଲ୍ କ୍ୟାମ୍ପସ୍ରେ ମଧ୍ୟ ହୋଇଥିବା ବ୍ୟବସ୍ଥାକୁ ପରଖି ରିପୋର୍ଟ ଦେବେ।
ଅନ୍ୟପକ୍ଷରେ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କରୋନା ଗାଇଡଲାଇନ୍ର ପୂରା ପାଳନ କରୁଥିବା ନେଇ ସଫେଇ ଦେଇଛନ୍ତି। ପିଲାଙ୍କୁ ସାନିଟାଇଜ୍ କରିବା, କ୍ଲାସ୍ ଭିତରେ ସାମାଜିକ ଦୂରତା ରଖି ବସାଇବା, ଖାଇବା ଛୁଟିରେ ଭିଡ଼ ନ ହେବା ଲାଗି ଶିକ୍ଷକ ଶିକ୍ଷୟିତ୍ରୀ କଡ଼ା ନଜର ରଖୁଛନ୍ତି ।
ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଯେଭଳି ବ୍ୟାହତ ନହେବ, ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି କୁହାଯାଉଛି । ଶିକ୍ଷକ ପଜିଟିଭ୍ ଚିହ୍ନଟ ହେଲେ ତାଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ନିୟୋଜିତ କରାଯାଉଛି। ସେହିପରି ସାମାଜିକ ଦୂରତ୍ୱ ଓ ଅନ୍ୟ କରୋନା ଗାଇଡଲାଇନ୍ ପାଳନକୁ କଡ଼ାକଡ଼ି କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି ।
ଏପଟେ ଗଜପତିରେ ଚିହ୍ନଟ ହୋଇଥିବା ଶିକ୍ଷକ ଓ ପିଲାଙ୍କ କରୋନାର କୌଣସି ଲକ୍ଷଣ ନାହିଁ। ଥର୍ମାଲ୍ ସ୍କ୍ରିନିଂରେ ସେମାନଙ୍କ ତାପାମାତ୍ରା ସ୍ୱାଭାବିକ ଥାଇ ମଧ୍ୟ ସେମାନେ ପଜିଟିଭ୍ ହୋଇଛନ୍ତି। ଯାହାକି ଚିନ୍ତାର ବିଷୟ ପାଲଟିଛି। ଅନ୍ୟ ସ୍ଥାନରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ତାପମାତ୍ର ସ୍ୱାଭାବିକ ରହି ମଧ୍ୟ କରୋନା ସଂକ୍ରମଣ ହେବାର ଆଶଙ୍କା କରାଯାଉଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ସପ୍ତାହରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା। ଆଶା ଓ ଏଏନ୍ଏମ୍ କର୍ମୀମାନେ ନିକଟସ୍ଥ ସ୍କୁଲକୁ ଯାଇ ପରୀକ୍ଷା କରିବେ।