କରୋନା ଛାଇ ହଟିନି ମାଡି ଆସିଲାଣି ଡେଙ୍ଗୁ: କଟକରେ ଦୁଇ ଦିନରେ ୮ରୋଗୀ ଚିହ୍ନଟ

କଟକ, ୪/୫: କରୋନା ସଂକ୍ରମଣର ଆତଙ୍କ ଭିତରେ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଲାଣି । ଗତ ଦୁଇ ଦିନ ମଧ୍ୟରେ ଏସ୍‌ସିବିରେ ହୋଇଥିବା ରକ୍ତ ନମୁନା ପରୀକ୍ଷାରୁ ୧୨ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୨ ରୋଗୀଙ୍କ ମଧ୍ୟରୁ ୮ଜଣ କଟକ ଜିଲ୍ଲାର । ସେଥିମଧ୍ୟରୁ ୭ରୋଗୀ ଗ୍ରାମଞ୍ଚଳର ହୋଇଥିବା ବେଳେ ଜଣେ କଟକ ସହର ତୁଳସୀପୁର ଅଞ୍ଚଳର ବୋଲି ଜଣାଯାଇଛି । ସେହିପରି ବାକି ୪ ରୋଗୀ କଟକର ତିନି ପଡ଼ୋଶୀ ଜିଲ୍ଲା କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର । କରୋନା ନେଇ ସମସ୍ତେ ବ୍ୟସ୍ତ ଥିବାବେଳେ ଡେଙ୍ଗୁ ମାଡିବା ପ୍ରଶାସନର ମୁଣ୍ଡ ବ୍ୟଥା ସୃଷ୍ଟି କରିଛି ।

ଡେଙ୍ଗୁ ସନ୍ଦେହରେ ଗତ ଶୁକ୍ରବାର ଏସସିବିରେ ମୋଟ ୧୮ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୮ଜଣ ରୋଗୀଙ୍କ ନମୁନାରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲା । ପଜିଟିଭ ରୋଗୀଙ୍କ ମଧ୍ୟରୁ କଟକ ସହରର ତୁଳସୀପୁର ଅଞ୍ଚଳର ଜଣେ ରୋଗୀ ରହିଥିବା ବେଳେ ବାକି ୭ଜଣ କଟକ ଗ୍ରାମାଞ୍ଚଳର ବୋଲି ଜଣାପଡିଛି । ସେହିପରି ଏସସିବିରେ ମୋଟ ୬ଟି ନମୁନା ମଧ୍ୟରୁ ୪ଟି ନମୁନାରେ ଡେଙ୍ଗୁ ଚିହ୍ନଟ କରାଯାଇଛି । ତେବେ ଚିହ୍ନଟ ରୋଗୀମାନଙ୍କ ଘର ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଆଦି ଜିଲ୍ଲାରେ । ତେବେ ଦୁଇଦିନ ତଳେ ରାୟଗଡା ଅଞ୍ଚଳରେ ୪୪ଜଣ ଡେଙ୍ଗୁ ରୋଗୀ ବାହାରିବା ପରେ ଏବେ ଏସସିବିରେ ଦୁଇଦିନରେ ୧୨ଜଣ ରୋଗୀ ଚିହ୍ନଟ ହେବା ଉଦ୍‌ବେଗ ସୃଷ୍ଟି କରିଛି। ମୁଖ୍ୟ ସମସ୍ୟା ହେଉଛି ଏବେ ଯେଉଁମାନେ ଜ୍ୱରରେ ପୀଡିତ ହୋଇ ଏସସିବିକୁ ଆସୁଛନ୍ତି ସେମାନଙ୍କୁ ପ୍ରଥମେ ସନ୍ଦିଗ୍ଧ କରୋନା ରୋଗୀ ଭାବେ ବିଚାରକୁ ନିଆଯାଉଛି ।

ସ୍ୱାବ୍‌ ପରୀକ୍ଷା ପରେ ଯଦି ରିପୋର୍ଟ ନେଗେଟିଭ ବାହାରୁଛି ହୁଏତ କାହାକୁ ମେଡିସିନ ବିଭାଗକୁ ପଠାଯାଉଛି ନଚେତ ଘରକୁ ପଠାଇ ଦିଆଯାଉଛି । ଘରକୁ ଯିବା ପରେ କିମ୍ବା ମେଡିସିନ ବିଭାଗରେ ଭର୍ତ୍ତି ହେବା ପରେ ଯଦି ଜ୍ୱର ନ କମୁଛି ତେବେ ପୁଣିଥରେ ଡେଙ୍ଗୁ, ମ୍ୟାଲେରିଆ ସହିତ ଅନ୍ୟାନ୍ୟ ପରୀକ୍ଷା କରାଯାଉଛି । ଫଳରେ ରୋଗୀ ଚିହ୍ନଟ ନେଇ ବିଳମ୍ବ ହେଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଡେଙ୍ଗୁ କାୟା ବିସ୍ତାର କରିବା ଏସ୍‌ସିବି ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି । ଏ ସଂପର୍କରେ ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ କହିବା କଥା ହେଲା, କାଜୁଆଲ୍‌ଟି କୋଠାର ପ୍ରଥମ ମହଲାରେ ଆମେ ଡେଙ୍ଗୁ ୱାର୍ଡ ଖୋଲିବାକୁ ଯୋଜନା ହୋଇଛି । ସେଠାରେ ୫୦ ପାଖାପାଖି ବେଡ୍‌ ପକାଯାଇ ୱାର୍ଡ ଆରମ୍ଭ କରାଯିବ ।

ସୂଚନାଥାଉ କି, ପ୍ରତିବର୍ଷ ମେ’ ମାସ ଶେଷ ସପ୍ତାହ ଓ ଜୁନ ଆରମ୍ଭରୁ ଡେଙ୍ଗୁର ପ୍ରଭାବ ଦେଖାଯାଇଥାଏ । ଏସସିବିରେ କାଜୁଆଲ୍‌ଟି ଉପର ମହଲାରେ ଡେଙ୍ଗୁ ରୋଗୀ ଭର୍ତ୍ତି ହେବା ପରେ ଚକ୍ଷୁ ରୋଗ ବିଭାଗ କୋଠାକୁ ୱାର୍ଡ ସମ୍ପ୍ରସାରିତ ହୋଇଥାଏ । ଏବେ ଚକ୍ଷୁରୋଗ ବିଭାଗ କୋଠାରେ କରୋନା ଆଉଟଡୋର୍‌, ଆଇସୋଲେସନ ୱାର୍ଡ ସାଙ୍ଗକୁ କରୋନା ସ୍କ୍ରିନିଂ ସେଣ୍ଟର ଆଦି ଖୋଲାଯାଇଛି । ତେଣୁ ସେଠାରେ ଆଉ ସ୍ଥାନ ନଥିବାରୁ ଡେଙ୍ଗୁ ବଢିଲେ ଏସସିବି କର୍ତ୍ତୃପକ୍ଷଙ୍କ ପାଇଁ ଅଡୁଆ ବଢିବ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ସୂଚନାଥାଉକି, କଟକ ସହର ଅଧିକ ଡେଙ୍ଗୁପ୍ରବଣ । ସହର ସମେତ ଜଗତପୁର ଅଞ୍ଚଳରେ ଅତୀତରେ ଡେଙ୍ଗୁ ବ୍ୟାପିଥିଲା । ବିଶେଷ କରି ୨୦୧୩, ୨୦୧୭ ମସିହାରେ ଡେଙ୍ଗୁ ଉଗ୍ର ରୂପ ଧାରଣ କରିଥିଲା । ଗତବର୍ଷ ମଧ୍ୟ ଏସସିବିରେ ୩ଜଣ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା ।

   ସମ୍ବନ୍ଧିତ ଖବର


ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ଖୁବ୍‌ଶୀଘ୍ର ଓଡ଼ିଶାକୁ ମିଳିବ କରୋନା ଟିକା, ୨୯ ତାରିଖ ସୁଦ୍ଧା ନାମ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନବ ଦମ୍ପତ୍ତିଙ୍କୁ କତରର ହନିମୁନ୍ ପ୍ୟାକେଜ୍ ଦେଇ ଫଶାଇଲେ ଆଣ୍ଟି, ଡ୍ରଗ୍ଦ କେସରେ ସଜା କାଟୁଛନ୍ତି ସ୍ବାମୀ-ସ୍ତ୍ରୀ