ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୮ ଜୀବନ

ଭୁବନେଶ୍ୱର ୭/୧୦: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲାର ତିନିଜଣ, ଅନୁଗୁଳର ଜଣେ, ବୌଦ୍ଧର ଜଣେ, ବଲାଙ୍ଗୀରର ଜଣେ ଏବଂ ଝାରସୁଗୁଡ଼ା ଜିଲ୍ଲାର ଜଣକର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନିଜଣ ଚାଷୀ ଏବଂ ଜଣେ ପୂର୍ବତନ ସରପଞ୍ଚ ଥିବା ଜଣାପଡ଼ିଛି ।
ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଦ୍ୱୟ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସୂଚନାନୁଯାୟୀ, ବାଉଁଶଗଡ଼ ଗ୍ରାମର ଦୁଃଶାସନ ନାୟକ ଓ ଭାଗବତ ନାୟକ ପଦ୍ମପୁର ଅଞ୍ଚଳରେ ଥିବା ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଏହାର ପ୍ରଭାବରେ ଦୁଇଜଣ ଅଚେତ ହୋଇପଡିଥିଲେ । ଖବର ପାଇ ଆନନ୍ଦପୁର ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ପଦ୍ମପୁର ଗ୍ରାମର ଦୁଇ ଜଣ ଯୁବକ ସୁଦର୍ଶନ ନାହାକ ଓ ଲିପୁ ସାହୁ ଘର ପିଣ୍ଡାରେ ବସିଥିବା ବେଳେ ବଜ୍ରପାତ ହେବାରୁ ଦୁହେଁ ଅଚେତ ହୋଇପଡିଥିଲେ । ସେମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେଲକୋଇ ଥାନା ଭୀମକାଣ୍ଡ ଗ୍ରାମପଞ୍ଚାୟତ ଡିମିରିମୁଣ୍ଡା ଗ୍ରାମରେ ବଜ୍ରପାତ ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗ୍ରାମର ଜଳିଆ ପ୍ରଧାନଙ୍କ ପତ୍ନୀ ଗୀତାଞ୍ଜଳି ପ୍ରଧାନ (୨୮) । ଆଜି ମଧ୍ୟାହ୍ନରେ ଗୀତାଞ୍ଜଳିି ନିକଟସ୍ଥ ବାଙ୍ଖୁଲ ମୁଣ୍ଡା ବିଲକୁ ଚାଷ କାର୍ଯ୍ୟରେ ଯାଇଥିଲେ । ମାତ୍ର ବର୍ଷା ଆସିବାରୁ ସେ ଘରକୁ ଫେରୁଥିଲେ । ଫେରିବା ବାଟରେ ଗୀତାଞ୍ଜଳି ବଜ୍ରପାତର ଶିକାର ହେବାରୁ ସେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଗୀତାଞ୍ଜଳିଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ଗୀତାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ । ତେଲକୋଇ ପୁଲିସ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଗୀତାଞ୍ଜଳିଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ପୁଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ଗୀତାଞ୍ଜଳିି ପଥୁରିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ମୁହଁମାଡି ପଡି ଯିବାରୁ ମୁଣ୍ଡରେ କ୍ଷତ ହୋଇଥିବା ତାଙ୍କ ସ୍ୱାମୀ ଜଳଧର ପ୍ରଧାନ ପୁଲିସ ଆଗରେ ପ୍ରକାଶ କରିଛନ୍ତି । ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ଅନୁଗୁଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ଗ୍ରାମର ଚାଷୀ ଅଖୁଜା ସାହୁ(୫୮)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ସେହି ଗ୍ରାମର ଆଉ ଜଣେ ଚାଷୀ ଜୟକୃଷ୍ଣ ବେହେରା(୪୭) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବନ୍ଧାପଥର ଗାଁର ଜଣେ ଚାଷୀଙ୍କ ଆଜି ବଜ୍ରାଘାତରେ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ମୃତ ଚାଷୀ ଜଣକ ହରଭଙ୍ଗା ବ୍ଲକ୍‌ ବନ୍ଧାପଥର ଗାଁର ନୀଳଲୋହିତ ବେହେରା(୫୩) । ଆଜି ସକାଳେ ଜମିରୁ କାମ ସାରି ଘରକୁ ଫେରୁଥିବାବେଳେ ହଠାତ୍‌ ବର୍ଷା ହେବାରୁ ନୀଳ ଏକ ଗଛମୂଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ସେ ଅଚେତ ହୋଇ ପଡ଼ିଥିଲେ । ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ଚାଷୀ ଦିବାନନ୍ଦ ପ୍ରଧାନ(୬୪) ବଜ୍ରାଘାତ ପ୍ରଭାବରେ ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ନୀଳଲୋହିତଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲ୍‌ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ରିଆମାଳ ଥାନା ସାନଡଙ୍ଗାଘାଟ ଗାଁ ନିକଟ ଷ୍ଟୋନ୍‌ କ୍ରସର୍‌ ନିକଟରେ ବଜ୍ରାଘାତରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରିଆମାଳ ବ୍ଲକ ତାବଡ଼ା ପଞ୍ଚାୟତ କେନ୍ଦୁଘାଟ ଗାଁର ଲୁଲୁ ଓରଫ୍‌ ରମଣୀକାନ୍ତ ନନ୍ଦ (୩୯) । ଲୁଲୁଙ୍କ ପ୍ୟାଣ୍ଟରେ ଥିବା ଏକ ମୋବାଇଲ ଫାଟି ଅର୍ଦ୍ଧାଙ୍ଗ ଶରୀର ଜଳି ଯାଇଛି । ଦେବଗଡ଼ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସୂଚନା ମତେ କେନ୍ଦୁଘାଟ ନିବାସୀ ଭୁବୁନି ନନ୍ଦଙ୍କ ପୁଅ ରମଣୀକାନ୍ତ ପୂର୍ବରୁ ତାବଡ଼ା ସରପଞ୍ଚ ଥିବା ବେଳେ ୩ ବର୍ଷ ତଳେ ସାନଡଙ୍ଗାଘାଟ ଗାଁରେ ଏକ ଷ୍ଟୋନ୍‌ କ୍ରସର ସ୍ଥାପନ କରି ବ୍ୟବସାୟ କରୁଥିଲେ । ତାଙ୍କ ସ୍ତ୍ରୀ ସିପିକା ମିଶ୍ର ସ୍ଥାନୀୟ ପୁରୁଣାଗଡ଼ ସ୍କୁଲରେ ଶିକ୍ଷୟିତ୍ରୀ ଥିବାରୁ ସେଣ୍ଟ୍ରାଲ ସ୍କୁଲରେ ପଢୁଥିବା ଏକମାତ୍ର ପୁଅକୁ ନେଇ ଓଲଟିବର ସାହିରେ ଘରଭଡା ନେଇ ରହୁଥିଲେ । ଅନ୍ୟପକ୍ଷରେ ଲୁଲୁଙ୍କ ପରିବାର ଗତ ସପ୍ତାହରେ ଶ୍ୱଶୁର ଘର ଲୋକଙ୍କ ସହ ତୀର୍ଥ କରିବାକୁ ଯାଇଥିବା ବେଳେ ଗତକାଲି ଦେବଗଡ଼ ଫେରିଥିଲେ । ଫଳରେ ପ୍ରତ୍ୟେକ ଦିନ ଭଳି ରମଣୀକାନ୍ତ ନିଜର ବ୍ୟବସାୟ ବୁଝିବାକୁ ଆଜି ସକାଳୁ ନିଜର ବାଇକ୍‌ ଯୋଗେ କେନ୍ଦୁଘାଟ ଯାଇଥିଲେ । ସେଠାରୁ ଦିନ ୨ଟାରେ ନିଜ କ୍ରସର ଥିବା ସାନଡଙ୍ଗାଘାଟ ଗାଁକୁ ଯିବାବେଳେ ରାସ୍ତାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କ୍ରସର ନିକଟ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ୍‌ ବଜ୍ରାଘାତ ଘଟିବାରୁ ଘଟଣାସ୍ଥଳରେ ଲୁଲୁଙ୍କ ମୃତ୍ୟୁ ଘଟିଥିଲା । କ୍ରସର କର୍ମଚାରୀ ଓ ସ୍ଥାନୀୟ ଗାଁ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଜାମଝରଣ ଗାଁରେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଲେ ଗୌରାଙ୍ଗ ସାହୁ । ସେ ଆଜି ଖେତରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା ତୁଷୁରା ଥାନା ଆଇଆଇସି ଯଶୋବନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଟାପୁରେ ଫଶିଲେ ଶହ ଶହ ମାଙ୍କଡ : ୫ଦିନ ପରେ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ କରିଛି ବନବିଭାଗ

ଅଲଗା ଜାତି ବୋଲି ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ଟ୍ରାକ୍ଟରରେ ନେଇ ଜଙ୍ଗଲରେ ପୋତିଦେଲା ସ୍ୱାମୀ

ଟୋକନ ବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଆନ୍ଦୋଳନ : ରାସ୍ତାରେ ଧାନ ଢ଼ାଳି ଚାଷୀଙ୍କ ବିକ୍ଷୋଭ

ଗେମ୍‌ ଖେଳୁଥିବା ସମୟରେ ମୋବାଇଲ୍‌ ବ୍ୟାଟେରି ଫାଟି ଦୁଇ ଭାଇ ଗୁରୁତର