୮ କେ.ଜିର ବାହୁବଳୀ ଥାଳି, ୪୦ ମିନିଟରେ ସାରିଲେ ମିଳିବ ୮ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ, ୧୮/୦୧ : ହୋଟେଲ୍ରେ ଖାଦ୍ୟ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ତେବେ ଆପଣ ଜାଣିଛନ୍ତି, ଏଭଳି ଏକ ହୋଟେଲ୍ ଅଛି ଯେଉଁଠାରେ ୪୦ ମିନିଟ୍ରେ ଥାଳି ସଫାକରି ଖାଇଲେ ଆପଣ ଜିତିବେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି। ତେବେ ଏହା କୌଣସି ସାଧାରଣ ଖାଦ୍ୟ ଥାଳି ନୁହେଁ। ଏହି ଥାଳିର ଓଜନ ହେଉଛି ୮ କେ.ଜି। ଏହି ଥାଳିର ନାମ ହେଉଛି ବାହୁବଳୀ ଥାଳି। ଏହି ଖାଦ୍ୟ ଥାଳିର ନାମ ଯେମିତି ଦେଖିବାକୁ ମଧ୍ୟ ସେମିତି।
ନୂଆଦିଲ୍ଲୀର କନ୍ନାଟ୍ରେ ଥିବା ଏକ ହୋଟେଲ୍ରେ ଏହି ଖାଦ୍ୟ ଚ୍ୟାଲେଞ୍ଜ୍ ଦିଆଯାଉଛି। ଯେଉଁ ବ୍ୟକ୍ତି ୪୦ ମିନିଟ୍ରେ ଏହି ୮ କେ.ଜି ବିଶିଷ୍ଟ ବାହୁବଳୀ ଥାଳିକୁ ସଫା କରି ଖାଇଦେବ ସେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିବ। ତେବେ ଏହି ଖାଦ୍ୟ ଥାଳିକୁ ଅତି ବେଶୀରେ ୨ ଜଣ ଭାଗ କରି ଖାଇପାରିବେ। ଏହି ଥାଳିରେ ପ୍ରାୟତଃ ଉତ୍ତର ଭାରତୀୟ ଖାଦ୍ୟ ରଖାଯାଇଥାଏ। ଯେପରିକି ପାମ୍ପଡି ଚାଟ୍, ଗୋବି ମାତାର, ଡାଲ୍ ତଡକା, କଡି ପକୋଡା, ଆଲୁ ପାଲକ, ମଲାଇ କୋଫତା, ସୋୟା ଚପ ମସାଲା, କଡାଇ ପନିର୍, ଡାଲ୍ ମଖନୀ, ଆଳୁ ଦମ୍ , ସାଗ, ପନିର୍ ଟିକ୍କା ମସାଲା, ଭେଜ୍ ବିରିୟାନୀ, ଭାତ, ନାନ୍, ପାମ୍ପଡ, ସାଲାଡ୍, ପିଆଜ, ଗୁଲାବ ଜାମୁନ୍, ଜଲଜିରା, ରାଇତା, ଗୁଲାବ ସର୍ବତ ଇତ୍ୟାଦି।
ଖାଦ୍ୟ ବ୍ଲଗର୍ ରଜନୀଶ ଗ୍ୟାନିଅନ୍ ତାଙ୍କ ବନ୍ଧୁଙ୍କ ସହ ଏହି ଫୁଡ୍ ଚ୍ୟାଲେଞ୍ଜ୍ ଖେଳିଛନ୍ତି। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ରଜନୀଶ ଏବଂ ତାଙ୍କ ବନ୍ଧୁ ବାହୁବଳୀ ଥାଳିରୁ ଖାଦ୍ୟ ଖାଇ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିପାରିଛନ୍ତି। ସେ ଏହି ବାହୁବଳୀ ଥାଳିରୁ ଖାଦ୍ୟ ଖାଇବା ସମୟରେ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯାହାକି ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।