ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା

ଭୁବନେଶ୍ୱର,୧୧ ।୨(ବ୍ୟୁରୋ): ସୋମବାର ପୂର୍ବାହ୍ନରେ ଜଟଣୀ ଥାନା ଅନ୍ତର୍ଗତ ନିରଞ୍ଜନପୁରରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା କରା ଯାଇଛି । ଅଭିଯୁକ୍ତ ବଳାତ୍କାର କରିବା ପରେ ଛାତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଛି । ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ବେକରେ ଏକ ଲୁଗାକୁ ବାନ୍ଧି ଛାତ୍ରୀଙ୍କୁ ଆଜବେଷ୍ଟସ ଆଙ୍ଗେଲରେ ଟାଙ୍ଗି ଦେଇଛି । ଅଭିଯୋଗ ପାଇ ଜଟଣୀ ଥାନା ପୁଲିସ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ଏପଟେ ଅଭିଯୁକ୍ତ ସପରିବାର କେଉଁଆଡ଼େ ଫେରାର୍‌ ହୋଇ ଯାଇଛି । ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଏହି ଘଟଣା ଆଜି ଜଟଣୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ପୁଲିସ ସୂଚନା ଅନୁଯାୟୀ, ନିରଞ୍ଜନପୁରର ଜଣେ ମହିଳା ଓ ତାଙ୍କ ୧୪ ବର୍ଷର ଝିଅ ପିଙ୍କି(ଛଦ୍ମନାମ) ରହୁଥିଲେ । ମହିଳା ଜଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ଭାବେ କାମ କରୁଛନ୍ତି । ପିଙ୍କି ସ୍ଥାନୀୟ ସ୍କୁଲ୍‌ରେ ନବମ ଶ୍ରେଣୀରେ ପଢ଼ୁଥିଲେ । ମହିଳାଙ୍କ ଘରକୁ ଲାଗି ଅନ୍ୟ ଏକ ଘରେ ଖୋର୍ଦ୍ଧାର ଗଜାନନ ବେହେରା(୪୩) ଦୁଇ ପିଲା ଓ ସ୍ତ୍ରୀଙ୍କ ସହ ଭଡ଼ାରେ ରହୁଥିଲେ । ପ୍ରାୟ ୧୦ ବର୍ଷ ଧରି ଗଜାନନ ସେଠାରେ ରହି ଆସୁଥିଲେ । ଆଜି ସକାଳେ ମହିଳା ଅଙ୍ଗନବାଡ଼ି କେନ୍ଦ୍ରକୁ ପଳାଇଥିଲେ । ଘରେ ତାଙ୍କ ଝିଅ ପିଙ୍କି ଏକୁଟିଆ ଥିଲା । ଦିନ ପ୍ରାୟ ୧୦ଟାରେ ମହିଳା ଜଣକ ଘରକୁ ଫେରିବାବେଳକୁ ତାଙ୍କ ଘର ଭିତରୁ ଗଜାନନ ତରବର ହୋଇ ବାହାରି ଯାଇଥିଲେ । ଘର ଭିତରକୁ ଯାଇ ମହିଳା ଦେଖିବା ବେଳକୁ ଉଲଗ୍ନ ଅବସ୍ଥାରେ ପିଙ୍କିର ମୃତଦେହ ଝୁଲୁଥିଲା । ତେଣୁ ସେ ବାହାରକୁ ଆସି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଲୋକେ ପହଞ୍ଚି ପିଙ୍କିକୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ । ସେଠାରେ ଡାକ୍ତର ପିଙ୍କିଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ପ୍ରଘଟ ହେବା ପରେ ନିରଞ୍ଜନପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଜଟଣୀ ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ସଦଳବଳେ ନିରଞ୍ଜନପୁରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସାଇଣ୍ଟିଫିକ୍‌ ଟିମ୍‌ ଡ଼କାଇ ପୁଲିସ ପିଙ୍କିଙ୍କ ମୃତଦେହ ଜବତ କରିବା ସହ ପଞ୍ଚନାମା କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇ ପୁଲିସ ଘଟଣାର ଖୋଳତାଡ଼ ଚଳାଇଛି । ପିଙ୍କିଙ୍କ ମା’ ପୁଲିସରେ ଅଭିଯୋଗ କରିଛନ୍ତି ଯେ, ଗଜାନନ ତାଙ୍କ ଝିଅକୁ ବଳାତ୍କାର କରିବା ପରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି । କାରଣ ସେ ଘରେ ପହଞ୍ଚିବାବେଳେ ଗଜାନନ ତାଙ୍କ ଘରୁ ତରବର ହୋଇ ବାହାରି ଯାଇଥିଲା । ପିଙ୍କିଙ୍କ ବେକରେ ଦୁଇଟି ଦାଗ ରହିଥିଲା । ତାଙ୍କ ଗଳାକୁ ଚିପି ହତ୍ୟା କରା ଯାଇଥିବା ସ୍ପଷ୍ଟ ଜଣା ପଡ଼ୁଛି । ସେ ଉଲଗ୍ନ ଅବସ୍ଥାରେ ଥିବାରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରା ଯାଇଥିବା ପିଙ୍କିଙ୍କ ମା’ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସେପଟେ ଗଜାନନ ତାଙ୍କ ପିଲାଛୁଆଙ୍କୁ ଧରି କେଉଁଆଡ଼େ ଫେରାର୍‌ ହୋଇ ଯାଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଥିଲେ ମଧ୍ୟ ତାଙ୍କର ପତ୍ତା ପାଇନାହିଁ ।