ଭୋଟ୍‌ ପରେ ମଦ ମୃତ୍ୟୁ; ୯ ମୃତ. ୮୯ ଅସୁସ୍ଥ

ତିହିଡି/କଟକ ୩୦ା୪(ଆ.ପ୍ର): ବିଷାକ୍ତ ମଦ ମୃତ୍ୟୁର ବୀଭିଷିକାକୁ ନେଇ ତିହିଡ଼ି ଓ ଚାନ୍ଦବାଲି ଅଞ୍ଚଳ ଅଶାନ୍ତ ହୋଇ ଉଠିଛି । ବିଷାକ୍ତ ମଦ ପିିଇ ଏପର୍ଯ୍ୟନ୍ତ ୯ଜଣଙ୍କ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବାର ଆଶଂକା ସୃଷ୍ଟି ହୋଇଛି । ଏବେ ବି ୮୯ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଭଦ୍ରକ, କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଆଜି ସକାଳେ ସାଢେ ୬ଟାରୁ ଉତ୍ତ୍ୟକ୍ତ ଲୋକେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରଥିଲେ । ସନ୍ଧ୍ୟା ୬ଟା ପରେ ଅବରୋଧ ହଟିଥିଲା । ଦୀର୍ଘ ୧୨ଘଣ୍ଟା କାଳ ରାଜପଥ ଅଚଳ ହୋଇ ପଡ଼ିଥିଲା । ଚୋରାମଦ ଯୋଗୁ ଏପରି ବିଭୀଷିକା ଘଟିଥିବା ଅଭିଯୋଗ ହେଉଛି ।

ଗତକାଲି ନିର୍ବାଚନ ସରିବା ପରେ ବଣ୍ଟା ହୋଇଥିବା ଚୋରା ମଦ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି ବୋଲି ଲୋକେ କହୁଛନ୍ତି । ମଦ ମୃତ୍ୟୁର ଶିକାର ହୋଇଥିବା ଲୋକମାନେ ହେଲେ ତିହିଡ଼ି ଥାନା ଅନ୍ତର୍ଗତ ଦୌଲତପୁର ଗ୍ରାମର ଘନଶ୍ୟାମ ପରିଆରୀଙ୍କ ପୁଅ ରାମଚନ୍ଦ୍ର (୫୫), ନମେଇସାହି ଗ୍ରାମର ହରିହର ନାୟକଙ୍କ ପୁଅ ସାଧୁ ନାୟକ, ଦୌଲତପୁର ଗାଁର ଗୟାଧାର ଦାସଙ୍କ ପୁଅ ସର୍ବେଶ୍ୱର ଦାସ, ଦୌଲତପୁର ଗାଁର ରତ୍ନାକର ପରିଡାଙ୍କ ପୁଅ ଶଙ୍କର୍ଷଣ ପରିଡ଼ା, ଧର୍ମାନନ୍ଦ ଜେନାଙ୍କ ପୁଅ ବୁଦ୍ଧିରାମ ଜେନା, ଚାନ୍ଦବାଲି ବ୍ଲକ ପଣସପଡ଼ାର ଦେବେନ୍ଦ୍ର ପଣ୍ଡା, ଯଶିପୁର ବଳସାହିର ବାଇଧର ନାୟକ, ମନୋଜ ମହାନ୍ତି ଓ କୃଷ୍ଣଚନ୍ଦ୍ର ନାୟକଙ୍କ ମଧ୍ୟ ବିଷାକ୍ତ ମଦ ଯୋଗୁ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ତିହିଡ଼ି ବ୍ଲକରେ ବିଷାକ୍ତ ମଦ ପିଇ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଚାନ୍ଦବାଲି ବ୍ଲକରେ ୪ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ଥିଲା ୪ର୍ଥ ପର୍ଯ୍ୟାୟ ମତଦାନ । ମତଦାନ ସରିବା ପରେ ଆରମ୍ଭ ହୋଇଥିଲା ମଦ୍ୟପାନ । ବାସ ତା’ପରେ ରାତିରୁ ଆରମ୍ଭ ହୋଇଥିଲା ମଦମୃତ୍ୟୁର ଖେଳ । ରାତି ପାଖାପାଖି ୩ଟା ବେଳେ ବିଷାକ୍ତ ମଦ ପ୍ରଭାବରେ ପ୍ରଥମେ ରାମଚନ୍ଦ୍ର ପଢିଆରୀଙ୍କ ନିଜ ଘରେ ମୃତ୍ୟୁ ଘଟିଲା । ଏହା ପରେ ଆତଙ୍କ ଖେଳି ଯାଇଥିଲା ସାରା ଅଞ୍ଚଳରେ । ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ରାତାରାତି ତିହିଡି ଡାକ୍ତରଖାନାକୁ ବୁହା ହେଲେ । ଭୋର ୪ଟା ବେଳକୁ ଅସୁସ୍ଥଙ୍କ ସଂଖ୍ୟା ୨୦ ଟପି ଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକ ଗୁରୁତର ଥିବା ଲୋକଙ୍କୁ ଆମ୍ବୁଲାନ୍‌ସ ଯୋଗେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସକାଳ ୭ଟା ବେଳକୁ ଆଉ ଦୁଇ ଜଣଙ୍କ ମୃତ୍ୟୁ ପରେ ଚହଳ ପଡ଼ିଗଲା । ଲୋକେ ନିଜ ନିଜର ସମ୍ପର୍କୀୟଙ୍କୁ କଟକ ନେଇଗଲେ । କଟକ ନେବା ବାଟରେ ମଧ୍ୟ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି କଟକରେ ଚିକିତ୍ସାଧିନ ଅନ୍ୟ ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ କୃଷ୍ଣଚନ୍ଦ୍ର ନାୟକ । ଘର ଭଦ୍ରକ ବାଂସଡ଼ା ଥାନା ବଳସାହିରେ । କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ ମଙ୍ଗଳାବାଗ ଥାନା ପୁଲିସ୍‌ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଏସ୍‌ସିବିରେ ବ୍ୟବଚ୍ଛେଦ କରାଇଛି । ପରେ ମୃତଦେହକୁ ପରିବାର ଲୋକଙ୍କ ଜିମା ଦେଇଛି । ମାତ୍ର କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହେବା ଘଟଣାରେ ପରିବାର ଲୋକେ ପୁଲିସ୍‌ ଆଗରେ କୌଣସି ବୟାନ ନଦେବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଅନ୍ୟପକ୍ଷରେ ବିଷାକ୍ତ ମଦ୍ୟପାନରେ ଗୁରୁତର ହୋଇ ଏସ୍‌ସିବିରେ ଚିକିତ୍ସାଧୀନ ଅନ୍ୟ ୬ ଜଣଙ୍କ ଅବସ୍ଥା ବିପଦପୂର୍ଣ୍ଣ ରହିଛି । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କେତେଜଣଙ୍କ ଆଖିକୁ ଭଲ ଭାବେ ଦିଶୁନଥିବା ବେଳେ ସେମାନଙ୍କର ରକ୍ତଚାପ ବୃଦ୍ଧି ହେବା ସହ ଶ୍ୱାସକ୍ରିୟା ଜନିତ ଏକାଧିକ ସମସ୍ୟା ଦେଖାଦେଇଛି ବୋଲି ଡାକ୍ତର କହିଛନ୍ତି । ଆଜି ସକାଳ ୯ଟାରେ ପ୍ରଥମେ କୃଷ୍ଣଚନ୍ଦ୍ର ନାୟକ, ସୁରେଶ ଚନ୍ଦ୍ର ବିଶ୍ୱାଳ ଏସସିବିରେ ଭର୍ତ୍ତି ହୋଇଥିଲେ । ପରେ ଶରତ କୁମାର ରାଉତ, ରାଜୁ ଭଞ୍ଜ, ଶଙ୍କର୍ଷଣ ଦାସ, ବିଜୟ ତ୍ରିପାଠୀ ଓ ସୁରେନ୍ଦ୍ର ବଳ ଜଣଙ୍କ ପରେ ଜଣେ ଆସି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଚନ୍ଦ୍ର ଆଖି ବୁଜିଥିବା ବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଏବେ ଭଲ ନଥିବା ଡାକ୍ତର କହିଛନ୍ତି । ଶଙ୍କର୍ଷଣ ଦାସଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଆକ୍ରାନ୍ତଙ୍କୁ ସମସ୍ତ ଚିକିତ୍ସା ସୁବିଧା ବିନା ମୂଲ୍ୟରେ ଯୋଗାଇଦେବା ପାଇଁ ସରକାର ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ତିହଡ଼ିି ଓ ଭଦ୍ରକ ଡାକ୍ତରଖାନାରେ ୪୩ ଜଣଙ୍କ ଚିକିତ୍ସା ଚାଲିଛି । ଇତିମଧ୍ୟରେ ସମ୍‌ ହସ୍ପିଟାଲକୁ ୧୦ ଜଣ, କଟକ ବଡ ଡାକ୍ତରଖାନାକୁ ୪ ଜଣ, ଆପୋଲୋ ହସ୍‌ପିଟାଲକୁ ୨ ଜଣ ଗୁରୁତରଙ୍କୁ ସ୍ଥାନାନ୍ତର କରାଯାଇଛି । ଏବେ ସୁଦ୍ଧା ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମ୍‌ ହସପିଟାଲରେ ଚିକିତସ୍‌ିତ ହେଉଥିବା ୧୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଡାକ୍ତରଙ୍କ ଟିମ୍‌ ଗଠନ କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ମଦ ମାଂସର ଆସର ଜମିଥିଲା । ଏକଥା ମୃତକଙ୍କ ପରିବାର ଲୋକେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । କହିଛନ୍ତି³ ଗତକାଲି ଦିନ ୧୧ଟାରୁ ସନ୍ଧ୍ୟାଯାଏଁ ଥରକୁ ଥର ସେମାନେ ଏହି ବିଷାକ୍ତ ମଦ ପିଇଥିଲେ । ରାତି ୩ଟା ପରେ ଗୁରୁତର ଅସୁସ୍ଥ ହୋଇ ଶେଷରେ ଆଖି ବୁଜିଲେ । ଏ ଘଟଣା ସାରା ଇଲାକାରେ ରାଜନୈତିକ ରୂପ ନେଇଛି । ସୂଚନା ଅନୁଯାୟୀ ବିଷାକ୍ତ ମଦ ପିଇଥିବା ଶତାଧିକ ବ୍ୟକ୍ତି ଏବେ ଆତଙ୍କିତ ହୋଇ ପଡିଛନ୍ତି । ନିଜ ସମ୍ମାନକୁ ଆଖି ଆଗରେ ରଖି ସେମାନେ ବିଭିନ୍ନ ନର୍ସିଂହୋମ୍‌ ଓ ଘରୋଇ୍‌ ହସ୍‌ପିଟାଲରେ ଆଡ୍‌ମିସନ ହୋଇଛନ୍ତି । ଏଭଳି ୩୦ରୁ ଅଧିକ ସ୍ଥାନୀୟ ଲୋକ ଚିକିିତ୍ସା ବିଭିନ୍ନ ସ୍ଥାନରେ ଚାଲିଛି । ଜଣେ ନିର୍ବାଚିତ ଜନପ୍ରତିନିଧି ବିଷାକ୍ତ ମଦ ପିଇ ରାତିରେ ଅସୁସ୍ଥ ହୋଇ ପଡିବା ପରେ ସକାଳୁ ଏକ କାରରେ ଯାଇ ଆପୋଲୋ ହସ୍‌ପିଟାଲରେ ଆଡ୍‌ମିସନ ହୋଇଛନ୍ତି । ମଦ ମୃତ୍ୟୁ ଖବର ପ୍ରଚାର ହେବା ପରେ ପିରହାଟ ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଛି ।ମଦ ମୃତ୍ୟୁର ସର୍ବାଧିକ ଶିକାର ହୋଇଛନ୍ତି ତିହିଡି ଥାନା ପିରହାଟ ଅଞ୍ଚଳର ଦୌଲତପୁର ଓ ବାମନବିନ୍ଧା ଗାଁ ଲୋକେ । ଏ ଦୁଇ ଗାଁର ୬ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଗତକାଲି ରାତିଠୁ ଆରମ୍ଭ ହୋଇବା ମଦ ମୃତ୍ୟୁର ବୀଭିଷିକାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରି ବସିଥିବା ବେଳେ ସେମାନଙ୍କ ସହ ବିଜେପି ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହ ଚାନ୍ଦବାଲି ବିଜେପି ନେତା ମନମୋହନ ସାମଲ ତାଙ୍କ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ । ଏହି ଘଟଣା ପରେ ଭଦ୍ରକ ଏସ୍‌ପି, ଚାନ୍ଦବାଲି ଏସଡିପିଓ, ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ, ରାଜ୍ୟ ଅବକାରୀ କମିଶନର ତିହିଡି ଥାନାରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି । ଭଦ୍ରକ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମଦ କେଉଁଠୁ ଆସିିଲା, ଲୋକଙ୍କୁ କିଏ ମଦ ଦେଲା । ସେନେଇ ଅବକାରୀ ବିଭାଗ ତଦନ୍ତ ଆରମ୍ଭ କରିଛି । ତେବେ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ଚୋରା ମଦ ଏ ଅଞ୍ଚଳକୁ ଆସିଥିଲା । ଏସବୁ ବିଭିନ୍ନ ସ୍ଥାନରେ ମାଟିତଳେ ପୋତିକରି ରଖା ଯାଇଥିଲା । ବିଶେଷ କରି ମ୍ୟାକ୍‌ଡୋଲ ନଂ ୱାନ୍‌ କିସମର ମଦ ଏ ଅଞ୍ଚଳରେ ବଣ୍ଟା ଯାଇଥିବା ଲୋକେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ ଏପ୍ରିଲ ୨୩ରେ ବିଷାକ୍ତ ନଂ୧ ମ୍ୟାକ୍‌ଡୋଲ ମଦ ଦୁଇ ଜଣଙ୍କ ଜୀବନ ନେଇଥିଲା ଓ ୧୫ ଜଣ ଗୁରୁତର ହୋଇଥିଲେ । ଏହାର କିଛିଦିନ ପରେ ତିହିଡି ଥାନାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ନକଲି ମଦ କାରଖାନା ଠାବ ହେଲା । ହେଲେ ଅବକାରୀ ବିଭାଗ ଏହାକୁ ଖାମଖିଆଲି ଭାବେ ନେଇଥିଲା । ପ୍ରଶାସନ ଚେତିଥିଲେ ଆଜି ଏ ଘଟଣା ଘଟି ନଥାନ୍ତା ବୋଲି ଲୋକେ ମୁହଁ ଖୋଲିଛନ୍ତି ।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି