ରାଜଧାନୀରେ ଭୟାନକ ସ୍ଥିତିରେ କରୋନା: ଘଣ୍ଟାକୁ ୯ ସଂକ୍ରମିତ ଚିହ୍ନଟ, ସବୁ ୱାର୍ଡ ଏବେ ହଟସ୍ପଟ୍‌

ଭୁବନେଶ୍ୱର ୨୦/୦୮: ଅଗଷ୍ଟରେ ଭୟାନକ ଗତି ଧରିଛି କରୋନା । ଦ୍ରୁତ ଗତିରେ ମାଡ଼ି ଚାଲିଛି ରାଜଧାନୀ ଭୁବନେଶ୍ୱରରେ। ପ୍ରତି ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ହାର । ଗତ ୯ ଦିନ ହେବ ରାଜଧାନୀରେ ହୁ ହୁ ହୋଇ ବଢ଼ୁଛି କରୋନା । ସ୍ଥିତି ଏମିତି ହେଲାଣି, ପ୍ରତି ଘଣ୍ଟାରେ ରାଜଧାନୀରୁ ହାରାହାରି ୯ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହେଉଛନ୍ତି।

ଅଗଷ୍ଟରେ କରୋନାର ଦ୍ରୁତ ଗତି ରାଜଧାନୀବାସୀଙ୍କୁ ବିଚଳିତ କରିଛି । ବିଶେଷ କରି ଗତ ୮/୯ ଦିନ ଭିତରେ ସଂକ୍ରମଣ ବିସ୍ଫୋରକ ରୂପ ନେଇଛି । ଗତ ୧୧ ତାରିଖରୁ ଆଜି ସୁଦ୍ଧା ଭୁବନେଶ୍ୱରରେ ୨୦୧୫ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍‌ ଦିନକୁ ହାରାହାରି ୨୨୩ରୁ ଅଧିକ । ଏହି ହିସାବରେ ଘଣ୍ଟାକୁ ହାରାହାରି ୯ରୁ ଅଧିକ କରୋନା ସଂକ୍ରମିତ ବାହାରୁଛନ୍ତି ଭୁବନେଶ୍ୱରରୁ ।

ବୁଧବାର ଭୁବନେଶ୍ୱରରୁ ୩୭୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ରାଜଧାନୀର ସବୁ ଅଞ୍ଚଳକୁ ମାଡ଼ିଗଲାଣି କରୋନା। ଜୁଲାଇ ମାସ ସରିଲାବେଳକୁ ଭୁବନେଶ୍ୱରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୨୭୩୫ । ଏବେ ଏହା ୬ ହଜାର ଡେଇଁଗଲାଣି । ଆଜି ସୁଦ୍ଧା ରାଜଧାନୀରେ ମୋଟ ୬୦୭୭ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅଗଷ୍ଟର ୧୯ ଦିନରେ ରାଜଧାନୀରେ ୩୩୪୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ପୂର୍ବରୁ ବିଶେଷଜ୍ଞ ସତର୍କ କରାଇଥିଲେ ଯେ ଅଗଷ୍ଟରେ କରୋନା ଶୀର୍ଷ ଛୁଇଁପାରେ । ଏହାର ସବୁଠୁ ବଡ଼ ପ୍ରଭାବ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ସକ୍ରିୟ ରୋଗୀଙ୍କ ସଂଖ୍ୟା ବି କିଛି ଦିନ ହେବ ଦ୍ରୁତଗତିରେ ବଢ଼ୁଛି । ବର୍ତ୍ତମାନ ଭୁବନେଶ୍ୱରରେ ୨୨୦୧ ଜଣ ସକ୍ର୍ରିୟ ରୋଗୀ ଅଛନ୍ତି । ଜୁଲାଇ ୩୧ରେ ଏହି ସଂଖ୍ୟା ଥିଲା ୧୨୮୫ । ୧୯ ଦିନରେ ୯୧୬ଜଣ ସକ୍ରିୟ ରୋଗୀ ବଢ଼ିଛନ୍ତି ।

ଜୁଲାଇ ତୁଳନାରେ ଅଗଷ୍ଟ ଆରମ୍ଭବେଳେ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ଖସିଥିଲା । ମାତ୍ର ଗତ ୮/୧୦ ଦିନ ଭିତରେ ରାଜଧାନୀରେ ହୁ ହୁ ହୋଇ କରୋନା ସଂକ୍ରମଣ ମାଡ଼ି ଚାଲିଛି । ପରୀକ୍ଷା ବଢ଼ୁଥିବାରୁ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବା କୁହାଯାଉଛି ।

ସବୁ ୱାର୍ଡ ଏବେ ହଟସ୍ପଟ୍‌


ପଟିଆରୁ ପୋଖରୀପୁଟ । ବଡଗଡରୁ ବରମୁଣ୍ଡା । କଲୋନୀ, ବସ୍ତି… କିଛି ମାନୁନି । ରାଜଧାନୀରେ ଏଭଳି ଦ୍ରୁତ ସଂକ୍ରମଣ ଗଞ୍ଜାମକୁ ଟପିବାକୁ ବସିଲାଣି । ଆଉ କେଉଁ ନିର୍ଦ୍ଦିଷ୍ଟ ହଟସ୍ପଟ୍‌ ଅଞ୍ଚଳରେ ଏହା ସୀମିତ ନାହିଁ । ରାଜଧାନୀର ସବୁ ୱାର୍ଡ ଏବେ ହଟସ୍ପଟ୍‌ ଆଡକୁ ମୁହାଁଇଲାଣି । ସଂକ୍ରମଣ ଆଉ ଅଟକିବିନା ନାଁ ଧରୁନି ।

ବୁଧବାରର ସଂକ୍ରମିତ ବାହାରିଥିବା ଅଞ୍ଚଳକୁ ଦେଖିଲେ ସହରର ଆଉ କେଉଁ ଅଞ୍ଚଳ ସଂକ୍ରମଣରୁ ବର୍ତ୍ତିନଥିବା ସ୍ପଷ୍ଟ ଜଣାପଡୁଛି । ଶିଖରଚଣ୍ଡୀ, ଡମଣା, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଆଚାର୍ଯ୍ୟବିହାର, ସହିଦନଗର, ବାପୁଜୀନଗର, ବଡଗଡ, ବୁଦେ୍ଧଶ୍ୱରୀ, ଏଜି କଲୋନୀ, ଗଜପତିନଗର, ୟୁନିଟ୍‌-୬, ରସୁଲଗଡ, ଭିଏସଏସନଗର, ରସୁଲଗଡ, ପାଣ୍ଡେରା, ଚକେଇସିଆଣୀ, ଚିନ୍ତାମଣୀଶ୍ୱର, ଜାଗମରା, ଡୁମୁଡୁମା, ଭରତପୁର, ଖଣ୍ଡଗିରି, ନୂଆପଲ୍ଲୀ, କଳ୍ପନା, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର, ରୁଦ୍ରପୁର ଅଞ୍ଚଳରୁ ପୁଳା ପୁଳା ସଂକ୍ରମିତ ବାହାରିଛନ୍ତି ।

ଖାଲି କଲୋନୀ କି ଅଣବସ୍ତି ଅଞ୍ଚଳ ନୁହେଁ ଏବେ ବସ୍ତି ଅଞ୍ଚଳକୁ ପୁଣି ସଂକ୍ରମଣ ଧସେଇ ପଶିଲାଣି। ସାଲିଆ ସାହି, ଆଚାର୍ଯ୍ୟବିହାର ବିଶେଶ୍ୱର ବସ୍ତି, ୟୁନିଟ-୬ ରାଧାକୃଷ୍ଣ ବସ୍ତି, ନୀଳାଦ୍ରିବିହାର ହରେକୃଷ୍ଣ ବସ୍ତି, ରିକ୍ସାକଲୋନୀ ବସ୍ତି, ସାମନ୍ତପୁରୀ ବସ୍ତି, ବାଲିପଟା ବସ୍ତି, ପଥରବନ୍ଧ, ନୂଆପଲ୍ଲୀ ତ୍ରିନାଥ ବସ୍ତି, ଡେଲ୍‌ଟା ଛକ ପାଖ ଜଳେଶ୍ୱର ବସ୍ତି, ଚିରୁଗୋଲାତଳ ବସ୍ତି, ଶୈଳେଶ୍ରୀବିହାର ଚିଙ୍କୁଲି ବସ୍ତି, ଶିଶୁଭବନପାଖ ଚରଣ ବସ୍ତି, ଓ ମଞ୍ଚେଶ୍ୱର ପାଖ ବିଙ୍ଗୋଟି ସାହି ବସ୍ତିରୁ ୪୫ରୁ ଅଧିକ ଆକ୍ରାନ୍ତ ବାହାରିବା ପରେ ମୁଣ୍ଡବିନ୍ଧା ବଢ଼ିଛି ।

   ସମ୍ବନ୍ଧିତ ଖବର


ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…