ଭାରତୀୟ ଟେଷ୍ଟ ଅଧିନାୟକଙ୍କ ୯୦ ବର୍ଷର ଇତିହାସ, ଜାଣନ୍ତ କିଏ ସର୍ବାଧିକ ସଫଳ

ନୂଆଦିଲ୍ଲୀ ୨୩/୦୧ (କୁମାର ବିମଳ): ଭାରତ ଟେଷ୍ଟ କ୍ରିକେଟ୍ରେ ୧୯୩୨ ମସିହାରେ ପଦାର୍ପଣ କରିଥିଲା । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳି ପରାଜିତ ହୋଇଥିଲା । ଏହି ମ୍ୟାଚ୍ରେ ଭାରତର ଅଧିନାୟକ ଥିଲେ ସି.କେ ନାୟୁଡୁ । ଦୀର୍ଘ ୯୦ ବର୍ଷର ଟେଷ୍ଟ ଇତିହାସରେ ଦଳ ଏ ପର୍ଯ୍ୟନ୍ତ ଖେଳିଛି ୫୬୦ଟି ମ୍ୟାଚ୍ । ନାୟୁଡୁଙ୍କ ଠାରୁ ଲୋକେଶ ରାହୁଲଙ୍କ ପର୍ଯ୍ୟନ୍ତ ମୋଟ୍ ୩୪ ଜଣ ଦଳର ନେତୃତ୍ୱ ନେଇଛନ୍ତି । କିନ୍ତୁ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଅଧିକ ସଫଳ ହୋଇଥିଲା । ଭାରତୀୟ ଟେଷ୍ଟ ଅଧିନାୟକଙ୍କୁ ନେଇ ଆମର ବିଶେଷ ଫର୍ଦ୍ଦ ।
୧୯୩୨ ମସିହା ଜୁନ ୨୫ ତାରିଖରୁ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିଲା । ଏହି ମ୍ୟାଚ୍ରେ ଭାରତ ଅନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲା । ସି.କେ ନାୟୁଡୁଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା । ଭାରତ ଏହି ମ୍ୟାଚ୍ରେ ୧୫୮ ରନ୍ରେ ପରାଜିତ ହୋଇଥିଲା । ଅଧିନାୟକ ନାୟୁଡୁ (୪୦୍+ ୧୦) ଏବଂ ଅମର ସିଂ (୫+୫୧) ଭଲ ପ୍ରଦର୍ଶନ କରିଥିଲେ । ଭାରତୀୟ କ୍ରିକେଟ୍ ଇତିହାସରେ ନାୟୁଡୁ ପ୍ରଥମ ଅଧିନାୟକ ଥିଲେ । ଭାରତର ଟେଷ୍ଟ ପଦାର୍ପଣକୁ ଇତି ମଧ୍ୟରେ ୯୦ ବର୍ଷ ପୂରଣ ହୋଇଛି । ଦଳ ୫୬୦ଟି ମ୍ୟାଚ୍ (ଦକ୍ଷିଣ ଆଫ୍ରିକା ସିରିଜ୍ ପର୍ଯ୍ୟନ୍ତ) ଖେଳି ୧୬୬ଟିରେ ବିଜୟ, ୧୭୩ଟି ପରାଜୟ, ଗୋଟିଏ ଟାଇ ଏବଂ ୨୨୦ଟି ଡ୍ର’ ରଖିଛି । ଦଳର ବିଜୟ ହାର ୨୯.୬୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ୩୪ଜଣ ଟେଷ୍ଟ ଦଳର ନେତୃତ୍ୱ ନେଇଛନ୍ତି ।
୧-ସି.କେ ନାୟୁଡୁ (୧୯୩୨-୧୯୩୪): ୧୯୩୨ରୁ ୧୯୩୪ ମସିହା ପର୍ଯ୍ୟନ୍ତ ନାୟୁଡୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଥିଲେ । ଏହି ସମୟ ମଧ୍ୟରେ ଭାରତ ୪ଟି ମ୍ୟାଚ୍ ଖେଳି ୩ଟିରେ ପରାଜିତ ହୋଇଥିଲା ଏବଂ ଗୋଟିଏ ମ୍ୟାଚ୍ ଡ୍ର’ ରଖିଥିଲା । ୧୯୩୪ ମସିହାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍ଟି ଅମୀମାଂସିତ ଭାବେ ଶେଷ ହୋଇଥିଲା । ନାୟୁଡୁ ୧୯୩୬ ପର୍ଯ୍ୟନ୍ତ ଖେଳ ଜାରି ରଖିଥିଲେ । ୭ଟି ଅନ୍ତର୍ଜାତୀୟ ଟେଷ୍ଟ ଖେଳି ୩୫୦ (୨ ଅର୍ଦ୍ଧଶତକ) ରନ୍ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ।
୨-ମହାରାଜକୁମାର (୧୯୩୬): ପୁସପତି ବିଜୟଆନନ୍ଦ ଗଜପତି ରାଜୁ ବା ତାଙ୍କୁ ‘ମହାରାଜକୁମାର ଅଫ୍ ଭିଜିଆନାଗ୍ରାମ’ ଭାବେ ସମସ୍ତେ ଜାଣନ୍ତି । କ୍ୟାରିୟରରେ ସେ ମାତ୍ର ୩ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ୧୯୩୬ରେ ଭାରତ ଇଂଲଣ୍ଡ ବିପକ୍ଷରେ ଖେଳି ୨ଟିରେ ପରାଜିତ ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖିଥିଲା । ସେ କ୍ୟାରିୟରରେ ୩ଟି ଟେଷ୍ଟ ଖେଳି ୩୩ ରନ୍ ଏବଂ ୪୭ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ୧,୨୨୮ (୫ଟି ଅର୍ଦ୍ଧଶତକ) ରନ୍ କରିଥିଲେ ।
୩-ଆଇ.ଏକ.କେ ପଟୌଦି (୧୯୪୬): ପଟୌଦିଙ୍କ ପୂରା ନାମ ଅଫତିଖାର ଅଲି ଖାନ ପଟୌଦି । ସେ ଇଂଲଣ୍ଡ ବିପକ୍ଷ ୩ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ଦଳ ଗୋଟିଏ ମ୍ୟାଚ୍ରେ ପରାଜିତ ହୋଇଥିଲା ଏବଂ ୨ଟି ଅମୀମାଂସିତ ରଖିବାରେ ସଫଳ ହୋଇଥିଲା । ସେ ୬ଟି ଟେଷ୍ଟ ଖେଳି ୧୯୯ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ସାମିଲ ଥିଲା । ୧୯୩୨ ଡିସେମ୍ବର ୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ସିଡ୍ନୀରେ ୧୦୨ ରନ୍ର ଶତକୀୟ ଇନିଂସ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୨୭ଟି ମ୍ୟାଚ୍ ଖେଳି ୨୯ଟି ଶତକ ସହ ୮,୭୫୦ ରନ୍ କରିଥିଲେ ।
୪-ଲାଲା ଅମରନାଥ୍ (୧୯୪୭-୫୩): ସ୍ୱାଧୀନ ଭାରତର ପ୍ରଥମ ଏବଂ ଭାରତୀୟ କ୍ରିକେଟର ଚତୁର୍ଥ ଅଧିନାୟକ ଥିଲେ ଲାଲା ଅମରନାଥ । ତାଙ୍କ ନେତୃତ୍ୱରେ ଦଳ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷରେ ୫ଟି ଲେଖାଏଁ ମ୍ୟାଚ୍ ଖେଳିଥିଲା । ମୋଟ ୧୫ଟି ମ୍ୟାଚ୍ ଖେଳି ଭାରତ ୨ଟି ଜିତିଥିଲା, ୭ଟି ଅମୀମାଂସିତ ଏବଂ ୬ଟି ମ୍ୟାଚ୍ରେ ପରାଜିତ ହୋଇଥିଲା । ଅମରନାଥଙ୍କ ନେତୃତ୍ୱରେ ଦଳର ବିଜୟ ହାର ୧୩.୩୩ ଥିଲା । ସେ କ୍ୟାରିୟରରେ ୨୪ଟି ଟେଷ୍ଟ ଖେଳି ୮୭୮ ରନ୍ (ଗୋଟିଏ ଶତକ) ଏବଂ ୪୫ଟି ୱିକେଟ୍ ନେଇଥିଲେ ।
୫-ବିଜୟ ହଜାରେ (୧୯୫୧-୧୯୫୩): ହଜାରେଙ୍କ ନେତୃତ୍ୱରେ ଭାରତ ଟେଷ୍ଟ ପଦାର୍ପଣର ୨୦ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଥିଲା । ୧୯୫୨ ଫେବ୍ରୁଆରୀ ୬ ତାରିଖରୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ଚେନ୍ନାଇରେ ଆରମ୍ଭ ହୋଇଥିଲା । ଭାରତ ଏହି ମ୍ୟାଚ୍ରେ ଇନିଂସ ଓ ୮ ରନ୍ରେ ବିଜୟୀ ହୋଇଥିଲା । ହଜାରେ କ୍ୟାରିୟରରେ ୧୪ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ଭାରତ ଗୋଟିଏ ମ୍ୟାଚ୍ ଜିତିଥିବାବେଳେ ୫ଟିରେ ପରାଜିତ ହୋଇଥିଲା ଏବଂ ୮ଟି ମ୍ୟାଚ୍ ଡ୍ର’ ରଖିଥିଲା । ଦଳର ବିଜୟ ହାର ୭.୧୪ ଥିଲା । କ୍ୟାରିୟରରେ ୩୦ଟି ମ୍ୟାଚ୍ ଖେଳି ୨,୧୯୨ ରନ୍ (୭ଟି ଶତକ) ଏବଂ ୨୦ଟି ୱିକେଟ୍ ନେଇଥିଲେ ।
୬-ଭିନୁ ମଙ୍କଡ଼ (୧୯୫୪-୧୯୫୯): ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଙ୍କଡ଼ ୬ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । କିନ୍ତୁ ଗୋଟିଏ ବି ମ୍ୟାଚ୍ରେ ଦଳ ଜିତିପାରି ନଥିଲା । ଗୋଟିଏ ମ୍ୟାଚ୍ରେ ପରାଜୟ ସହ ୫ଟି ମ୍ୟାଚ୍ ଅମୀମାଂସିତ ରଖିଥିଲା । କ୍ୟାରିୟରରେ ସେ ୪୪ଟି ମ୍ୟାଚ୍ ଖେଳି ୨,୧୦୯ (୫ ଶତକ) ଏବଂ ୧୬୨ଟି ୱିକେଟ୍ ନେଇଥିଲେ ।
୭-ଗୁଲାମ ଅହମ୍ମଦ (୧୯୫୫-୧୯୫୯): ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ମ୍ୟାଚ୍ରେ ଗୁଲାମ ନେତୃତ୍ୱ ନେଇଥିଲେ । ଦଳ ୨ଟିରେ ପରାଜିତ ହୋଇଥିଲା ଏବଂ ଗୋଟିଏ ମ୍ୟାଚ୍ ଡ୍ର’ ରଖିଥିଲା । କ୍ୟାରିୟରରେ ସେ ୨୨ଟି ମ୍ୟାଚ୍ ଖେଳି ୧୯୨ ରନ୍ ଏବଂ ୬୮ଟି ୱିକେଟ୍ ପାଇଥିଲେ ।
୮-ପଲି ଉମ୍ରିଗର (୧୯୫୫-୧୯୫୯): ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ୮ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ଏଥିରେ ଦଳ ୨ଟି ବିଜୟ, ୨ଟି ପରାଜୟ ଏବଂ ୪ଟି ମ୍ୟାଚ୍ ଅମୀମାଂସିତ ରଖିଥିଲା । ଦଳର ବିଜୟ ହାର ୨୫.୦୦ ରହିଥିଲା । ଉମ୍ରିଗର କ୍ୟାରିୟରରେ ୫୯ଟି ମ୍ୟାଚ୍ ଖେଳି ୩,୬୩୧ (୧୨ ଶତକ) ରନ୍ ଏବଂ ୩୫ଟି ୱିକେଟ୍ ନେଇଥିଲେ । ଟେଷ୍ଟରେ ଦ୍ୱିଶତକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ଅଧିନାୟକ । ହାଇଦ୍ରାବାଦରେ ଉମ୍ରିଗର ନ୍ୟୁଜିଲାଣ୍ଡରେ ବିପକ୍ଷରେ ଏହି ସଫଳତା ଅର୍ଜନ କରିଥିଲେ ।
୯- ହେମୁ ଅଧିକାରୀ (୧୯୫୮-୫୯): ୱେଷ୍ଟଇଣ୍ଡିଜ ବିପକ୍ଷ ଗୋଟିଏ ମ୍ୟାଚ୍ରେ ହେମୁ ନେତୃତ୍ୱ ନେଇଥିଲେ । ମ୍ୟାଚ୍ଟି ଅମୀମାଂସିତ ରହିଥିଲା । କ୍ୟାରିୟରରେ ୨୧ଟି ଟେଷ୍ଟ ଖେଳି ୮୭୨ (୧ ଶତକ) ରନ୍ ଏବଂ ୩ଟି ୱିକେଟ୍ ନେଇଥିଲେ ।
୧୦-ଦତ୍ତା ଗାଏକୱାଡ (୧୯୫୯): ଇଂଲଣ୍ଡ ବିପକ୍ଷରେ ୪ଟି ମ୍ୟାଚ୍ରେ ଦତ୍ତା ନେତୃତ୍ୱ ନେଇଥିଲେ । ଭାରତ ସମସ୍ତ ମ୍ୟାଚ୍ରେ ପରାଜିତ ହୋଇଥିଲା । ସେ କ୍ୟାରିୟରରେ ୧୧ଟି ଟେଷ୍ଟ ଖେଳି ୩୫୦ ରନ୍ କରିଥିଲେ ।
୧୧-ପଙ୍କଜ ରୟ (୧୯୫୯): ଇଂଲଣ୍ଡ ବିପକ୍ଷରେ ଗୋଟିଏ ମ୍ୟାଚ୍ରେ ତାଙ୍କୁ ନେତୃତ୍ୱ ମିଳିଥିଲା । ଦଳ ଏଥିରେ ପରାଜିତ ହୋଇଥିଲା । କ୍ୟାରିୟରରେ ସେ ୪୩ଟି ଟେଷ୍ଟ ଖେଳି ୨୪୪୨ (୫ଟି ଶତକ) ରନ୍ କରିଥିଲେ ।
୧୨- ଜି ରାମଚାନ୍ଦ (୧୯୫୯-୬୦): ଅଷ୍ଟ୍ରେଲିଆ ବିପକ୍ଷ ୫ଟି ଟେଷ୍ଟରେ ସେ ଦଳର ନେତୃତ୍ୱ ନେଇଥିଲେ । ଦଳ ଗୋଟିଏ ମ୍ୟାଚ୍ ଜିତିଥିବାବେଳେ ୨ଟି ପରାଜୟ ଓ ୨ଟି ମ୍ୟାଚ୍ ଅମୀମାଂସିତ ରଖିଥିଲା । ତାଙ୍କ ନେତୃତ୍ୱରେ ଦଳର ବିଜୟ ହାର ୨୦.୦୦ ଥିଲା । କ୍ୟାରିୟରରେ ସେ ୩୩ଟି ମ୍ୟାଚ୍ ଖେଳି ୧୧୮୦ ରନ୍ (୨ଟି ଶତକ) ଏବଂ ୪୧ଟି ୱିକେଟ୍ ହାସଲ କରିଥିଲେ ।
୧୩- ନରି କଣ୍ଟ୍ରାକ୍ଟର (୧୯୬୦-୧୯୬୨): ପାକିସ୍ତାନ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ୧୨ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ଦଳ ଏଥିରୁ ୨ଟି ବିଜୟ, ୨ଟି ପରାଜୟ ଏବଂ ୮ଟି ମ୍ୟାଚ୍ ଅମୀମାଂସିତ ରଖିଥିଲା । ଦଳର ବିଜୟ ହାର ୧୬.୬୭ ରହିଥିଲା । ନରି କ୍ୟାରିୟରରେ ୩୧ଟି ମ୍ୟାଚ୍ ଖେଳି ୧୬୧୧ (ଗୋଟିଏ ଶତକ) ରନ୍ କରିଥିଲେ ।
୧୪-ମନସୁର ଅଲ୍ଲୀ ଖାନ ପଟୌଦି (୧୯୬୨-୧୯୭୫): ପଟୌଦି ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମୋଟ୍ ୪୦ଟି ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଥିଲେ । ଭାରତ ଏଥିରୁ ୯ଟି ଜିତିଥିବାବେଳେ ୧୯ଟିରେ ପରାଜିତ ହୋଇଥିଲା । ୧୨ଟି ମ୍ୟାଚ୍ ଅମୀମାଂସିତ ରହିଥିଲା । ଦଳର ବିଜୟ ହାର ୨୨.୫୦ ରହିଥିଲା । ପଟୌଦି କ୍ୟାରିୟରରେ ୪୬ଟି ମ୍ୟାଚ୍ ଖେଳି ୨,୭୯୩ (୬ଟି ଶତକ (ଗୋଟିଏ ଦ୍ୱିଶତକ) ରନ୍ କରିଥିଲେ ।
୧୫- ଚନ୍ଦୁ ବୋର୍ଡେ (୧୯୬୭-୬୮): ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ଦଳ ପରାଜିତ ହୋଇଥିଲା । ସେ କ୍ୟାରିୟରରେ ୫୫ଟି ଟେଷ୍ଟ ଖେଳି ୩,୦୬୧ (୫ଟି ଶତକ) ଏବଂ ୫୨ଟି ୱିକେଟ୍ ପାଇଥିଲେ ।
୧୬- ଅଜିତ ୱାଦେକର (୧୯୭୦-୧୯୭୪): ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷରେ ଅଜିତ ୧୬ଟି ମ୍ୟାଚ୍ରେ ନେତୃତ୍ୱ ନେଇ ଦଳକୁ ୪ଟିରେ ଜିତାଇଥିଲେ । ଏଥିରୁ ଦଳ ୪ଟିରେ ପରାଜିତ ଓ ୮ଟି ମ୍ୟାଚ୍ ଅମୀମାଂସିତ ରଖିଥିଲା । ଦଳର ବିଜୟ ହାର ୨୫.୦୦ ରହିଥିଲା । ସେ କ୍ୟାରିୟରରେ ୩୭ଟି ଟେଷ୍ଟ ଖେଳି ୨,୧୧୩ (ଗୋଟିଏ ଶତକ) ରନ୍ କରିଥିଲେ ।
୧୭-ଶ୍ରୀନିବାସ ଭେଙ୍କଟରାଘବନ (୧୯୭୪-୧୯୭୯): ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ଟି ମ୍ୟାଚ୍ର ନେତୃତ୍ୱ ନେଇଥିଲେ ରାଘବନ । ଏଥିରୁ ଦଳ ୨ଟି ପରାଜୟ ଏବଂ ୩ଟି ମ୍ୟାଚ୍ ଅମୀମାଂସିତ ରଖିଥିଲା । କ୍ୟାରିୟରରେ ୫୭ଟି ମ୍ୟାଚ୍ ଖେଳି ସେ ୭୪୮ ରନ୍ ଓ ୧୫୬ଟି ୱିକେଟ୍ ଅକ୍ତିଆର କରିଥିଲେ ।
୧୮-ସୁନୀଲ ଗାଭାସ୍କର (୧୯୭୫-୧୯୮୫): ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ପାକିସ୍ତାନ, ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଗାଭାସ୍କର ୪୭ଟି ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଥିଲେ । କିନ୍ତୁ ଏଥିରୁ ଦଳ ମାତ୍ର ୩ଟି ମ୍ୟାଚ୍ ଜିତିଥିଲା । ୩୦ଟି ମ୍ୟାଚ୍ ଅମୀମାଂସିତ ରଖିଥିବାବେଳେ ୮ଟିରେ ପରାସ୍ତ ହୋଇଥିଲା । ଦଳର ବିଜୟ ହାର ୧୯.୧୪ ରହିଥିଲା । ଗାଭାସ୍କର କ୍ୟାରିୟରରେ ୧୨୫ଟି ଟେଷ୍ଟ ଖେଳି ୩୪ଟି ଶତକ ସହ ୧୦,୧୨୨ ରନ୍ କରିଥିଲେ । ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ ଟେଷ୍ଟରେ ୧୦ ହଜାର ରନ ପୂରଣ କରିବାର ସୌଭାଗ୍ୟ ଲାଭ କରିଥିଲେ ।
୧୯- ବିଶନ ସିଂ ବେଦୀ (୧୯୭୫-୧୯୭୯): ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷରେ ବେଦୀ ୨୨ଟି ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଥିଲେ । ଦଳ ଏଥିରୁ ୬ଟି ମ୍ୟାଚ୍ ଜିତିଥିଲା । ୧୧ଟି ପରାଜିତ ହୋଇଥିବାବେଳେ ୫ଟି ଅମୀମାଂସିତ ରଖିଥିଲା । ଦଳର ବିଜୟ ହାର ୨୭.୨୭ ରହିଥିଲା । ସେ କ୍ୟାରିୟରରେ ୬୭ଟି ଟେଷ୍ଟ ଖେଳି ୬୫୬ ରନ୍ ଏବଂ ୨୬୬ଟି ୱିକେଟ୍ ହାସଲ କରିଥିଲେ ।
୨୦- ଗୁଣ୍ଡାପ୍ପା ବିଶ୍ୱନାଥ (୧୯୮୦): ପାକିସ୍ତାନ ଓ ଇଂଲଣ୍ଡ ବିପକ୍ଷରେ ମୋଟ୍ ୨ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ଦଳ ଗୋଟିଏ ପରାଜିତ ଓ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖିଥିଲା । ସେ କ୍ୟାରିୟରରେ ୯୧ଟି ମ୍ୟାଚ୍ ଖେଳି ୬୦୮୦ (୧୪ ଶତକ) ରନ୍ କରିଥିଲେ ।
୨୧- କପିଳ ଦେବ (୧୯୮୨-୧୯୮୭): ଦେଶକୁ ପ୍ରଥମ ଦିନିକିଆ ବିଶ୍ୱକପ୍ ଟାଇଟଲ ଭେଟିଦେଇଥିବା କପିଳ ୱେଷ୍ଟଇଣ୍ଡିଜ, ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ୍ ୩୪ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ଦଳ ୪ଟିରେ ବିଜୟୀ, ୭ଟିରେ ପରାଜୟ ଏବଂ ୨୩ଟି ମ୍ୟାଚ୍ ଅମୀମାଂସିତ ରଖିଥିଲା । ଦଳର ବିଜୟ ହାର ୧୧.୭୬ ରହିଥିଲା । ସେ କ୍ୟାରିୟରରେ ୧୩୧ଟି ଟେଷ୍ଟ ଖେଳି ୫,୨୪୮ (୮ ଶତକ) ରନ୍ ଏବଂ ୪୩୪ଟି ୱିକେଟ୍ ହାସଲ କରିଥିଲେ ।
୨୨- ଦିଲ୍ଲୀପ ଭେଙ୍ଗସରକାର (୧୯୮୭-୧୯୮୯): ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦ଟି ମ୍ୟାଚ୍ରେ ନେତୃତ୍ୱ ନେଇ ଦିଲ୍ଲୀପ ଦଳକୁ ୨ଟି ମ୍ୟାଚ୍ରେ ବିଜୟୀ କରାଇଥିଲେ । ୫ଟି ମ୍ୟାଚ୍ରେ ଦଳ ପରାଜିତ ଏବଂ ୩ଟି ଡ୍ର’ ରଖିବାରେ ସଫଳ ହୋଇଥିଲା । ଦଳର ବିଜୟ ହାର ୨୦.୦ ରହିଥିଲା । ସେ କ୍ୟାରିୟରରେ ୧୧୬ଟି ମ୍ୟାଚ୍ ଖେଳି ୧୭ଟି ଶତକ ସହ ୬,୮୬୮ ରନ୍ କରିଥିଲେ ।
୨୩- ରବି ଶାସ୍ତ୍ରୀ (୧୯୮୭): ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ମ୍ୟାଚ୍ରେ ନେତୃତ୍ୱ ନେଇ ରବି ଦଳକୁ ଜିତାଇଥିଲେ । ସେ କ୍ୟାରିୟରରେ ୮୦ଟି ଟେଷ୍ଟ ଖେଳି ୧୧ଟି ଶତକ ସହ ୩,୮୩୦ ରନ୍ ଏବଂ ୧୫୧ଟି ୱିକେଟ୍ ହାସଲ କରିଥିଲେ ।
୨୪- କେ. ଶ୍ରୀକାନ୍ତ (୧୯୮୯-୯୦): ପାକିସ୍ତାନ ବିପକ୍ଷରେ ୪ଟି ମ୍ୟାଚ୍ରେ ଶ୍ରୀକାନ୍ତ ନେତୃତ୍ୱ ନେଇଥିଲେ । ଦଳ ସବୁ ମ୍ୟାଚ୍ ଡ୍ର’ ରଖିଥିଲା । ସେ କ୍ୟାରିୟରରେ ୪୩ଟି ଟେଷ୍ଟ ଖେଳି ୨ଟି ଶତକ ସହ ୨,୦୬୨ ରନ୍ କରିଥିଲେ ।
୨୫- ମହମ୍ମଦ ଆଝାରୁଦ୍ଦିନ (୧୯୮୯-୧୯୯୯): ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ଜିମ୍ବାୱେ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ପାକିସ୍ତାନ ଭଳି ଦଳ ବିପକ୍ଷରେ ମୋଟ୍ ୪୭ଟି ମ୍ୟାଚରେ ଆଝାର ନେତୃତ୍ୱ ନେଇଥିଲେ । ସେଥିରୁ ଦଳ ୧୪ଟିରେ ବିଜୟ, ୧୪ଟିରେ ପରାଜୟ ଏବଂ ୧୯ଟି ମ୍ୟାଚ୍ ଡ୍ର’ ରଖିଥିଲା । ଦଳର ବିଜୟ ହାର ୨୯.୭୯ ରହିଥିଲା । ସେ କ୍ୟାରିୟରରେ ୯୯ଟି ମ୍ୟାଚ୍ ଖେଳି ୨୨ଟି ଶତକ ସହ ୬,୨୧୫ ରନ୍ କରିଥିଲେ ।
୨୬- ସଚିନ ତେନ୍ଦୁଲକର (୧୯୯୬-୨୦୦୦): ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୫ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ଦଳ ୪ଟିରେ ଜିତିଥିବାବେଳେ ୯ଟିରେ ପରାସ୍ତ ହୋଇଥିଲା । ୧୨ଟି ମ୍ୟାଚ୍ ଡ୍ର’ ରଖିଥିଲା । ଦଳର ବିଜୟ ହାର ୧୬.୦୦ ରହିଥିଲା । ସେ କ୍ୟାରିୟରରେ ୨୦୦ଟି ମ୍ୟାଚ୍ ଖେଳି ୫୧ଟି ଶତକ ସହ ୧୫,୯୨୧ ରନ୍ ଏବଂ ୪୬ଟି ୱିକେଟ୍ ନେଇଥିଲେ ।
୨୭- ସୌରଭ ଗାଙ୍ଗୁଲି (୨୦୦୦-୨୦୦୬): ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ଜିମ୍ବାୱେ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ପାକିସ୍ତାନ ଓ ବାଂଲାଦେଶ ପ୍ରଭୃତି ଦଳ ବିପକ୍ଷରେ ୪୯ଟି ମ୍ୟାଚ୍ରେ ନେତୃତ୍ୱ ନେଇ ଦଳକୁ ୨୧ଟି ମ୍ୟାଚ୍ରେ ଜିତାଇଥିଲେ । ୧୩ଟିରେ ଦଳ ପରାଜିତ ଏବଂ ୧୫ଟି ଡ୍ର’ ରଖିଥିଲା । ଦଳର ବିଜୟ ହାର ୪୨.୮୬ ରହିଥିଲା । ସେ କ୍ୟାରିୟରରେ ୧୧୩ଟି ଟେଷ୍ଟ ଖେଳି ୧୬ଟି ଶତକ ସହ ୭,୨୧୨ ରନ୍ ଏବଂ ୩୨ଟି ୱିକେଟ୍ ନେଇଥିଲେ ।
୨୮- ରାହୁଲ ଦ୍ରାବିଡ଼ (୨୦୦୩-୨୦୦୭): ଅଧିନାୟକତ୍ୱ କ୍ୟାରିୟରରେ ରାହୁଲ ୨୫ଟି ମ୍ୟାଚ୍ରେ ନେତୃତ୍ୱ ନେଇ ଦଳକୁ ୮ଟି ମ୍ୟାଚ୍ରେ ଜିତାଇଥିଲେ । ଦଳ ୬ଟିରେ ପରାଜିତ ଏବଂ ୧୧ଟି ମ୍ୟାଚ୍ ଅମୀମାଂସିତ ରଖିଥିଲା । ଦଳର ବିଜୟ ହାର ୩୨.୦୦ ଥିଲା । ସେ କ୍ୟାରିୟରରେ ୧୬୪ଟି ମ୍ୟାଚ୍ ଖେଳି ୩୬ଟି ଶତକ ସହ ୧୩,୨୮୮ ରନ୍ ଏବଂ ଗୋଟିଏ ୱିକେଟ୍ ପାଇଥିଲେ ।
୨୯- ବିରେନ୍ଦ୍ର ସେହ୍ୱାଗ : ମୋଟ୍ ୪ଟି ମ୍ୟାଚ୍ରେ ନେତୃତ୍ୱ ନେବାର ସୁଯୋଗ ସେହ୍ୱାଗଙ୍କୁ ମିଳିଥିଲା । ସେଥିରୁ ଦଳ ୨ଟିରେ ବିଜୟୀ, ଗୋଟିଏ ପରାଜୟ ଏବଂ ଗୋଟିଏ ଡ୍ର’ ରଖିଥିଲା । ସେ କ୍ୟାରିୟରରେ ୧୦୪ଟି ମ୍ୟାଚ୍ ଖେଳି ୨୩ଟି ଶତକ ସହ ୮,୫୮୬ ରନ୍ ଏବଂ ୪୦ଟି ୱିକେଟ୍ ନେଇଥିଲେ ।
୩୦- ଅନୀଲ କୁମ୍ବଲେ (୨୦୦୭-୨୦୦୮) : କୁମ୍ବଲେ ୧୪ଟି ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଥିଲେ । ସେଥିରୁ ଦଳ ୩ଟିରେ ବିଜୟ, ୫ଟିରେ ପରାଜୟ ଏବଂ ୬ଟି ଡ୍ର’ ରଖିଥିଲା । ଦଳର ବିଜୟ ହାର ୨୧.୪୨ ରହିଥିଲା । ସେ କ୍ୟାରିୟରରେ ୧୩୨ଟି ଟେଷ୍ଟ ଖେଳି ୨,୫୦୬ (୧ ଶତକ) ରନ୍ ଏବଂ ୬୧୯ଟି ୱିକେଟ୍ ହାସଲ କରିଥିଲେ ।
୩୧- ମହେନ୍ଦ୍ର ସିଂ ଧୋନି (୨୦୦୮-୨୦୧୫) : ବିଶ୍ୱର ପ୍ରମୁଖ ଟେଷ୍ଟ ଖେଳୁଥିବା ଦଳ ବିପକ୍ଷରେ ଧୋନି ୬୦ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ସେଥିରୁ ଦଳ ୨୭ଟିରେ ବିଜୟ, ୧୮ଟି ପରାଜୟ ଏବଂ ୧୫ଟି ଡ୍ର’ ରଖିଥିଲା । ଦଳର ବିଜୟ ହାର ୪୫.୦୦ ରହିଥିଲା । ସେ କ୍ୟାରିୟରରେ ୯୦ଟି ଟେଷ୍ଟ ଖେଳି ୬ଟି ଶତକ ସହ ୪,୮୭୬ ରନ୍ କରିଥିଲେ ।
୩୨- ବିରାଟ କୋହଲି (୨୦୧୫-୨୦୨୨) : ଧୋନିଙ୍କ ପରେ କୋହଲି ହୋଇଥିଲେ ଅଧିନାୟକ । ସେ ୬୮ଟି ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଥିଲେ । ଏଥିରୁ ଦଳ ୪୦ଟି ଜିତିଥିବାବେଳେ ୧୭ଟି ପରାଜୟ ଏବଂ ୧୧ଟି ଡ୍ର’ ରଖିଥିଲା । ଦଳର ବିଜୟ ହାର ୫୮.୮୨ ରହିଥିଲା । କୋହଲି ଭାରତୀୟ ଟେଷ୍ଟ ଇତିହାସରେ ଦଳକୁ ସର୍ବାଧିକ ବିଜୟ ଭେଟି ଦେଇଛନ୍ତି । ଏ ପର୍ଯ୍ୟନ୍ତ କୋହଲି ୯୯ଟି ଟେଷ୍ଟ ଖେଳି ୨୭ଟି ଶତକ ସହ ୭,୯୬୨ ରନ୍ କରିଛନ୍ତି ।
୩୩- ଅଜିଙ୍କ୍ୟ ରାହାଣେ: କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ୬ଟି ମ୍ୟାଚ୍ରେ ନେତୃତ୍ୱ ନେଇ ଦଳକୁ ୪ଟିରେ ବିଜୟୀ କରାଇଛନ୍ତି । ୨ଟି ମ୍ୟାଚ୍ ଡ୍ର’ ରହିଛି । ଦଳର ବିଜୟ ହାର ୬୬.୬୬ ରହିଛି । ସେ ଏ ପର୍ଯ୍ୟନ୍ତ ୮୨ଟି ଟେଷ୍ଟ ଖେଳି ୧୨ଟି ଶତକ ସହ ୪,୯୩୧ ରନ୍ କରିଛନ୍ତି ।
୩୪- ଲୋକେଶ ରାହୁଲ: ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କୋହଲିଙ୍କ ଅନୁପସ୍ଥିତିରେ ରାହୁଲ ନେତୃତ୍ୱ ନେଇଥିଲେ । ଦଳ ଏଥିରେ ପରାଜିତ ହୋଇଥିଲା । ସେ ଏ ପର୍ଯ୍ୟନ୍ତ ୪୩ଟି ମ୍ୟାଚ୍ ଖେଳି ୭ଟି ଶତକ ସହ ୨,୫୪୭ ରନ୍ କରିଛନ୍ତି ।