ପୁଲଓ୍ବାମା ଠାରୁ ବଡ଼ ବିସ୍ଫୋରଣ କରିବା ଯୋଜନାରେ ଜୈଶର ଆତଙ୍କୀ

ଶ୍ରୀନଗର,୨୧।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ସରିନଥିବା ବେଳେ ଏବେ ଆଉ ଏକ ଆକ୍ରମଣ ଷଡଯନ୍ତ୍ର କରୁଛି ପାକିସ୍ତାନ । ଗୁଇନ୍ଦା ଖବର ଅନୁସାରେ ଜୈଶ-ଇ-ମହମ୍ମଦ ପୁଲଓ୍ବାମାରେ ଠାରୁ ମଧ୍ୟ ବଡ ଧରଣର ଆକ୍ରମଣ କରିପାରେ। ଏହା ଆଗାମୀ ୨ରୁ ୩ଦିନ ଭିତରେ ହୋଇପାରେ। ଯେଉଁଥିପାଇଁ ଗାଡି ମଧ୍ୟ ପ୍ରସ୍ତୁତ କରିସାରିଛି। ଗୁଇନ୍ଦା ଏଜେନ୍ସିକୁ ମିଳିଥିବା ଇନ୍ପୁଟ୍ ଅନୁସାରେ ଉତ୍ତର କଶ୍ମୀରର ଚୌକିବଲ ଓ ତଙ୍ଗଧାରରେ ଆଇଡି ବ୍ଲାଷ୍ଟ ଜରିଆରେ ଆକ୍ରମଣ କରିବାର ଷଡଯନ୍ତ୍ରରେ ଜୈଶ ସାମିଲ ରହିଛି।

ମିଳିଥିବା ସୂଚନା ଅନୁସାରେ ଗୁଇନ୍ଦା ଏଜେନ୍ସି ଏନେଇ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ କହିଛି। ଇନପୁଟ୍ ଅନୁସାରେ ଜୈଶର ଆତଙ୍କବାଦୀଙ୍କ ଦ୍ବାରା ଏକ ଗାଡି ପ୍ରସ୍ତୁତ କରାଯାଇଛି। ଯାହା ଜରିଆରେ ଆଇଡି ବ୍ଲାଷ୍ଟ କରି ପୁଣିଥରେ ସୁରକ୍ଷାକର୍ମୀମାନଙ୍କ କନଭୟକୁ ଟାର୍ଗେଟ କରିହେବ। ଏହି ଆକ୍ରମଣ ପାଇଁ ନୀଳ ରଙ୍ଗର ସ୍କର୍ପିଓ ଗାଡିକୁ ପ୍ରସ୍ତୁତ କରାଯାଇଛି ଯାହାଫଳରେ ପୁଣିଥରେ ପୁଲଓ୍ବାମା ଭଳି ଆତଙ୍କୀ ଆକ୍ରମଣ କରାଯିବ। ଯେଉଁ ମେସେଜକୁ ଡିକୋଡ୍ କରାଯାଇଛି ତା ଅନୁସାରେ ଗତ ଆକ୍ରମଣରେ ୨୦୦ କିଲୋଗ୍ରାମ ବିସ୍ଫୋରକର ବ୍ୟବହାର ହୋଇଥିଲା। କିନ୍ତୁ ଏହି ଆକ୍ରମଣରେ ୫୦୦ କେଜି ବିସ୍ଫୋରକର ବ୍ୟବହାର କରାଯାଇପାରେ। ଏହି ମେଜେସରେ କୁହାଯାଇଛି ସେନାକୁ କଶ୍ମୀରବାସୀଙ୍କୁ ଟାର୍ଗେଟ କରିବା ବନ୍ଦ କରିଦେବା ଦରକାର। ଏହି ଯୁଦ୍ଧ ଆମର (ଜୈଶ) ଓ ସେନା ମଧ୍ୟରେ ହେବ। ଆମକୁ ଲଢିବା ପାଇଁ ପ୍ରସ୍ତୁତ ହେବା ଦରକାର।

ଏଠାରେ ଉଲ୍ଳେଖନୀୟ ଯେ ଆଉ ଏକ ଇନପୁଟରୁ ଜଣାପଡିଛି ଯେ କିଛି ସ୍ଥାନୀୟ କଶ୍ମୀରି ଲୋକଙ୍କୁ ଆତଙ୍କୀ ହେବା ପାଇଁ ପ୍ରସ୍ତୁତ କରାଯାଉଛି। କୁହାଯାଉଛି ଯେ ସୀମାର ଅପରପକ୍ଷେ ୫-୬ ଆତଙ୍କବାଦୀ ପଶିଆସି ଗୁରେଜ୍ ସେକ୍ଟର ପାଖରେ ବସି ରହିଛନ୍ତି। ସେମାନଙ୍କୁ ନିର୍ଦେଶ ମିଳିବା ପରେ ସେମାନେ ଭାରତରେ ପ୍ରବେଶ କରିବେ। ଉଲ୍ଳେଖନୀୟ ଯେ ଗତ ୧୪ରେ ଜୈଶ –ଏ-ମହମ୍ମଦର ଆତଙ୍କବାଦୀ ପୁଲଓ୍ବାମରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଯେଉଁଥିରେ ସେନାର ୪୦ ଯବାନ ଶହୀଦ ହୋଇଯାଇଛନ୍ତି। ଏହି ଆକ୍ରମଣ ଆଦିଲ ଅହମ୍ମଦ ଡାର କରିଥିଲା। ଆଦିଲ ଏକ ଗାଡି ନେଇ ସିଆରପିଏଫର କନଭୟ ଭିତରକୁ ପଶିଯାଇଥିଲା। ଯାହାଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା।