କୋଣାର୍କ ମହୋତ୍ସବ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ

କଟକ,୨୨/୧୧: ଡିସେମ୍ବର ପହିଲାରୁ କୋଣାର୍କଠାରେ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ଏଥିସହ ସେହି ସମୟରେ ଚନ୍ଦ୍ରଭାଗା କୂଳରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ। କରୋନାର ଦ୍ୱିତୀୟ ଲହରୀ ନେଇ ସବୁଆଡ଼େ ସତର୍କତା ଅବଲମ୍ବନ କରାଯାଉଥିଲା ବେଳେ ଏହି ଦୁଇଟି ମହୋତ୍ସବ ପାଇଁ ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ଜନ ସମାଗମର ସମ୍ଭାବନା ରହିଛି । ଫଳରେ କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ତେଣୁ ଏହି ଦୁଇ ମହୋତ୍ସବକୁ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ସମାଜସେବୀ ବୃନ୍ଦାବନ ଦାସ ଆଜାଦ ଏହି ମାମଲା ରୁଜୁ କରିଛନ୍ତି ।

ସେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି, କୋଣାର୍କ ନାଟ୍ୟ ମଣ୍ଡପରେ ଏହି ମହୋତ୍ସବ ଅବସରରେ ନୃତ୍ୟ କାର୍ଯ୍ୟକ୍ରମ ହୋଇଥାଏ । ଯେଉଁଥିରେ ସମଗ୍ର ଦେଶର ପ୍ରାୟ ୨୫ଟି ରାଜ୍ୟରୁ କଳାକାରମାନେ ଭାଗ ନେଇଥାନ୍ତି । ପ୍ରତି ରାଜ୍ୟରୁ ଯଦି ଅତିକମ୍‌ରେ ୨୦ ଜଣ ନୃତ୍ୟ ଶିଳ୍ପୀ ଆସନ୍ତି ତାହେଲେ ଏମାନଙ୍କ ସଂଖ୍ୟା ୫୦୦ ଟପିଯିବ । କୋଣାର୍କ ନାଟ୍ୟ ମଣ୍ଡପରେ ୨ହଜାର ପର୍ଯ୍ୟନ୍ତ ଦର୍ଶକ ବସିପାରିବେ । ଯଦି ବି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ୫୦% ଦର୍ଶକଙ୍କୁ ବସିବାକୁ ଅନୁମତି ମିଳେ ତାହେଲେ ଏଠାରେ ହଜାରେ ପର୍ଯ୍ୟନ୍ତ ଦର୍ଶକ ଏକତ୍ରିତ ହେବେ । କିନ୍ତୁ କୌଣସି ବାହାଘର ବା ଉତ୍ସବରେ ସର୍ବାଧିକ ୨୦୦ ପର୍ଯ୍ୟନ୍ତ ଲୋକ ଏକତ୍ରିତ ହୋଇପାରିବେ ବୋଲି ନିୟମ ରହିଛି । ଏପରିକି କେତେକ ସହରରେ ୧୦୦ ଭିତରେ ଲୋକ ଏକତ୍ରିତ ହୋଇପାରିବେ ବୋଲି କଟକଣା ଲାଗୁ କରାଯାଇଛି । ତେଣୁ କୋଣାର୍କ ମହୋତ୍ସବରେ ଏତେ ଲୋକଙ୍କୁ କିପରି ଅନୁମତି ଦିଆଯିବ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି ।

ଏଥିସହ ଆନ୍ତର୍ଜାତିକ ବାଲୁକା ଶିଳ୍ପ କଳାରେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଭାଗ ନେବେ । ଶେଷ ଅନ୍‌ଲକ୍‌ରେ ସ୍ୱତନ୍ତ୍ର ରିଲିଫ୍‌ କମିସନର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ଆସନ୍ତା ୩୦ ପର୍ଯ୍ୟନ୍ତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକଣା ଲାଗୁ କରାଯାଇଛି । ଆସନ୍ତା ଅନ୍‌ଲକ୍‌ ପ୍ରକ୍ରିୟା ବେଳକୁ କଟକଣା କେତେଦୂର ରହିବ ତାହା ମଧ୍ୟ ଜଣାପଡି ନାହିଁ ।

ବର୍ତ୍ତମାନ ଦେଶର ଦିଲ୍ଲୀ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯଦି ଏହି ମହୋତ୍ସବ ଅନୁଷ୍ଠିତ ହୁଏ ତାହେଲେ ବାହାର ରାଜ୍ୟରୁ କଳାକାରମାନେ ଆସୁଥିବାରୁ କରୋନା ସଂକ୍ରମଣ ଅଧିକ ବ୍ୟାପିବା ନେଇ ଆଶଙ୍କା ରହିଛି । କିଛିଦିନ ତଳେ କରୋନାର ଦ୍ୱିତୀୟ ଲହରକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ କରାଇଥିଲେ । କିନ୍ତୁ ଏସବୁକୁ ଏଡାଇ ଦେଇ ପର୍ଯ୍ୟଟନ ବିଭାଗ କିପରି ଏହି ମହୋତ୍ସବ କରିବା ଲାଗି ଅନୁମତି ଦେଇଛି ତାହାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି । ମହୋତ୍ସବକୁ ବନ୍ଦ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବପ୍ରସାଦ ମହାନ୍ତି ମାମଲା ରୁଜୁ କରିଛନ୍ତି।

   ସମ୍ବନ୍ଧିତ ଖବର


ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଆଗାମୀ ଦିନରେ ପିଲାଙ୍କ ସିଲାବସ୍‌ରେ ସାମିଲ ହେବ ‘ସାଇବର୍‌ ସିକ୍ୟୁରିଟି’ ବିଷୟ : ବିଦ୍ୟାଳୟସ୍ତରରୁ ଆରମ୍ଭ ହେବ ସଚେତନତା