ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ମାଙ୍ଗାଲୁରୁ, ୨୧/ ୧୦: ଆଜିର ସମୟରେ ଭଳିକି ଭଳି ଚୋରି ହେଉଥିବା ଖବର ଆପଣ ଶୁଣିଥିବେ ନିଶ୍ଚୟ। ହେଲେ ମାଙ୍ଗାଲୁରୁ ସହରରୁ ଏମିତି ଏକ ଖବର ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। ମାଙ୍ଗାଲୁରୁ ସହରରେ ଫେକ୍‌ ଚେକ୍‌ ଦେଇ ୭ ଲକ୍ଷ ଟଙ୍କାର ଗହଣା କିଣିଥିଲେ ଏକ ଦମ୍ପତି। ପରେ ସେହି ଚେକ୍‌ ଟି ଜାଲି ବୋଲି ଜଣା ପଡ଼ିଥିଲା। ଏଭଳି ଭାବେ ସ୍ମାର୍ଟ ଚୋରି କରିଥିଲେ ଦମ୍ପତି। ପରେ ବାଜପି ପୁଲିସ୍‌ ଏହି ଘଟଣାରେ ମହିଳାଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ମହିଳା ଜଣଙ୍କ ନାମ ହେଉଛି ଫରିଦା ବେଗମ୍। ଏବଂ ତାଙ୍କ ସ୍ବାମୀଙ୍କ ନାମ ହେଉଛି ରମିଜ୍। ଯିଏକି ଏହି ଜାଲି ଚେକ୍‌ ଦେଇ ସ୍ମାର୍ଟ ଚୋରି କରିଥିବାର ମଧ୍ୟ ଅଭିଯୁକ୍ତ। ସୂଚନାଥାଉକି, ରମିଜ୍‌ ଓ ଫରିଦା ହେଉଛନ୍ତି ମୁଟଓର ଅଞ୍ଚଳର। ଦୁହେଁ ଏକ ଅଳଙ୍କାର ଦୋକାନକୁ ଗହଣା କଣିବାକୁ ଯାଇଥିଲେ। ଗହଣା ବି କିଣିଲେ ଆଉ ୭ ଲକ୍ଷ ଟଙ୍କାର ଚେକ୍‌ ଦେଇ ଗହଣା ନେଇ ଯାଇଥିଲେ। ଦୋକାନୀ ଜଣକ ଚେକ୍‌ଟି ବ୍ୟାଙ୍କରେ ଡିପୋଜିଟ୍‌ କରିଥିଲେ। ହେଲେ ବ୍ୟାଙ୍କ କର୍ମଚାରୀ ଜଣକ ଚେକରେ ହୋଇଥିବା ହସ୍ତାକ୍ଷର ମେଳ ଖାଉନଥିବା କଥା କହିଥିଲେ। ପରେ ଜାଲି ଚେକ୍‌ କଥା ଜାଣିଥିଲେ ଦୋକାନୀ ଜଣକ।

ଏହାପରେ ଅଳଙ୍କାର ଦୋକାନୀର ମାଲିକ ଜଣକ ବାଜପି ଥାନରେ ଏତଲା ଗତ ସପ୍ତାହରେ ଦେଇଥିଲେ। ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ୍‌ ଓ ମହିଳା ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମହିଳାଙ୍କ ସ୍ବାମୀ ରମିଜଙ୍କୁ ଏପର୍ଯ୍ୟନ୍ତ ପୁଲିସ୍‌ ଖୋଜୁଛି।