ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ଢେଙ୍କାନାଳ, ୨୭/ ୧୧: ଓଭର ଟେକରୁ ଗୁଳି ମାଡ଼। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ନିକଟସ୍ଥ ବାଜି ରାଉତ ବ୍ରିଜ ଉପରେ।

ମିଳିଥିବା ସୂଚନା ମୁତାବିକ, ଓଭର ଟେକ୍‌କୁ କେନ୍ଦ୍ର କରି ବସ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼ କଲା ଉତ୍ତ୍ୟକ୍ତ ଯୁବକ। ଗୁଳି ବସ୍‌ର ଆଗ କାଚରେ ଲାଗି ବାଜି ଖସିପଡ଼ିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିବା ପୂର୍ବରୁ ବାଇକ୍‌ରେ ଆସିଥିବା ଦୁଇ ଯୁବକ ଓ ଜଣେ ଯୁବତୀ ଫେରାର ହୋଇଯାଇଥିବା ସୂଚନା ରହିଛି।

ବାଇକରେ ଯାଉଥିବା ଦୁଇ ଯୁବକ ଓ ଜଣେ ଯୁବତୀ ଏକ ଯାତ୍ରୀବାହୀ ବସ ମଲ୍ଲିକକୁ ଓଭର ଟେକ୍‌ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ। ଏହି ଯାତ୍ରୀବାହୀ ବସଟିକୁ କପିଳାସ ନିକଟରେ ଥିବା ଦେଓଗାଁ ରାସ୍ତାରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ବାଇକ ଯୋଗେ ଓଭର ଟେକ୍‌ କରିଥିଲେ। ପରେ ବସର ଡ୍ରାଇଭର ଦୁର୍ଯ୍ୟୋଧନ ସ୍ବାଇଁ ଓ ବାଇକ୍‌ରେ ଯାଉଥିବା ଯୁବକ-ଯୁବତୀଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ବାଜି ରାଉତ ସେତୁ ନିଳକଣ୍ଠପୁର ଗ୍ରାମ ଛକରେ ମଲ୍ଲିକ ବସକୁ ଅଟକାଇ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଡ୍ରାଇଭରଙ୍କୁ ଗାଳିଗୁଲଜ କରି ଟଣାଓଟରା କରିଥିଲା। ପରେ ନିଜ ସାଥି ଯୁବତୀଙ୍କ ଭ୍ୟାନିଟରୁ ମାଉଜର ବାହାର କରି ଡ୍ରାଇଭର ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା। ଗୁଳିଟି ଡ୍ରାଇଭରଙ୍କ ଉପରେ ନବାଜି ବସର ଆଗ କାଚରେ ବାଜିଥିଲା।