ଜଣେ ପ୍ରେମ ବିଜୟିନୀଙ୍କ ନିଆରା କାହାଣୀ: ପ୍ରେମିକଙ୍କ ପାଇଁ ଜାତି ଛାଡ଼ିଲେ, ହକ୍ ପାଇବାକୁ ନିଜେ ଲଢ଼ିଲେ

ବାଲେଶ୍ବର,୨୩/ ୦୨: ପ୍ରେମ ଚିରନ୍ତନ ସତ୍ୟ। ପ୍ରେମ ଜାତିଧର୍ମ କିଛି ମାନେନି। ଏହା ପ୍ରମାଣ କରି ଦେଖାଇଛନ୍ତି ଜଣେ ପ୍ରେମିକା। ପ୍ରେମିକଙ୍କୁ ପାଇବା ପାଇଁ ପ୍ରେମିକା ଜଣକ ସ୍ୱଧର୍ମ ବଦଳାଇଛନ୍ତି। ବହୁ ବାଧାବିଘ୍ନ ସତ୍ତେ୍ୱ ସେ ପ୍ରେମିକଙ୍କୁ ସୋମବାର ବିବାହ କରିଛନ୍ତି । ଘଟଣା ବାଲେଶ୍ୱରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣାରୁ ପ୍ରକାଶ, ପ୍ରେମିକା ଜଣକ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର। ସେ ବାଲେଶ୍ୱର ଲୁମିନ୍ସ ବ୍ୟାଟେରୀ କମ୍ପାନିରେ ଚାକିରି କରୁଥିଲେ।
ସେତେବେଳେ ଏହି କମ୍ପାନିର ଏରିଆ ମ୍ୟାନେଜର ଥିବା କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ମନ୍ତାପଡା ଗ୍ରାମର ଦେବୀପ୍ରସାଦ ମିଶ୍ର(୩୨)ଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଦେବୀପ୍ରସାଦ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ବିବାହ ପାଇଁ ଉଭୟ ପରିବାର ରାଜିଥିଲା ବେଳେ ଦେବୀପ୍ରସାଦଙ୍କ ଭାଇ ଅରାଜି ଥିଲେ। ଉପାୟହୀନ ହୋଇ ପ୍ରେମିକା ଦେବୀପ୍ରସାଦଙ୍କ ଘରକୁ ଯାଇଥିଲେ। ମାତ୍ର ସେତେବେଳେ ପ୍ରେମିକଙ୍କ ପରିବାର ତାଙ୍କୁ ଗ୍ରହଣ କରିନଥିଲେ।
ଦେବୀପ୍ରସାଦଙ୍କ ଘରୁ ନିରାଶ ହେବା ପରେ ପ୍ରେମିକା ଜଣକ ଶିଳ୍ପାଞ୍ଚଳ ଥାନାରେ ବଳାତ୍କାର ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଥିଲା। ପରେ ଦେବୀପ୍ରସାଦଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଦେବୀପ୍ରସାଦଙ୍କ ପରିବାର ପକ୍ଷରୁ ଜାମିନ ଆବେଦନ କରିଥିଲେ। ଜାମିନ ନାମଞ୍ଜୁର ହୋଇଥିଲା। ସେହିଦିନ ଠାରୁ ଦେବୀପ୍ରସାଦ ବିଚାରବିଭାଗୀୟ ହାଜତରେ ଅଛନ୍ତି। ପ୍ରେମିକାଙ୍କୁ ବିବାହ କରିବାକୁ ରାଜିଥିବା କହି ସେ କୋର୍ଟରେ ଜାମିନ ଆବେଦନ କରିଥିଲେ। କୋର୍ଟ ତାଙ୍କୁ ପ୍ରଥମେ ବିବାହ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇଜୀବୀ ପ୍ରଶାନ୍ତ ନନ୍ଦ ଉଭୟ ପ୍ରେମିକ-ପ୍ରେମିକାଙ୍କୁ ବିବାହ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ବିବାହ ପାଇଁ ପ୍ରେମିକାଜଣକ ପ୍ରଥମେ କୋର୍ଟରେ ସ୍ୱଧର୍ମ ପରିବର୍ତ୍ତନ କରି ହିନ୍ଦୁଧର୍ମ ଗ୍ରହଣ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶିଳ୍ପାଞ୍ଚଳ ଥାନା ଅଧିକାରୀଣୀ ମିନତୀ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଦେବୀପ୍ରସାଦଙ୍କୁ ପୁଲିସ୍ ଫୋର୍ସ ହେପାଜତରେ ବିଚାର ବିଭାଗୀୟ ହାଜତରୁ ଆଣିଥିଲେ। ରାଜାବଗିଚାସ୍ଥ ରାଧାକୃଷ୍ଣ ମନ୍ଦିରରେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବୈଦିକ ରୀତିରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବିବାହ ପରେ ଦେବୀପ୍ରସାଦଙ୍କୁ ପୁନଶ୍ଚ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦେବୀପ୍ରସାଦ ବିବାହ କରିଥିବାର ପ୍ରମାଣ କୋର୍ଟରେ ଦର୍ଶାଇବା ସହ ଜାମିନ ଆବେଦନ କରିବେ ବୋଲି ଜଣାପଡ଼ିଛି।