ମାତୃ ଓ ଶିଶୁମୃତ୍ୟୁ ହ୍ରାସ ନିମନ୍ତେ ‘ସମ୍ପୂର୍ଣ୍ଣା’କୁ ଅଧିକ କ୍ରିୟାଶୀଳ କରାଯିବ: ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୨୮/୮: ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ କମିଟି ଗଠନ ସହିତ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ଶିଶୁ ଓ ମାତୃ ମୃତ୍ୟୁ ହ୍ରାସ ହ୍ରାସ ନେଇ ଆଜି ହୋଇଥିବା ସମୀକ୍ଷା ବୈଠକରୁ ଏହା ଜଣାଯାଇଛି । ବୈଠକର ସୂଚନା ଅନୁଯାୟୀ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ସମୟରେ ଏହି ମୃତ୍ୟୁହାର ହ୍ରାସ ଲାଗି ଯେଉଁ ଲକ୍ଷ୍ୟ ଦିଆଯାଇଥିଲା ତାହା ହାସଲ ହୋଇଥିଲେ ମଧ୍ୟ ଯୋଜନାକୁ ଅଧିକ କ୍ରିୟାଶୀଳ କରି ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପହଞ୍ଚାଇବାପାଇଁ ମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ ୨୦୧୧-୧୩ ବର୍ଷରେ ରାଜ୍ୟରେ ପ୍ରତି ଏକ ଲକ୍ଷ ପ୍ରସୂତୀଙ୍କ ମଧ୍ୟରୁ ୨୨୨ ଜଣ ମୃତ୍ୟୁବରଣ କରୁଥିବାବେଳେ ୨୦୧୪-୧୬ ସୁଦ୍ଧା ତାହା ୧୮୦କୁ ହ୍ରାସ ପାଇଛି । ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ ଏହାକୁ ୧୧୭ ଓ ୨୦୩୦ ସୁଦ୍ଧା ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସେହିଭଳି ୨୦୧୧-୧୩ରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୫୧ ଜଣ ମୃତ୍ୟୁମୁଖରେ ପଡୁଥିବାବେଳେ ୨୦୧୭ ରେ ତାହା ୪୧ରେ ପହଞ୍ଚିଛି । ତେବେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ୩୦କୁ ହ୍ରାସ କରିବାଲାଗି ଲକ୍ଷ୍ୟ ରହିଛି । 

ସର୍ବଭାରତୀୟ ସ୍ତରରେ ମାତୃମୃତ୍ୟୁହାର ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ଓଡିଶାରେ ମଧ୍ୟ ଏହି ହାର ଜାତୀୟ ସ୍ତର ସହିତ ତାଳ ଦେଇ ହ୍ରାସ ପାଇବାରେ ଲାଗିଛି । ଅନୁରୂପ ଭାବେ ନବଜାତଙ୍କ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ମଧ୍ୟ ଓଡିଶା ସର୍ବଭାରତୀୟ ହାରର ପାଖାପାଖି ରହିଛି । ୨୦୧୭ ସୁଦ୍ଧା ଜାତୀୟ ସ୍ତରରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୩୩ ଜଣ ମରୁଥିବାବେଳେ ଓଡିଶାରେ ଏହା ଦ୍ରୁତ ଗତିରେ ହ୍ରାସପାଇ ୪୧ ରହିଛି ।  ସମ୍ପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହେବାପରେ ଏହି ସଫଳତା ମିଳିଥିବା ପ୍ରକାଶ । ସମ୍ପୂର୍ଣ୍ଣା ଯୋଜନାକୁ ଅଧିକ କ୍ରିୟାଶୀଳ କରିବାଲାଗି ଏଫ୍‍ଆରୟୁ ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରସୂତୀଙ୍କପାଇଁ ଥିବା ଓଟି ଏବଂ ଏସ୍‍ଏନ୍‍ସିୟୁରେ ତାଲିମପ୍ରାପ୍ତ ଷ୍ଟାଫନର୍ସ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି ।

ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ନିରାକରଣ ଓ ପୁଷ୍ଟିହୀନତା ଦୂର ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଛି । ସେହିଭଳି ଶିଶୁ ଓ ମାତୃସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଏଫ୍‍ଆରୟୁ ଗୁଡିକୁ ଅଧିକ ସୁଦୃଢ କରିବା କରିବା, ଅତ୍ୟାଧୁନିକ ଆଇସିୟୁ କାର୍ଯ୍ୟକ୍ଷମ କରାଯିବା ଏବଂ ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ତଦାରଖ ଉପରେ ଜୋର ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ, ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମ୍‍ଡି ୟାମିନୀ ଷଡଙ୍ଗୀ, ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଆଇଆଇପିଏଚ୍‍ ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ସୁବାସ ସାଲୁଙ୍କେଙ୍କ ସମେତ ବିଭାଗୀୟ ସ୍ୱତନ୍ତ୍ର ସଚିବ ଓ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ସର୍ତ୍ତମୂଳକ ଜାମିନ ମିଳିଲା ଡେପୁଟି କଲେକ୍ଟରଙ୍କୁ

ବଜ୍ରପାତ ବେଳେ ମୋବାଇଲ୍‌ରେ କଥା ହେବା ହେଲା କାଳ ! ଚାଲିଗଲା ଯୁବକଙ୍କ ଜୀବନ

ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ -ଅକ୍ଟେବାର ପହିଲାରୁ ଟ୍ରେନ ଗୁଡ଼ିକର ଅତିରିକ୍ତ ରହଣି

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଆକ୍ରାନ୍ତ ହୋଇ ସାମ୍ୱାଦିକ ତାରିଣୀ ପାଢ଼ୀଙ୍କ ମୃତ୍ୟୁ

କମିଶନରେଟ୍‌ ପୁଲିସର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ରେଖା ଲୋହାନି