କପି ରୋକିବା ପାଇଁ ପୋଷାକ ଖୋଲି କରାଗଲା ଯାଞ୍ଚ, ବ୍ୟଥିତ ହୋଇ ଆତ୍ମହତ୍ୟା କଲେ ଛାତ୍ରୀ

ଛତିଶଗଡ଼,୭।୩: ଛତିଶଗଡ଼ର ଜଶପୁରରେ କିଛି ସମୟ ପରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଛାତି ଦୋହଲାଇ ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀ ପରୀକ୍ଷାରେ କପି ରୋକିବା ପାଇଁ ଏକ ସ୍କ୍ବାର୍ଡ ଟିମ୍ ଛାତ୍ରଛାତ୍ରୀଙ୍କୁ ଦେହର ପୋଷାକ ଖୋଲିବା ପାଇଁ କହିଥିଲେ। ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନେ ମଧ୍ୟ କପଡ଼ା ଖୋଲିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଏଭଳି ଏକ ଘଟଣା ଘଟୁଥିବାର ଦେଖି ଦଶମ ଶ୍ରେଣୀର ଜଣେ ଛାତ୍ରୀ ବ୍ୟଥିତ ହୋଇ ଆତ୍ମହତ୍ୟା କରିଛନ୍ତି।
ଏହି ଘଟଣା ଜଶପୁରର ବଗିଚା ବିକାଶଖଣ୍ଡ ସ୍ଥିତ ପଣ୍ଡରାପାଠ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ହୋଇଛି। ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ କପି ରୋକିବା ପାଇଁ ଉଡନ ସ୍କ୍ବାର୍ଡ ଟିମ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସେମାନଙ୍କୁ ଅଲଗା ଅଲଗା ଗୃହକୁ ନେଇ ପୋଷାକ ଖୋଲି ଯାଞ୍ଚ କରାଯାଇଥିଲା। ଏଭଳି ଯାଞ୍ଚ କରାଯିବା ନେଇ ଛାତ୍ରଛାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯାଞ୍ଚ ପରେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ବହୁତ ଭୟାଭିତ ହୋଇଯାଇଥିଲେ। ସେହି କାରଣରୁ ଜଣେ ଛାତ୍ରୀ ବ୍ୟଥିତ ହୋଇ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି।
ଆତ୍ମହତ୍ୟା କରିଥିବା ଛାତ୍ରୀ ଜନଜାତି ପାହାଡ଼ି ପଛପଟେ ରହୁଥିବା କୋରବା ପରିବାରର ବୋଲି ସୂଚନା ମିଳିଛି। ୪ ତାରିଖରେ ଆଗାମୀ ପରୀକ୍ଷା ଦେବାକୁ ଥିବା ଏହି ଛାତ୍ରୀ ଆତ୍ମହତ୍ୟା କରିଦେବାରୁ ପରିବାର ଲୋକ ଏହି ମାମଲାର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି।
ଏସ୍ଡିଏମ୍ ଡ. ରବି ମିତ୍ତଲ କହିଛନ୍ତି, ଏହି ମାମଲା ବହୁତ ସମ୍ବେଦନଶୀଳ ଅଟେ। ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଛି। ଏହି ଘଟଣା ସମ୍ପର୍କରେ ଯାଞ୍ଚ କରାଯାଇ କଡ଼ା ପଦକ୍ଷେପ ନିଆଯାଉ ବୋଲି ସେ କହିଛନ୍ତି।