ଆଧାର କାର୍ଡ ସଂଶୋଧନ ପାଇଁ ଆସିଲା ନୂଆ ନିୟମ: ଏଣିକି କେବଳ ଦୁଇ ଥର ନାମ ସଂଶୋଧନ କରିପାରିବେ,ଜନ୍ମ ତାରିଖ ଓ ଲିଙ୍ଗକୁ ମାତ୍ର ଥରେ

ନୂଆଦିଲ୍ଲୀ ୯/୧୧ : ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ(ୟୁଆଇଡିଏଆଇ) ଦ୍ୱାରା ଆଧାର କାର୍ଡରେ ସଂଶୋଧନ କରାଯିବା ସମ୍ପର୍କିତ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଆଧାର କାର୍ଡରେ ପୂର୍ବରୁ ଦେଇଥିବା ତଥ୍ୟରେ ମନଇଛା ଯେତେଥର ଚାହିଁବେ ସେତେଥର ସଂଶୋଧନ କରିପାରିବେ ନାହିଁ । ପ୍ରତି ବ୍ୟକ୍ତିକୁ ନିଜ ଆଧାର କାର୍ଡରେ ନାମ ସଂଶୋଧନ କରିବା ପାଇଁ ମାତ୍ର ଦୁଇ ଥର ସୁଯୋଗ ମିଳିବ । ସେହିପରି ଜନ୍ମ ତାରିଖ ଓ ଲିଙ୍ଗ ସମ୍ପର୍କିତ ତଥ୍ୟ ସଂଶୋଧନ କରିବା ପାଇଁ ମାତ୍ର ଥରୁଟିଏ ସୁଯୋଗ ମିଳିବ ।

ଜନ୍ମ ତାରିଖ ସଂଶୋଧନ ପାଇଁ ଆଉ କେତେକ କଟକଣା ବି ଲାଗୁ କରାଯାଇଛି । ପୂର୍ବରୁ ଯେଉଁ ଜନ୍ମ ତାରିଖ ଉଲ୍ଲେଖ କରାଯାଇଛି, ସେଥିରେ ଜଣେ ବ୍ୟକ୍ତି ମାତ୍ର ତିନି ବର୍ଷ କମ କିମ୍ବା ବେଶୀ କରିପାରିବ । ତା’ ଠାରୁ ଅଧିକ ବର୍ଷ କମାଇ କିମ୍ବା ବଢାଇ ପାରିବ ନାହିଁ । ଆହୁରିମଧ୍ୟ, ଆଧାର କାର୍ଡ ପାଇଁ ଜଣେ ବ୍ୟକ୍ତି ଜନ୍ମତାରିଖର ପ୍ରମାଣ ଭାବେ ଯେଉଁ ପ୍ରମାଣପତ୍ର ଦେଇଥିବ, ତାହାକୁ ୟୁଆଇଡିଏଆଇ ନିଜ ରେକର୍ଡରେ ସଂରକ୍ଷିତ କରି ରଖିବ । ଯଦି ଏହି ପ୍ରମାଣପତ୍ର ଭେରିଫାଏଡ (ଯାଞ୍ଚ କରାଯାଇଥାଏ) ହୋଇଥାଏ, ତାହାହେଲେ ସେଇ ବ୍ୟକ୍ତି ନିଜର ଜନ୍ମ ତାରିଖ ଆଉ ସଂଶୋଧନ କରିପାରିବେ ନାହିଁ । କିନ୍ତୁ ଏନରୋଲମେଣ୍ଟ ସମୟରେ ଯଦି କେହି ଜନ୍ମତାରିଖର ପ୍ରମାଣପତ୍ର ଦେଇନଥାଏ, ତାହାହେଲେ ତା’ର ଜନ୍ମତାରିଖକୁ ୟୁଆଇଡିଏଆଇ ରେକର୍ଡରେ ଆତ୍ମଘୋଷିତ କିମ୍ବା ମୋଟାମୋଟି ବୋଲି ଦର୍ଶାଇ ସଂରକ୍ଷିତ ରଖାଯିବ।

କେବଳ ସେଭଳି ବ୍ୟକ୍ତି ନିଜର ଜନ୍ମତାରିଖରେ ପରେ ସଂଶୋଧନ କରିପାରିବ ମାତ୍ର ତାହା କେବଳ ଥରୁଟିଏ ପାଇଁ । ଯଦି ନିର୍ଦ୍ଧାରିତ ଥର ଠାରୁ କେହି ଅଧିକ ଥର ଏସବୁ ତଥ୍ୟରେ ସଂଶୋଧନ କରିବାକୁ ଚାହୁଁଥାଏ, ତାହାହେଲେ ତା’କୁ ଆଧାର ଆଞ୍ଚଳିକ କେନ୍ଦ୍ର ଠାରୁ ଅନୁମତି ନେବାକୁ ପଡିବ । ଏଥିପାଇଁ ଉକ୍ତ ବ୍ୟକ୍ତିକୁ ଆଧାର ଏନରୋଲମେଣ୍ଟ କେନ୍ଦ୍ରକୁ ଯାଇ ସେଠାରୁ ଆଧାର ଆଞ୍ଚଳିକ କେନ୍ଦ୍ରକୁ ଏକ ଇ-ମେଲ୍‌ ପଠାଇବାକୁ ପଡିବ ଏବଂ ସେଥିରେ ଆବଶ୍ୟକ ଦସ୍ତାବିଜ୍‌ର ସ୍କାନଡ୍‌ କପି ବି ସଂଲଗ୍ନ କରିବାକୁ ପଡିବ । ଆଞ୍ଚଳିକ କେନ୍ଦ୍ରର ଅନୁମତି ପାଇବା ପରେ ସେ ଏଭଳି ତଥ୍ୟକୁ ଅଧିକ ଥର ସଂଶୋଧନ କରିପାରିବେ ।

   ସମ୍ବନ୍ଧିତ ଖବର


ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍

ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା