ଛୁଟିରେ ଘରକୁ ନଯାଇ କର୍ମକ୍ଷେତ୍ରକୁ ଗଲେ ଅଭିନନ୍ଦନ

ନୂଆଦିଲ୍ଲୀ,୨୬ ।୩(ଏଜେନ୍ସି): ପାକିସ୍ତାନ ଯୁଦ୍ଧବିମାନ ଖସାଇ ଚର୍ଚ୍ଚାକୁ ଆସିଥିବା ଭାରତୀୟ ବାୟୁସେନାର ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ କାମକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ଏହି ଘଟଣାରୁ ଜଣାପଡେ । ଚାରି ସପ୍ତାହ ମେଡିକାଲ ଲିଭ୍‌ରେ ଥିବା ବେଳେ ସେ ଘରକୁ ନଯାଇ କାମ କରିବା ଲାଗି ଶ୍ରୀନଗରରେ ଥିବା ନିଜ ଟିମ୍‌ରେ ସାମିଲ ହୋଇଛନ୍ତି । ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ଡାକ୍ତରମାନେ ବିଶ୍ରାମ ନେବା ଲାଗି ୪ ସପ୍ତାହ ଛୁଟିରେ ଯିବାକୁ ପରାମର୍ଶ ଦେଇଥିଲେ । ହେଲେ ଚେନ୍ନାଇସ୍ଥିତ ନିଜ ଘରକୁ ଯିବା ବଦଳରେ ସେ ଶ୍ରୀନଗର ଯିବାକୁ ଚାହିଁଥିଲେ । ଯେଉଁଠାରେ ତାଙ୍କ ସ୍କ୍ୱାଡ୍ରନ ଅପରେସନ ଲାଗି ମୁତୟନ ହୋଇଥିଲା । ବର୍ତ୍ତମାନ ସେ ନିଜର ଟିମ୍‌ ଓ ବିମାନ ସହିତ ମିଶି କାମ କରି ସମୟ ବିତାଉଛନ୍ତି । କିନ୍ତୁ କିଛିଦିନ ଭିତରେ ତାଙ୍କୁ ଦିଲ୍ଲୀ ଫେରିବାକୁ ପଡିବ । ସେଠାରେ ସେ ଆଉ ବିମାନ ଚଳାଇବାକୁ ସକ୍ଷମ ଅଛନ୍ତି ନା ନାହିଁ ତାହା ମେଡିକାଲ ବୋର୍ଡ ତାଙ୍କ ନିଷ୍ପତ୍ତି ଶୁଣାଇବେ । ମେଡିକାଲ ଲିଭ୍‌ରେ ଥିବା ବେଳେ ସେ କେଉଁଠାରେ ଛୁଟି ବିତାଇବେ ସେହି ନିଷ୍ପତ୍ତି ନିଜେ ନେଇପାରିବେ ।

ସୂଚନାଯୋଗ୍ୟ ଯେ ଫେବ୍ରୁଆରୀ ୧୪ରେ ଜମ୍ମୁକାଶ୍ମୀରର ପୁଲୱାମାରେ ଘଟିଥିବା ଆତ୍ମଘାତୀ ଆକ୍ରମଣ ପରେ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କୀ ଆଡ୍ଡା ଉପରେ ବିମାନ ଆକ୍ରମଣ କରିଥିଲା । ଏହାର ଦିନକ ପରେ ପାକିସ୍ତାନୀ ବିମାନ ଜମ୍ମୁ-କାଶ୍ମୀରରେ ଭାରତୀୟ ସୀମା ଭିତରକୁ ପଶି ଆକ୍ରମଣ ଉଦ୍ୟମ କରିଥିଲେ । କିନ୍ତୁ ସୀମାରେ ମୁତୟନ ଭାରତୀୟ ଯୁଦ୍ଧ ବିମାନ ସେମାନଙ୍କୁ ଘଉଡାଇ ଦେଇଥିଲେ । ଭାରତୀୟ ବାୟୁସେନାର ଯେଉଁ ଯୁଦ୍ଧ ବିମାନ ଏଥିରେ ସାମିଲ ଥିଲା ସେଥିରେ ଅଭିନନ୍ଦନ ରହିଥିଲେ । ସେ ଚଳାଉଥିବା ଏକ ମିଗ୍‌-୨୧ ବାଇସନ ବିମାନ ସହାୟତାରେ ମିସାଇଲ ମାଡ଼ କରି ପାକିସ୍ତାନର ଗୋଟିଏ ଏଫ-୧୬ ଲଢ଼ୁଆ ବିମାନ ଖସାଇ ଦେଇଥିଲେ । ହେଲେ ପାକିସ୍ତାନର ଅନ୍ୟ ଯୁଦ୍ଧବିମାନର ମିସାଇଲ ମାଡ଼ରେ ତାଙ୍କ ବିମାନ ପିଓକେରେ ଖସିପଡିଥିଲା । ସେଠାରେ ତାଙ୍କୁ ପାକିସ୍ତାନୀ ସେନା ଧରିନେଇଥିଲେ । ତେବେ ଭାରତର ଚେତାବନୀ ଓ ଆନ୍ତର୍ଜାତିକ ଚାପ ଯୋଗୁ ପାକିସ୍ତାନ ତାଙ୍କୁ ମାର୍ଚ୍ଚ ୧ ତାରିଖରେ ମୁକ୍ତ କରିଥିଲା ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା