PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପାକ୍‌ରେ ଅଭିନନ୍ଦନଙ୍କ ୬୦ ଘଣ୍ଟା: ତଣ୍ଟି ଚିପି ନିର୍ଯାତନା ଦେବା ସହ ଘଣ୍ଟା ଘଣ୍ଟା ଛିଡ଼ା କରାଇଥିଲେ

ନୂଆଦିଲ୍ଲୀ,୭ା୩(ଏଜେନ୍ସି): ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନ ବର୍ଦ୍ଧମାନ ପାକ୍‌ ସେନା ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ । ତାଙ୍କୁ ପର୍ଯ୍ୟାୟକ୍ରମେ ନିୟମିତ ବ୍ୟବଧାନରେ ଜେରା କରାଯାଉଥିଲା । ଶୋଇବାକୁ ଦିଆଯାଉନଥିଲା । ଘଣ୍ଟା ଘଣ୍ଟା ଧରି ଛିଡ଼ା କରାଯାଉଥିଲା । ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିବା ପାଇଁ ତାଙ୍କୁ ମାଡ଼ ମରାଯିବା ସହ କିଛି ଅଧିକାରୀ କ୍ରୋଧାନ୍ୱିତ ହୋଇ ଶେଷରେ ତାଙ୍କ ତଣ୍ଟି ଚିପିଥିଲେ । ଦୀର୍ଘ ୬୦ ଘଣ୍ଟା ଧରି ଅଭିନନ୍ଦନଙ୍କୁ ପାକ୍‌ରେ ଏଭଳି ସଂଘର୍ଷ କରିବାକୁ ପଡ଼ିଥିଲା । ପାକ୍‌ରୁ ମୁକୁଳିବା ପରେ ଅଭିନନ୍ଦନଙ୍କୁ ଆଣିବା ପାଇଁ ଯାଇଥିବା ଟିମ୍‌ର ଜଣେ ଅଧିକାରୀ ଏଭଳି ଲୋମଟାଙ୍କୁରା ସୂଚନା ଦେଇଛନ୍ତି ।
ନିଜ ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ ଜଣକ କହିଛନ୍ତି, ଶତ୍ରୁ ହାତରେ ଧରାପଡ଼ିବାର ୨୪ ଘଣ୍ଟା ପର୍ଯ୍ୟନ୍ତ କୌଣସି ତଥ୍ୟ ନ ଦେବା ଲାଗି ଭାରତୀୟ ବାୟୁସେନାର ନିୟମ ରହିଛି । କୌଣସି ସେନା ପାଇଲଟ୍‌ ଶତ୍ରୁ ହାତରେ ଧରାପଡ଼ିବାର ୨୪ ଘଣ୍ଟା ମଧ୍ୟରେ ବାୟୁସେନାର ବିଭିନ୍ନ ମୁତୟନ ଯୋଜନାକୁ ପରିବର୍ତ୍ତନ କରାଯାଇଥାଏ । ତେଣୁ ପାକ୍‌ ହାତରେ ଧରାପଡ଼ିବାର ପ୍ରଥମ ୨୪ ଘଣ୍ଟା ଅଭିନନ୍ଦନଙ୍କ ପାଇଁ ସବୁଠୁ ଅଧିକ ସଂଘର୍ଷପୂର୍ଣ୍ଣ ଥିଲା । ଅଭିନନ୍ଦନ ପ୍ରବଳ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁଦ୍ଧା ଏହି ନିୟମକୁ ସେ ଧୈର୍ଯ୍ୟର ସହ ପାଳନ କରିଥିଲେ । କେବଳ ୨୪ ଘଣ୍ଟା କାହିଁକି ପାକିସ୍ତାନୀ ସେନା କବଳରୁ ମୁକୁଳିବା ପର୍ଯ୍ୟନ୍ତ ତାଙ୍କ ମୁହଁରୁ ସେମାନେ ଗୋଟିଏ ହେଲେ ତଥ୍ୟ ହାସଲ କରିପାରି ନଥିଲେ । ପାକ୍‌ ସେନା କବଳରେ ଅଭିନନ୍ଦନ ପାଖାପାଖି ୬୦ ଘଣ୍ଟା ବନ୍ଦୀ ରହିଥିଲେ । ଏହି ସମୟ ପର୍ଯ୍ୟନ୍ତ ସାରା ଦେଶବାସୀ ତାଙ୍କର ସୁରକ୍ଷିତ ମୁକ୍ତି ପାଇଁ ପ୍ରାର୍ଥନା କରୁଥିଲେ । ସେପଟେ କିନ୍ତୁ ଅଭିନନ୍ଦନ ପ୍ରତିକ୍ଷଣରେ ଯନ୍ତ୍ରଣାକୁ ସାମ୍ନା କରୁଥିଲେ । ପ୍ରଥମ ୨୪ ଘଣ୍ଟା ପାକ୍‌ ସେନା ତାଙ୍କର କୌଣସି ଚିକିତ୍ସା ନ କରାଇ ତାଙ୍କ ମୁହଁରୁ ତଥ୍ୟ ଯୋଗାଡ଼ରେ ଲାଗିଥିଲା । ଭାରତୀୟ ସେନାର ମୁତୟନ ସ୍ଥଳ, ସମ୍ବେଦନଶୀଳ ସୂଚନା, ଉଚ୍ଚସ୍ତରୀୟ ସୁରକ୍ଷା ସଂକ୍ରାନ୍ତ ରେଡିଓ ଫ୍ରିକ୍ୱେନ୍ସି ସମ୍ପର୍କରେ ସୂଚନା ପାଇଁ ସେମାନେ ଲଗାତର ଚେଷ୍ଟା କରୁଥିଲେ । କିନ୍ତୁ ଅଭିନନ୍ଦନ ନିଜ ଜିଦ୍‌ରେ ଅଟଳ ରହିଥିଲେ ।
ଅଧିକାରୀ ଜଣକ କହିଛନ୍ତି, ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ପାକ୍‌ ସେନାର ବିଭିନ୍ନ ଟିମ୍‌ ସ୍ୱଳ୍ପ ସମୟ ବ୍ୟବଧାନରେ ଜେରା କରୁଥିଲେ । ଯଦିଓ ତାଙ୍କୁ ପାକ୍‌ର ବାୟୁସେନା ଜେରା କରୁଥିଲା, କିନ୍ତୁ ପାକ୍‌ ସେନାର ବହୁ ଅଧିକାରୀ ତାଙ୍କୁ ଘେରି ରହିଥିଲେ । ପ୍ରଥମ କେଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇନଥିଲା । ମେରୁଦଣ୍ଡରେ ପ୍ରବଳ ଆଘାତ ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁଦ୍ଧା କାହାର ଦୟା ନଥିଲା । ଚିକିତ୍ସା ତ ଦୂର କଥା, ତାଙ୍କୁ ଶୋଇବାକୁ ଦିଆଯାଉ ନଥିଲା । ଘଣ୍ଟା ଘଣ୍ଟା ଧରି ଛିଡ଼ା କରାଯାଉଥିଲା ।
ଖାଲି ସେତିକି ନୁହେଁ, ତାଙ୍କ ମାନସିକ ସ୍ଥିତିକୁ ବିଗାଡ଼ିବା ପାଇଁ ଖୁବ୍‌ ଜୋରରେ ମ୍ୟୁଜିକ୍‌ ବଜାଯାଉଥିଲା । ଏତେ ନିର୍ଯାତନା ଦେବା ପରେ ମଧ୍ୟ ଅଭିନନ୍ଦନ କିଛି କହିନଥିଲେ । ଏଥିରେ ପାକ୍‌ ସେନାର କିଛି ଅଧିକାରୀ କ୍ରୋଧାନ୍ୱିତ ହୋଇ ତାଙ୍କ ତଣ୍ଟି ଚିପିଥିଲେ ଏବଂ ଆଉ କିଛି ଅଧିକାରୀ ତାଙ୍କୁ ବହୁତ ପିଟିଥିଲେ । ଭାରତୀୟ ବାୟୁସେନାର ମୁତୟନ ସ୍ଥଳ ସମ୍ପର୍କରେ ଠୋସ୍‌ ସୂଚନା ହାସଲ କରି ସେମାନେ ସାଙ୍ଘାତିକ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ତେଣୁ ସତକଥା ଜାଣିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲେ । କିନ୍ତୁ ପ୍ରତିଥର ଅଭିନନ୍ଦନଙ୍କ ସାହସ ଓ ଧୈର୍ଯ୍ୟ ଆଗରେ ସେମାନେ ହାର୍‌ ମାନିଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ଫେବ୍ରୁଆରୀ ୨୬ରେ ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈସ୍‌-ଏ-ମହମ୍ମଦର ଆଡ୍ଡା ଉପରେ ସାଙ୍ଘାତିକ ଆକ୍ରମଣ କରିଥିଲା । ଏହା ପରଦିନ ଅର୍ଥାତ୍‌ ଫେବ୍ରୁଆରୀ ୨୭ରେ କାଶ୍ମୀରର ନୌସେରା ସେକ୍ଟରରେ ଦୁଇଦେଶର ବାୟୁସେନା ମଧ୍ୟରେ ମୁହାଁମୁହିଁ ହୋଇଥିଲା । କିଛି ପାକିସ୍ତାନୀ ଯୁଦ୍ଧ ବିମାନ ଭାରତୀୟ ସୀମା ମଧ୍ୟକୁ ପଶିଆସିଥିଲେ । କିନ୍ତୁ ଭାରତୀୟ ବାୟୁସେନା ସେମାନଙ୍କ ତଡ଼ିଦେଇଥିଲା । ଅଭିନନ୍ଦନ ଏମ୍‌ଆଇଜି-୨୧ ବାଇସନ୍‌ ବିମାନ ଦ୍ୱାରା ଗୋଟିଏ ଏଫ୍‌-୧୬ ବିମାନକୁ ଘଉଡ଼ାଇବା ପାଇଁ ଜୋର୍‌ଦାର ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଏହି ଆକ୍ରମଣ ଭିତରେ ପାକିସ୍ତାନ ସୀମା ଭିତରେ ପଶିଯାଇଥିଲେ । ତାଙ୍କ ବିମାନକୁ ପାକ୍‌ ଆକ୍ରମଣ କରିଥିଲା । ବିମାନରେ ନିଆଁ ଲାଗିଯିବା ପରେ ପାରାସୁଟ୍‌ ଦ୍ୱାରା ଅଭିନନ୍ଦନ ଓହ୍ଲାଇଥିଲେ । ଏହାପରେ ତାଙ୍କୁ ପାକ୍‌ ସେନା ବନ୍ଦୀ ବନାଇ ନେଇଥିଲା ।
ଅଭିନନ୍ଦନଙ୍କୁ ନିୟନ୍ତ୍ରଣରେଖାଠାରୁ ପ୍ରାୟ ୭ କିଲୋମିଟର ଦୂର ପିଓକେ (ପାକ୍‌ ଅଧିକୃତ କାଶ୍ମୀର)ର ଭିମ୍ବର ଜିଲ୍ଲା ଅନ୍ତର୍ଗତ ହୋରାନ୍‌ ଗ୍ରାମରୁ ବନ୍ଦୀ କରିନିଆଯାଇଥିଲା । କିନ୍ତୁ ଠିକଣା ଜାଗାକୁ ନେବା ପୂର୍ବରୁ ତାଙ୍କୁ ବିଭିନ୍ନ ଜାଗାକୁ ଜାଣିଶୁଣି ବୁଲାଯାଇଥିଲା । ଏ ସମ୍ପର୍କିତ ଅନେକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା ।