
ଭୁବନେଶ୍ବର, ୨୭/ ୧୧: ଶୁକ୍ରବାର ଅପରାହ୍ନରେ ଗିରଫ ହେଲେ କୁବେର ଆଇଏଫ୍ଏସ୍ ଅଭୟକାନ୍ତ ଓ ତାଙ୍କ ପୁଅ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଅଭୟକାନ୍ତ ଓ ତାଙ୍କ ପୁଅ। ଗୁରୁବାର ରାତିରେ ଭିଜିଲାନ୍ସର ଏକ ଟିିମ୍ ଆକାଶ ପାଠକଙ୍କୁ ପୁନେରୁ ଭୁବନେଶ୍ବର ଆଣିଥିଲା। ପରେ ତାଙ୍କୁ ପଚରାଉଚରା ଜାରି ରଖିଥିଲା ଭିଜିଲାନ୍ସ।ପରେ ପାଠକ ବାପ-ପୁଅଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ।
ତିନି ଦିନ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ରାଜ୍ୟ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ତଥା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ। ରାଜମହଲ ଭଳି ଅନେକ ପ୍ରାସାଦର ଅଧିକାରୀ ଏହି ଜଙ୍ଗଲ ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା । ଭୁବନେଶ୍ୱରଠାରୁ ଆରମ୍ଭ କରି ମୁମ୍ବାଇ, ବିହାର, ପାଟଣାରୁ ପୁନେ ପର୍ଯ୍ୟନ୍ତ ସୁଇମିଂ ପୁଲ୍ ଥିବା ବିଶାଳ ମହଲ ସାଙ୍ଗକୁ ଦାମୀ କାର୍ । ସବୁଠାରୁ ବଡ଼ କଥା ହେଲା ଲକ୍ଡାଉନ୍ ସମୟରେ ବାବୁ ସପରିବାର ଭ୍ରମଣ ପାଇଁ ଚାର୍ଟର୍ ବିମାନ ଭଡ଼ାରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କ ଅମାପ ସମ୍ପତ୍ତିର ହିସାବ ଚାଲିଛି । ହିସାବ ଆଉ ୨ ଦିନ ଲାଗିବ ବୋଲି ଜଣାପଡିଛି ।
ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଅଭୟକାନ୍ତ ହେଉଛନ୍ତି ୧୯୮୭ ବ୍ୟାଚ୍ ଆଇଏଫ୍ଏସ୍ ଅଫିସ୍ର। ବୁଧବାର ଏକକାଳୀନ ଓଡିଶା, ମହାରାଷ୍ଟ୍ର ଓ ବିହାରର ୧୨ଟି ସ୍ଥାନରେ ଚଢଉ କରିଥଲା ଭିଜିଲାନ୍ସ ଟିମ୍ । ମହାରାଷ୍ଟ୍ର, ପୁନେ ଓ ମୁମ୍ବାଇରେ ୬ ଟିମ୍, ଓଡ଼ିଶାରେ ୫ ଟିମ୍, ବିହାରକୁ ଗୋଟିଏ ଟିମ୍ ଯାଇଛି। ଭୁବନେଶ୍ୱର ଘର ଓ ସରକାରୀ ବାସଭବନ ସମେତ ପୁନେରେ ଘର ଓ ଫାର୍ମହାଉସ୍ ଓ ବିହାର ପାଟନାରେ ଥିବା ପୈତୃକ ଘରେ ଚଢଉ କରାଯାଇଛି । ଯାଞ୍ଚ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି।
ସମ୍ପୂର୍ଣ୍ଣ ସମ୍ପତ୍ତି ଆକଳନ ପାଇଁ ଆହୁରି ୪୮ ଘଣ୍ଟାରୁ ଅଧିକ ସମୟ ଲାଗିବ। ଲକ୍ଡାଉନ୍ ସମୟରେ ଅଭୟକାନ୍ତ ଚାର୍ଟର ପ୍ଲେନ ବାରମ୍ବାର ବ୍ୟବହାର କରିଥିବା ଜାଣିବାକୁ ପାଇଥିଲେ କେନ୍ଦ୍ର ସରକାର। ତା’ପରେ ତାଙ୍କ ଉପରେ ନଜର ରଖିଥିଲା ରାଜ୍ୟ ସରକାର । ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଭାବେ ଅଭୟକାନ୍ତ ରାଜ୍ୟରେ ବନୀକରଣ ଯୋଜନାରେ ବୃକ୍ଷରୋପଣ ଦାୟିତ୍ୱରେ ରହିଛନ୍ତି । ତାଙ୍କ ନାଁରେ ଚାରା ରୋପଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା ।
ବୁଧବାର ସକାଳେ ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ତାଙ୍କ ଘରୁ ବିପୁଳ ପରିମାଣର ନଗଦ ଅର୍ଥ ସହିତ କୋଟି କୋଟି ଟଙ୍କା ମୂଲ୍ୟର ୫ଦାମୀ କାର୍ ଓ ମୂଲ୍ୟବାନ ସାମଗ୍ରୀ ଜବତ ହେବାରେ ଲାଗିଛି । ତାଙ୍କ ଆକାଉଣ୍ଟରେ ମଧ୍ୟ ବିପୁଳ ପରିମାଣର ଅର୍ଥ କାରବାର ହୋଇଛି । ଏବେ ବି ଯାଞ୍ଚ ଚାଲିଛି । ଅଭୟକାନ୍ତ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ହୋଇ ମଧ୍ୟ ନିଜ ପାଇଁ ଜଣେ ଓ ପୁଅ ପାଇଁ ୨ ଜଣ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରିଥିଲେ । ୩ ଜଣ ସୁରକ୍ଷାକର୍ମୀଙ୍କ ଦରମା ମାସକୁ ୨ ଲକ୍ଷ ଟଙ୍କା । ଏହି ସୁରକ୍ଷାକର୍ମୀ ମୁମ୍ବାଇରୁ ଆସିଛନ୍ତି । ତା’ଛଡା ତାଙ୍କ ପୁଅ ଆକାଶ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଝିଅ ସହ ଏକାଠି ରହୁଛନ୍ତି ।
ସେହିଭଳି ମହାରାଷ୍ଟ୍ରର ପୁନେସ୍ଥିତ ଗଡ୍ ବ୍ଲେସିଙ୍ଗ ଆପାର୍ଟମେଣ୍ଟରେ ପୁଅ ନାଁରେ ଘରଭଡ଼ା ଦିଆ ଯାଇଥିବା ବେଳେ ପୁନେ ମୁଲ୍ସିସ୍ଥିତ ହିଲ୍ ଟାଉନ୍ ଏରିଆରେ ଫାର୍ମ ହାଉସ୍ ରହିଛି । ଉଭୟ ଘର ଓ ଫାର୍ମ ହାଉସ୍ର ମାସିକ ଭଡା ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏଥି ସହିତ ରାଜଧାନୀର ଘାଟିକିଆ ଅଞ୍ଚଳରେ ତାଙ୍କ ଜଣେ ପୁତୁରା ଘରେ ଚଢ଼ଉ କରି ଭିଜିଲାନ୍ସ ୫୦ ଲକ୍ଷରୁ ଅଧିକ ଟଙ୍କା ନଗଦ ଜବତ କରିଛି । ପିପିଲି ଅଞ୍ଚଳରେ ରହୁଥିବା ତାଙ୍କ ଡ୍ରାଇଭର ଘରେ ମଧ୍ୟ ଭିଜିଲାନ୍ସ ଖାନତଲାସ ଚଳାଇଛି । ଚଢ଼ଉ ସମାପ୍ତ ପରେ ଆହୁରି ଅଧିକ ସମ୍ପତ୍ତି ମିଳିବ ବୋଲି ଆଶା କରାଯାଉଛି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି ଜଣାପଡିଛି ।