କାର୍କୁ ପିଟିଲା ଟ୍ରକ, ୪ ଆହତ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ସହିଦ୍ନଗରଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ କାରକୁ ଟ୍ରକ ଧକ୍କା ଦେଇଛି । ଏଥିରେ କାରରେ ଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି । ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ କହିବା ମୁତାବକ, ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଖୋର୍ଦ୍ଧା ଆଡୁ ଧଳାରଙ୍ଗର କାର(ଓଡି୦୫କ୍ୟୁ ୧୬୬୬) ରସୁଲଗଡ ଆଡେ ଯାଉଥିଲା ।

ସତ୍ସଙ୍ଗ ବିହାର ନିକଟରେ ଏକ କୋଲ୍ଡ ଡ୍ରିଙ୍କ୍୍ସ ବୋଝେଇ ଟ୍ରକ ହଠାତ୍ ବ୍ରେକ ମାରିଥିଲା । ପଛରେ ଆସୁଥିବା କାରଟି ଟ୍ରକରେ ପିଟି ହୋଇଥିଲା । ଟ୍ରକଟି ମଧ୍ୟ ଭାରସମ୍ୟ ହରାଇ ରାସ୍ତାର ଡିଭାଇଡର ଉପରେ ଚଢ଼ିଯାଇଥିଲା । ଟ୍ରକରୁ କୋଲ୍ଡ ଡ୍ରିଙ୍କ୍ସଗୁଡିକ ରାସ୍ତାରେ ବିଛାଇ ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ଜମା ହୋଇ କାରରୁ ଆହତମାନଙ୍କୁ ବାହାର କରିଥିଲେ । ହେଲେ କାର ଚାଳକ ଜଣକ ଭିତରେ ଚାପି ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସି ଗ୍ୟାସ୍ କଟର ଯୋଗେ କାଟି ଚାଳକଙ୍କୁ ବାହାର କରିଛି । ପୁଲିସ ଘଟଣାସ୍ଥଳରୁ ଦୁଇଟି ଗାଡିକୁ ଜବତ କରିଛି ।