PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି: ଡିଏଫ୍‌ଓଙ୍କ ସହ ମନ୍ତ୍ରୀଙ୍କ ରହିଛି ସୁସମ୍ପର୍କ, ଗୁରୁତର ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କଲେ ସୌମ୍ୟଙ୍କ ବାପା

ଖଇରା/ ପାରଳାଖେମୁଣ୍ଡି,୦୩/୦୮: ଭେଣ୍ଡିଆ ପୁଅକୁ ହରାଇ ମାଆ ଆଖିରୁ ଶୁଖୁନି ଲୁହ । ପୁଅର ସନ୍ଦେହଜନକ ମୃତ୍ୟୁକୁ ବିତିଗଲାଣି ୨୧ ଦିନ । ହେଲେ ନ୍ୟାୟ ପାଇବାରୁ ବଞ୍ଚିତ ରହିଛନ୍ତି ପରିବାର ଲୋକ । ଏସିଏଫ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁକୁ ଯେତେ ଦିନ ଗଡ଼ି ଗଡ଼ି ଚାଲିଛି ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅଥଚ ତଦନ୍ତକାରୀ ସଂସ୍ଥା ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିପାରିନାହିଁ କି କାହାରିକୁ ଗିରଫ କରିପାରିନାହିଁ ।

ସେପଟେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆଣିଛନ୍ତି ଗୁରୁତର ଅଭିଯୋଗ । ପାରଳାଖେମୁଣ୍ଡି ଡିଏଫ୍‌ଓଙ୍କ ଜଙ୍ଗଲ ମନ୍ତ୍ରୀଙ୍କ ସହିତ ସୁସମ୍ପର୍କ ରହିଛି । ସେଥିପାଇଁ ଏସ୍‌ପି, ଜିଲ୍ଲାପାଳ, ଆଇଆଇସି ପ୍ରମୁଖ ଡିଏଫ୍‌ଓଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ସୌମ୍ୟରଞ୍ଜଙ୍କ ବାପା ପ୍ରତିକ୍ରିୟାରେ କହିଛନ୍ତି । ସୌମ୍ୟଙ୍କ ପରିବାର ଲୋକେ ଯାଞ୍ଚ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହେବା ସହିତ ତଦନ୍ତକାରୀ ଟିମ୍‌ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିଯୋଗ କରିବା ସହିତ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ପରିବାର ସଦସ୍ୟ କହିଛନ୍ତି ।

ଖଇରା ଥାନା ଅଧୀନ ବେଗୁନିଆ ଗାଁର ଅଭିରାମ ମହାପାତ୍ରଙ୍କ ପୁଅ ସୌମ୍ୟରଞ୍ଜନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ଏସିଏଫ୍‌ ଭାବେ କାର୍ଯ୍ୟରତ ଥିଲେ । ସରକାରୀ କ୍ୱାର୍ଟର୍ସରେ ଜୁଲାଇ ୧୨ ତାରିଖ ରାତିରେ କୌଣସି କାରଣରୁ ତାଙ୍କ ଦେହରେ ନିଆଁ ଲାଗି ୯୫ ପ୍ରତିଶତ ପୋଡ଼ିଯାଇଥିଲା । ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଡାକ୍ତରଖାନା ଏବଂ ପରେ କଟକର ଏକ ଘରୋଇ ହସପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲେ ହେଁ ଜୁଲାଇ ୧୩ରେ ମୃତ୍ୟୁ ଘଟିଥିଲା । ପୁଅକୁ ବୋହୂ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫ୍‌ଓ ଏବଂ ରୋଷେୟା ଷଡ଼ଯନ୍ତ୍ର କରି ପୋଡ଼ି ମାରିଦେଇଥିବା ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଏବଂ ବଡ଼ ଭାଇ ରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡି ଆଇଆଇସି, ଗଜପତି ଏସ୍‌ପି ଏବଂ ଗଜପତି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଆଉ ବର୍ତ୍ତମାନ ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି, ଗଜପତି ଏସ୍‌ପି ଚାପରେ ରହି ଡିଏଫ୍‌ଓଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି । ପାରଳାଖେମୁଣ୍ଡି ଡିଏଫ୍‌ଓଙ୍କ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ସହିତ ସୁସମ୍ପର୍କ ରହିଛି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଅକୁ ଚାକିରି ଦେଇଥିଲେ । ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଗୁହାରି ଜଣାଇବୁ । ସେ ଯଦି ନ୍ୟାୟ ନଦିଅନ୍ତି ତା’ହେଲେ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦାବି କରିବୁ ବୋଲି କହିଛନ୍ତି ଅଭିରାମ ।

ଅନ୍ୟପକ୍ଷରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଅଧିକ ପଚରାଉଚରା ପାଇଁ ରବିବାର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁ ଅଭିମୁଖେ ଦ୍ୱିତୀୟ ଥର ପାଇଁ ଯାଇଛି ତଦନ୍ତକାରୀ ଟିମ୍‌ । କିନ୍ତୁ ସୋମବାର ସନ୍ଧ୍ୟା ଯାଏଁ ସେଠାରେ ପହଞ୍ଚିନାହିଁ । ଏହି ଟିମ୍‌ ସୋମବାର ଦିନତମାମ ଭୁବନେଶ୍ୱର ଏବଂ କଟକରେ ରହି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି । ମଙ୍ଗଳବାର ଗୌଡ଼ଗାଁ ଯାଇ ବିଦ୍ୟାଙ୍କୁ ପୁଣିଥରେ ଜେରା କରିବ ବୋଲି କୁହାଯାଉଛି । ପୁଲିସର ତଦନ୍ତର ଦିଗ ବର୍ତ୍ତମାନ କେଉଁ ଆଡେ ତାହା ସ୍ପଷ୍ଟ ହେଉନଥିଲେ ସୁଦ୍ଧା ତଦନ୍ତର ଦିଗ ଏବେ ବିଦ୍ୟାଙ୍କ ଉପରେ ଫୋକସ୍‌ ଥିବା ଅନୁମାନ କରାଯାଉଛି । ବିଦ୍ୟାଙ୍କୁ କଟକରୁ ଗୌଡଗାଁ ନେଇ ଯାଇଥିବା ଗାଡ଼ି ଡ୍ରାଇଭର ସୌମ୍ୟ ତାଙ୍କୁ ନ୍ୟାୟ ମିଳିବାର ପ୍ରତିଶ୍ରୁତି ମିଳିଲେ ଅନେକ କିଛି କହିବି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଏସବୁ ଦିଗକୁ ନେଇ ସମ୍ପୃକ୍ତ ଡ୍ରାଇଭର ଏବଂ ବିଦ୍ୟାଙ୍କୁ ପଚରାଉଚରା କରିବାକୁ ପୁଲିସ ଟିମ୍‌ ଗୌଡଗାଁ ଯାଇଥିବା କୁହାଯାଉଛି । ଯଦିଓ ଏ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ, ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି, ତଦନ୍ତ ଜାରି ରହିଛି, ଯାଞ୍ଚ ପରେ ହିଁ ସବୁ ସ୍ପଷ୍ଟ ହେବ ।