ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ହାଇକୋର୍ଟର ଦ୍ୱାରସ୍ଥ ହେଲେ ରକୁଲପ୍ରୀତ୍‌ ସିଂହ

ନୂଆଦିଲ୍ଲୀ,୧୮/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ମାମଲାକୁ ନେଇ ଅଭିନେତ୍ରୀ ରକୁଲପ୍ରୀତ୍‌ ସିଂହଙ୍କ ନାମ ସାମ୍‌ନାକୁ ଆସିବା ପରେ ସେ ଗତକାଲି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଗଣମାଧ୍ୟମରେ ତାଙ୍କ ନାମ ପ୍ରସାରଣ କରାଯାଉଥିବାରୁ ତା ଉପରେ ରୋକ୍‌ ଲଗାଇବାକୁ ସେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ବିଚାରପତି ନବୀନ ଚାୱଲାଙ୍କ ନେତୃତ୍ୱରେ ଗଠିତ ଜଣିକିଆ ଖଣ୍ଡପୀଠ ଏହି ଆବେଦନ ଉପରେ ବିଚାର କରି ପ୍ରସାର ଭାରତୀ, ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ), ନ୍ୟାସନାଲ ବ୍ରଡକାଷ୍ଟର୍ସ ଆସୋସିଏସନ୍‌ (ଏନ୍‌ବିଏ) ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି ।

ବିଚାରପତି ଚାୱଲା କହିଛନ୍ତି ଯେ ରକୁଲପ୍ରୀତ୍‌ଙ୍କ ସହ ଜଡିତ କୌଣସି ଖବର ପ୍ରସାରଣ ବେଳେ ଗଣମାଧ୍ୟମ ସଂଯମତା ଆଚରଣ କରିବା ସହ ପ୍ରୋଗ୍ରାମ କୋଡ୍‌ ଓ ଅନ୍ୟ ନୀତିନିୟମ ପାଳନ କରିବା ଆବଶ୍ୟକ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୫ରେ କରିବାକୁ କୋର୍ଟ କହିଛନ୍ତି । ଆଡଭୋକେଟ ଅମନ ହିଙ୍ଗୋରାନିଙ୍କ ମାଧ୍ୟମରେ ଦାଖଲ କରିଥିବା ପିଟିସନରେ ୨୯ ବର୍ଷୀୟା ରକୁଲପ୍ରୀତ ଦର୍ଶାଇଛନ୍ତି ଯେ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତଦନ୍ତ କରୁଛି । ଏନ୍‌ସିବି ଦ୍ୱାରା ଗିରଫ ରିୟା ଚକ୍ରବର୍ତ୍ତୀ ଜେରା ବେଳେ ସାରା ଅଲି ଖାନ୍‌ ଓ ସିମୋନ ଖମ୍ବାଟ୍ଟାଙ୍କ ସହ ତାଙ୍କ ନାମ ପ୍ରକାଶ କରିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । କିନ୍ତୁ ରିୟା ଜେରା ବେଳେ ତାଙ୍କ ନାମ ଆଦୌ ନେଇ ନଥିବା ସ୍ପଷ୍ଟ କରିସାରିଛନ୍ତି ।

ଏଭଳି କ୍ଷେତ୍ରରେ କିଛି ଗଣମାଧ୍ୟମ ଲଗାତାର ଭାବେ ସେ ରିୟାଙ୍କ ଠାରୁ ଡ୍ରଗ୍ସ ଖରିଦ କରିବାର ଖବର ପ୍ରସାରଣ କରିବାରେ ଲାଗିଛନ୍ତି । କୌଣସି ଖବରକୁ ଅତିରଞ୍ଜିତ ନ କରିବା ଓ ବ୍ୟକ୍ତିଗତ ଅଧିକାରରେ ହସ୍ତକ୍ଷେପ ନ କରିବା ଲାଗି ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲା ବେଳେ ଗଣମାଧ୍ୟମଗୁଡିକ ତାର ଉଲ୍ଲଂଘନ କରୁଛନ୍ତି । ଏଭଳି କରାଯିବା ଦ୍ୱାରା ତାଙ୍କର ସମ୍ମାନହାନୀ ହେଉଛି ।

ରକୁଲପ୍ରୀତ୍‌ ଦର୍ଶାଇଛନ୍ତି ଯେ ସାରା ଅଲି ଖାନ୍‌ଙ୍କୁ ସେ ଆଜି ପର୍ଯ୍ୟନ୍ତ ମାତ୍ର ୨ ଥର ଭେଟିଛନ୍ତି । ତାଙ୍କର ଲୋକପ୍ରିୟତା, ସ୍ୱଚ୍ଛ ଭାବମୂର୍ତ୍ତି ଓ ସମାଜସେବାକୁ ଦୃଷ୍ଟିରେ ରଖି ତେଲଙ୍ଗାନା ସରକାର ୨୦୧୭ରେ ତାଙ୍କୁ ‘ବେଟି ବଚାଓ-ବେଟି ପଢ଼ାଓ’ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର କରିଛନ୍ତି । ତା’ଛଡା ସାମ୍‌ସଙ୍ଗ ମୋବାଇଲ ସମେତ ଅନ୍ୟ କେତେକ ବ୍ରାଣ୍ଡ କମ୍ପାନି ସହିତ ସେ ଜଡିତ ଅଛନ୍ତି। ତେଣୁ ଏଭଳି ଭିତ୍ତିହୀନ ଖବର ପ୍ରସାରଣ ଦ୍ୱାରା ସେ ପ୍ରଭାବିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ ରିୟା ଗିରଫ ହେବା ପରେ ବଲିଉଡର ପ୍ରାୟ ୨୫ ଜଣ କଳାକାର ଡ୍ରଗ୍ସ ଖରିଦ କରିବା ସହ ସେବନ କରୁଥିବା ନେଇ ସୂଚନା ଦେଇଥିଲେ। ଏଥିସହ କିଛି କଳାକାରଙ୍କ ନାମ ମଧ୍ୟ ପ୍ରକାଶ କରିଥିଲେ ।

   ସମ୍ବନ୍ଧିତ ଖବର


ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ